ଭୁବନେଶ୍ୱର: କ୍ଷମତାକୁ ଆସୁ ଆସୁ ପୂର୍ବ ବିଜେଡି ସରକାର ଅମଳର ବିଭିନ୍ନ ଯୋଜନାର ନାଁ, ରଙ୍ଗ ବଦଳେଇବାକୁ ରାଜ୍ୟର ବିଜେପି ସରକାର ପ୍ରାଥମିକତା ଦେଇଛନ୍ତି । ଏହିକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ କୁ ଆଜି ବଦଳେଇ ଦେଇଛନ୍ତି । ଏହାର ନୂଆ ନାଁ ରଖାଯାଇଛି ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ । ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ନୂଆ ନାମକରଣର ବିଜ୍ଞପ୍ତି ପ୍ରକାଶ ସହ ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।
ବିଜେଡି ସରକାର ଅମଳରେ ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ପୁରସ୍କାରର ପ୍ରଚଳନ ହୋଇଥିଲା । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଏହାକୁ ନାମିତ କରାଯାଇଥିଲା । ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସରେ ରାଜ୍ୟର ସଫଳ କ୍ରୀଡ଼ାବିତ୍, କୋଚ୍, କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ା ଅନୁଷ୍ଠାନ ଏହିଭଳି ୫ଟି ବର୍ଗରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଥିଲା ।
ମାତ୍ର ମୋହନ ସରକାର ବିଜୁ ପଟ୍ଟନାୟକଙ୍କ ନାଁଁକୁ ହଟାଇ ତାହାକୁ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନର ନାଁ ଦେବା ସହ ଆହୁରି ୩ଟି ବର୍ଗଙ୍କୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯୋଡା ହୋଇଥିବା ତିନୋଟି ନୂଆ ବର୍ଗ ହେଲା ରାଜ୍ୟର ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍, ବର୍ଷର ଶ୍ରେଷ୍ଠ ସ୍ପୋର୍ଟସ୍ ଟେକନିକାଲ ଅଫିସିଆଲ ଏବଂ ସପୋର୍ଟ ଷ୍ଟାଫ୍ । ନୂତନ ଭାବେ ଗଠନ କରାଯାଇଥିବା ତିନିଟି ବର୍ଗର ପୁରଷ୍କାର ରାଶି ୧ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି ।
ତେବେ ରାଜ୍ୟ କ୍ରୀଡ଼ା ସମ୍ମାନରୁ ବିଜୁବାବୁଙ୍କ ନାଁ ହଟାଇବାକୁ ସୋସିଆଲ୍ ମିଡିଆରେ ଅନେକ ନାପସନ୍ଦ କରିଛନ୍ତି । ଏହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବିଜେପିର ଏହା ଅସୂୟା ମନୋଭାବ ବୋଲି ଚର୍ଚ୍ଚା ହେଉଛି ।
ବିଜେଡିରେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା ଓ ବିରୋଧ କରିଛନ୍ତି । ସେ କହିଛନ୍ତି, ବିଜୁ ବାବୁ ଜଣେ ବ୍ୟକ୍ତି ନୁହଁନ୍ତି । ସେ ଜଣେ ଅନୁଷ୍ଠାନ । କେବଳ ଆମ ଦେଶରେ ନୁହେଁ, କିମ୍ବଦନ୍ତୀ ପୁରୁଷ ବିଜୁ ବାବୁ ତିନୋଟି ଦେଶର ସମ୍ମାନରେ ସମ୍ମାନିତ । ବିଜୁ ବାବୁ ରାଷ୍ଟ୍ରର ସମ୍ପତ୍ତି । ତେଣୁ ତାଙ୍କ ନାଁ କାଟି ରାଜ୍ୟ ସରକାର କେଉଁ ଯଶ ବାନା ଉଡ଼ାଇବେ?
ସେ କହିଛନ୍ତି, ବିଜେପିର ଏପରି ପ୍ରତିହିଂସା ରାଜନୀତି ଠିକ୍ ନୁହେଁ । ବିଜୁବାବୁ ଜଣେ ଦିବଙ୍ଗତ ନେତା ଓ ଓଡ଼ିଶାର ମଉଡ଼ମଣି । ତାଙ୍କୁ ନେଇ ଆମେ ଗର୍ବ କରୁଛୁ । ଯାହାଙ୍କୁ ସବୁ ରାଜନୈତିକ ଦଳ ସମ୍ମାନ କରୁଛନ୍ତି । ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ କାର୍ଯ୍ୟ କରିଛନ୍ତି । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ରହିଛି । ଏଭଳି ନିଷ୍ପତ୍ତିକୁ ବିଜେପି ସରକାର କ୍ଷାନ୍ତ ରହିବାକୁ ଡ. ସାହୁ ଅନୁରୋଧ କରିଛନ୍ତି ।
ବିଜେପିକୁ କଟାକ୍ଷ କରି ସେ ପୁଣି କହିଛନ୍ତି, କାକୁଡ଼ି ଓ ଛୁରୀ ତାଙ୍କର । ତେଣୁ ସେମାନେ ଯେମିତି ପାରିବେ ସେମିତି କାଟିବେ । ବେଳେବେଳେ କାକୁଡ଼ି କାଟିଲା ବେଳେ ମୁଣ୍ଡିଟି ପିତା ଲାଗେ । ତେଣୁ ନୂଆ ସରକାରଙ୍କୁ କିଛି ଅନୁରୋଧ ରହିବ । ଏମିତି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ ଓଡ଼ିଶାବାସୀ ମର୍ମାହତ ହେବେ ।