ଭୁବନେଶ୍ୱର: ରାଜ୍ୟର ନୂଆ ବିଜେପି ସରକାରଙ୍କ ଅଦ୍ଭୂତ କାର୍ଯ୍ୟକଳାପ ସମସ୍ତଙ୍କୁ ଆଚମ୍ବିତ କରିଛି । ରାଜ୍ୟର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ନାମକୁ ବଦଳାଇ ଗତକାଲି କ୍ରୀଡ଼ା ବିଭାଗ ଏକ ବିଜ୍ଞପ୍ତି ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏହା ଜଣା ନ ଥିଲା । ଆଜି ଗଣମାଧ୍ୟରୁ କୁଆଡ଼େ ସେ ଏହି ସୂଚନା ପାଇଲା ପରେ ସାମ୍ବାଦିକ ସମ୍ମିଳନୀ ଡାକି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କୁ ସ୍ମରଣ କରିବା ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଧରି ସର୍ବଦଳୀୟ ବୈଠକକୁ ଆମନ୍ତ୍ରଣ ବାହାନାରେ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।

ଗତକାଲି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଚଳିତବର୍ଷଠାରୁ ବିଜୁ ପଟ୍ଟନାୟକ ଉଲ୍ଲେଖନୀୟ କ୍ରୀଡ଼ା ପୁରସ୍କାରର ନାଁ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’କୁ ପରିବର୍ତ୍ତନ କରାଯାଇଥିଲା । ନାମ ପରିବର୍ତ୍ତନ ସହ ଏହାର ନିୟମାବଳୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା । ସବୁ ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିବା ପରେ ସୋସିଆଲ୍ ମିଡିଆରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେଡି ତୀବ୍ର ବିରୋଧ କରି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ବିଜେପିର ଏହା ପ୍ରତିହିଂସା ରାଜନୀତି ବୋଲି ଦଳ ଦର୍ଶାଇବା ସହ କିମ୍ବଦନ୍ତୀ ପୁରୁଷ ବିଜୁବାବୁଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରି ନ ଥିଲା ।
ତେବେ ଆଜି ସକାଳ ୯ଟା ୪୬ ମିନିଟ୍ ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଡକାଯାଇଥିଲା । ୧୦ଟା ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ସହ କଥା ହେବେ ବୋଲି ଏଥିରେ କୁହାଗଲା । ସେହି ଅନୁଯାୟୀ ସାମ୍ବାଦିକମାନେ ଲୋକସେବା ଭବନରେ ପହଞ୍ଚିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ସାଙ୍ଗରେ ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମ କ୍ୟାମେରା ସାମନାକୁ ଆସି ବାଇଟ୍ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ ବିଷୟରେ ଗଣମାଧ୍ୟମରୁ ସୂଚନା ପାଇଲି । ନାମ ପରିବର୍ତ୍ତନ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ । ମୋ ସରକାର ଓଡ଼ିଶାର ବରପୁତ୍ରମାନଙ୍କୁ ଯଥୋଚିତ ସମ୍ମାନ ଦିଏ । ବିଜୁ ବାବୁ ନିଜର ଦୀର୍ଘ ଦଶନ୍ଧିର ରାଜନୈତିକ ଓ ସାମାଜିକ ଜୀବନରେ କରିଥିବା ଅବଦାନ ସ୍ମରଣୀୟ ହୋଇ ରହିବ । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ ।
ଏହାପରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନବୀନ ନିବାସ ଯାଇଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସର୍ବ ଦଳୀୟ ବୈଠକରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ କରିବାକୁ ସେମାନେ ଯାଇଥିବା କୁହାଯାଇଥିଲା । ଅବଶ୍ୟ ସର୍ବଦଳୀୟ ବୈଠକରେ ନବୀନ ଯୋଗଦେଇ ନ ଥିଲେ ।
ଏହି ସମୁଦାୟ ଘଟଣାକ୍ରମକୁ ନାଟକୀୟ ଦୃଷ୍ଟିଭଙ୍ଗୀରେ ଦେଖିଛନ୍ତି ରାଜନୈତିକ ସମୀକ୍ଷକ । ରାଜ୍ୟ କ୍ରୀଡ଼ା ପୁରସ୍କାରରୁ ବିଜୁବାବୁଙ୍କୁ ନାଁ ହଟାଯାଇ ବିଜ୍ଞପ୍ତି ପ୍ରକାଶ ପାଇବା ଏବଂ ମୁଖ୍ୟମନ୍ତ୍ରୀ ଆଜି ସକାଳେ ଏହା ଗଣମାଧ୍ୟମରୁ ଜାଣିଥିବା କଥାକୁ ସେମାନେ ବିଶ୍ୱାସ କରୁନାହାନ୍ତି । ଯଦି ଏହା ସତ, ତେବେ ମୁଖ୍ୟମନ୍ତ୍ରୀ ଦୁର୍ବଳ ବୋଲି ଲୋକଙ୍କ ପାଖକୁ ବାର୍ତ୍ତା ଯାଉଛି ।
ଅସଲରେ ବିଛା ମନ୍ତ୍ର ନ ଜାଣି ମୋହନ ସରକାର ସାପ ଗାତରେ ହାତ ପୂରାଇଲା ଭଳି କଥା ହୋଇଥିବା ସେମାନଙ୍କର ବିଶ୍ୱାସ । ସମ୍ଭବତଃ ଦିଲ୍ଲୀ ଚାପରେ ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ସାମନାକୁ ଆସିଛନ୍ତି ଏବଂ ନବୀନଙ୍କୁ ସର୍ବଦଳୀୟ ବୈଠକକୁ ଆମନ୍ତ୍ରଣ ବାହାନାରେ ଉପମୁଖ୍ୟମନ୍ତ୍ରୀଙ୍କୁ ଧରି ନବୀନ ନିବାସ ଯାଇଥିଲେ ବୋଲି ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ରାଜନୈତିକ ସମୀକ୍ଷକ କହିଛନ୍ତି ।







