ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶିଆଳି ବେଳାଭୂମିରେ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ତାଡ଼ି ନେଇଛନ୍ତି । ୯ ତାରିଖ(ବୁଧବାର) ବିଳମ୍ବିତ ରାତିରେ ଘଟଣା ଘଟଣା ଘଟିଥିଲେ ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କୁ ଠାବ କରିପାରିନି । ବିଜୁବାବୁଙ୍କ ପ୍ରତିମୂର୍ତ୍ତି କୁ କିଏ ତାଡ଼ିଲା ସେହି ପ୍ରଶ୍ନ ସାଧାରଣରେ ଆନ୍ଦୋଳିତ ହେଉଛି ।
ଏହି ଜାଗାରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦାମୋଦର ରାଉତଙ୍କର ପ୍ରତିମୂର୍ତ୍ତିକୁ ମଧ୍ୟ ଦୁର୍ବୃତ୍ତ ତାଡ଼ି ନେଇଥିଲେ । ପ୍ରତିମୂର୍ତ୍ତି ଭାଙ୍ଗିବା ଏବଂ ଚୋରି କରିବା ଭଳି ହୀନ ରାଜନୀତିକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ବିଜେଡିର ଏକ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ୱରେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ, ବିଧାୟକ ଶାରଦା ପ୍ରସନ୍ନ ଜେନା, ସମ୍ବିତ ରାଉତରାୟ, ଡ. ରାଜଶ୍ରୀ ମଲ୍ଲିକ, ମୀନତୀ ବେହେରା, ଲୋରା ମହାପାତ୍ର, ଅରିନ୍ଦମ ସର୍ଖେଲ ଓ ନାରାୟଣ ଜେନା ପ୍ରମୁଖ ସାମିଲ ଥିଲେ । ଦୁର୍ବୃତ୍ତଙ୍କୁ ତୁରନ୍ତ ଧରିବା ପାଇଁ ସ୍ଥାନୀୟ ଆଇଆଇସିଙ୍କ ସହ କଥା ହେବା ସହ ଜଗତସିଂହପୁର ଏସପିଙ୍କୁ ଭେଟି ଦାବି ଜଣାଇଥିଲେ । ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ବିଜେଡି ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି ।
ଗତକାଲି ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । ଅପରାଧୀଙ୍କୁ ଚିହ୍ନଟ କରିବାରେ ପୁଲିସର ନିଷ୍କ୍ରିୟତା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ସ୍ଥାନୀୟ ସରପଞ୍ଚ ପ୍ରତିଭା ପାତ୍ର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଧରାପଡ଼ିଲେ ନାହିଁ । ଭାରତବର୍ଷ ଯେଉଁ ବ୍ୟକ୍ତିଙ୍କୁ ନେଇ ଗର୍ବ ଅନୁଭବ କରେ, ତାଙ୍କୁ ଅପମାନିତ କରାଯାଇଛି । ଏପରି କାର୍ଯ୍ୟକୁ ଓଡ଼ିଆ ଜାତି କ୍ଷମା କରିବ ନାହିଁ । ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ବିଜେଡି ପକ୍ଷରୁ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଥିଲେ ।