ଭୁବନେଶ୍ୱର: ବିଜେଡି ଅଫିସ ‘ଶଙ୍ଖ ଭବନ’ ନିର୍ମାଣରେ ହୋଇଥିବା ବେଆଇନ କାରସାଦି ଖବର ରାଜ୍ୟରେ ହଟଚମଟ ସୃଷ୍ଟି କରିଛି । ଏହି ସମୁଦାୟ ପ୍ରକ୍ରିୟା ଏବଂ ବେଆଇନ କାରସାଦି ଉପରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ଆଜି ‘ମିଡଡେ ଓଡ଼ିଶା’ ପ୍ରକାଶ କରିଥିଲା । ଏହି ଖବରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଶଙ୍ଖ ଭବନ ନିର୍ମାଣର ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇଛନ୍ତି ।
ଶ୍ରୀ ପୂଜାରୀ କହିଛନ୍ତି, ପୂର୍ବ ସରକାରରେ ଅଫିସରମାନଙ୍କ ରାଜତ୍ୱ ଚାଲିଥିଲା । ସେମାନେ ଯାହା ଚାହୁଁଥିଲେ, ସେୟା କରୁଥିଲେ । ରାଜନୈତିକ ଲୋକମାନେ ଚଉକି ଲଗାଉଥିଲେ, ଆଉ ଅଫିସରମାନେ ଚଉକିରେ ବସି ଭାଷଣ ଦେଉଥିଲେ । ଯେତେ ଭୁଲ୍ କରିଛନ୍ତି ଜାଣି ଜାଣି କରି ଭୁଲ୍ କରିଛନ୍ତି ଏବଂ ଓଡ଼ିଶାକୁ କ୍ଷତିରେ ପକାଇଛନ୍ତି । ଶଙ୍ଖ ଭବନକୁ ନେଇ ଯେଉଁ ଖବର ଆସୁଛି ତାହା ଉପରେ ତଦନ୍ତ ହେବ ଏବଂ ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ରାଜସ୍ୱମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏ ସଂକ୍ରାନ୍ତୀୟ ତଥ୍ୟ ଓ ସତ୍ୟକୁ ଫାଙ୍କିବାକୁ ଉଦ୍ୟମ କରିଛି । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ରାଜସ୍ୱମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେବାକୁ ଯାଇ କହିଛନ୍ତି ଯେ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ଯେଉଁ ଜମି ଉପରେ ନିର୍ମାଣ ହୋଇଛି, ତାହା ସମ୍ପୂର୍ଣ୍ଣ ଆଇନ ସମ୍ମତ ଭାବେ ବିଜୁ ଜନତା ଦଳକୁ ଆବଣ୍ଟନ କରାଯାଇଛି ।
ତାଙ୍କର ସଫେଇ ହେଉଛି, ଏହି ଆବଣ୍ଟନ ବେଞ୍ଚ ମାର୍କ ଭାଲୁ୍ୟ ଆଇନ ଆଧାରରେ କରାଯାଇଛି । ମୌଜା ଗଙ୍ଗନଗର, ୟୁନିଟ୍ ୬, ତହସିଲ-ଭୁବନେଶ୍ୱର, ଖାତା ନମ୍ବର ୧୧୨, ପ୍ଲଟ୍ ନଂ ୭୯୭ ପାର୍ଟ, ୭୯୮ ପାର୍ଟ, ୮୦୦, ୭୯୭/୮୪୯ରେ ଥିବା ପ୍ଲଟଗୁଡ଼ିକୁ କମ୍ପାକ୍ଟ ପାର୍ସଲରେ ପଟା ଦିଆଯାଇଛି । ଗଙ୍ଗନଗର ଅଞ୍ଚଳର ୨୦୨୧ ମସିହାର ବେଞ୍ଚ ମାର୍କ ଭାଲ୍ୟୁ ଅନୁସାରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇଥିବା ପରିମାଣକୁ ବିଜେଡି ଦ୍ୱାରା ପୈଠ କରାଯାଇଥିଲା ।
ମୁୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ବିଜେଡିର ସାଂଗଠନିକ ସମ୍ପାଦକଙ୍କ ଆବେଦନ ଅନୁଯାୟୀ ବିଜେଡି ଅଫିସ ପାଇଁ ୧ ଏକର ୧୮୩ ଡିସିମିଲି ଜମି ପ୍ରଦାନ କରାଯାଇଥିଲା । ସେହି ଉଚ୍ଚସ୍ତରୀୟ କମିଟି ବୈଠକରେ ବିଜେପି ଅଫିସ ପାଇଁ ଖାରବେଳ ନଗରରେ ୧ ଏକର ୨୬୯ ଡିସିମିଲି ଜମି ପ୍ରଦାନ କରାଯାଇଥିଲା । ବିଜେଡିକୁ ପ୍ରଦାନ କରାଯାଇଥିବା ଦୁଇଟି କ୍ୱାର୍ଟର ଭିତରେ କଞ୍ଜରଭାନ୍ସି ଲେନ୍ ବା ଉପଗଳିକୁ ଓଜିଏଲଏସ ରୁଲ୍ ୮ ଉପଧାରା ୪ ଅନୁଯାୟୀ ଇନଷ୍ଟିଚ୍ୟୁସନାଲ୍ ରେସିଡେନ୍ସି ନିୟମରେ ଆବଣ୍ଟନ କରାଯାଇଛି । ଏହି ଦୃଷ୍ଟିରୁ ଦୁଇଟି କ୍ୱାର୍ଟର୍ ମଝିରେ ଥିବା ଉପଗଳିକୁ ସଡ଼କ କହିବା ଭୁଲ୍ ବୋଲି ଶ୍ରୀ ମିଶ୍ର ସଫେଇ ଦେଇଛନ୍ତି ।
ସେହିଭଳି ଶଙ୍ଖ ଭବନ ଜାଗାର ଆବେଦନକାରୀ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ଏହି ଖବର ଉପରେ ଟୁଇଟ୍ କରି ସମାନ କଥା କହିଛନ୍ତି । ଜମି ଆବଣ୍ଟନ ପାଇଁ ବିଧି ଅନୁଯାୟୀ ବିଜେଡି ଆବେଦନ କରିଥିଲା ଏବଂ ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଦିଆଯାଇଥିଲା, ତାକୁ ଅନୁପାଳନ ମଧ୍ୟ କରିଥିଲା । ଏଥିରେ କୌଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନାହିଁ ବୋଲି ସେ ପୁଣି ସଫେଇ ଦେଇଛନ୍ତି ।
ତେବେ ‘ମିଡଡେ ଓଡ଼ିଶା’ ରେ ଦିଆଯାଇଥିବା ତଥ୍ୟର ସାମନା କରିବା ବଦଳରେ ସେ ମଧ୍ୟ ରାଜସ୍ୱମନ୍ତ୍ରୀଙ୍କ ମନ୍ତବ୍ୟକୁ ଟାର୍ଗେଟ୍ କରି ମୂଳ ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି । ନୂଆ ମନ୍ତ୍ରୀ ହୋଇଥିବା ଶ୍ରୀ ପୂଜାରୀ ସମସ୍ତ ତଥ୍ୟ ସଂକ୍ରାନ୍ତରେ ଅବଗତ ନ ହୋଇ ଗଣମାଧ୍ୟମ ସାମ୍ନାକୁ ଆସି ମନଇଚ୍ଛା ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରକୃତ ଘଟଣା କ’ଣ ତାହା ଆମେ ମୂଳ ଖବରରେ ତଥ୍ୟ ପ୍ରମାଣ ସହ ପ୍ରଦାନ କରିଛୁ । ସରକାରୀ ନଥିପତ୍ର ଆଧାରରେ ହିଁ ଏହି ଖବର ପ୍ରକାଶ କରିଛୁ । ବିଜେଡି ରାଜନୈତିକ ଦୃଷ୍ଟିରୁ ରାଜସ୍ୱମନ୍ତ୍ରୀଙ୍କୁ ଟାର୍ଗେଟ୍ କରିପାରନ୍ତି, ମାତ୍ର ଶଙ୍ଖ ଭବନକୁ ନେଇ ଦିଆଯାଇଥିବା ତଥ୍ୟ ଉପରେ ବିଭ୍ରାନ୍ତିକର ମନ୍ତବ୍ୟରୁ କ୍ଷାନ୍ତ ହେବା ଦରକାର ।
ଦେବୀ ମିଶ୍ର କିସମ ସଡ଼କକୁ ଉପଗଳି ଦର୍ଶାଇ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି । ଦେବୀ ବାବୁଙ୍କ ଭଳି ଜଣେ ବରିଷ୍ଠ ନେତା ଏହା କହି ଲୋକଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ । କାରଣ ଉଭୟ ପକ୍ଷ ( ବିଜେଡି ଏବଂ ସାଧାରଣ ପ୍ରଶାସନ ବିଭାଗ)ଙ୍କ ଦସ୍ତଖତରେ ହୋଇଥିବା ଲିଜ୍ ଡିଡ୍ ରେ ସଂପୃକ୍ତ ଜାଗା ୭୯୮(ପାର୍ଟ)ଟିର କିସମ ସଡ଼କ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି । ସରକାରଙ୍କ ଆଲଟ୍ମେଣ୍ଟ ଅର୍ଡରରେ ମଧ୍ୟ ସମାନ ତଥ୍ୟ ରହିଛି । ବିଜେଡି ପକ୍ଷରୁ ଆବେଦନକାରୀ ପ୍ରଣବ ପ୍ରକାଶ(ବବି) ଦେଇଥିବା ଆଫିଡେଭିଟ୍ ରେ ବି ଜାଗାର କିସମ ସଡ଼କ ବୋଲି ଉଲ୍ଲେଖ ରହିଛି । ଦେବୀ ବାବୁ ସଂପୃକ୍ତ ଜାଗାକୁ ଉପଗଳି ଦର୍ଶାଉଥିବାରୁ ତାହାହେଲେ ଲିଜ୍ ଡିଡ୍, ଆଲଟମେଣ୍ଟ ଅର୍ଡର ଏବଂ ଆଫିଡେଭିଟ୍ କ’ଣ ଭୁଲ୍?

ସେହିଭଳି ୧୦୦ କୋଟିର ସମ୍ପତ୍ତିକୁ ୧୨ କୋଟିରେ ଦିଆଯିବା କ’ଣ ମିଛ? ଏକ ବେସରକାରୀ ଅନୁଷ୍ଠାନକୁ ସରକାରୀ ଜମି ଲିଜ୍ ପ୍ରଦାନରେ ବେଞ୍ଚ ମାର୍କ ଭାଲୁ୍ୟ ଲାଗୁ ହେବା ଆଇନସମ୍ମତ କି? ଓଡ଼ିଶା ଲ୍ୟାଣ୍ଡ ସେଟଲମେଣ୍ଟ(ସେକେଣ୍ଡ ଆମେଣ୍ଡମେଣ୍ଟ), ରୁଲ୍ ୨୦୨୦ର ଧାରା-୫(୨) ତାହାହେଲେ କ’ଣ? କ୍ୱାର୍ଟର୍ସ ମୂଲ୍ୟାଙ୍କନ ଆର ଆଣ୍ଡ ବି ଏକଜ୍ୟୁଟିଭ୍ ଇଞ୍ଜିନିୟରଙ୍କ ଦ୍ୱାରା ହେବା ଆଇନସିଦ୍ଧ କି? ସରକାରଙ୍କ ବିନା ଅନୁମୋଦନରେ ସଂପୃକ୍ତ ଜାଗାର ମୂଲ୍ୟ ନିର୍ଦ୍ଧାରଣ ହୋଇନାହିଁ କି? ଧାର୍ଯ୍ୟ ମୂଲ୍ୟରେ ବିଜେଡିକୁ ପ୍ଲଟ୍ ଦିଆଯିବ ନା ନାହିଁ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଫାଇଲ୍ ପଠା ଯାଇଥିଲା କି?
ବିଜେଡି ଏହାର ଉତ୍ତର ରଖୁ ।








ଏଭଳି ଏକ ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିବାରୁ ମୁଁ ପ୍ରଥମେ MID-DAY ଓଡ଼ିଶା ପୋର୍ଟାଲ କୁ ସାଧୁବାଦ୍ ଦେବୀ।ଯେଉଁ ମାନେ ଏହାକୁ ଘୋଡାଇ ପକାଇବାକୁ ଚାହାନ୍ତି ସେମାନଙ୍କ ଅବଗତି ନିମନ୍ତେ ଏଠାରେ କିଛି ବାସ୍ତବ ତଥ୍ୟ ଉପସ୍ଥାପନା ଜରୁରୀ।ପ୍ରଥମେ,BJD ସରକାର ସମୟରେ ନବୀନ ବାବୁଙ୍କ ଭାବମୂର୍ତ୍ତି କୁ ଚକ୍ ଚକ୍ କରିବା ପାଇଁ ହଠାତ୍ ତତ୍କାଳୀନ ରାଜସ୍ବ ସଚିବ TARADATTA ଙ୍କ ନେତୃତ୍ୱରେ ଏକ TASK -FORCE ଗଠନ କରି ରାଜ୍ୟର ପ୍ରାୟ ୧୦ ହଜାର ସାଧାରଣ ନାଗରିକଙ୍କର ଘର ଓ ଜାଗର ଆବଣ୍ଟନ ରଦ୍ଦ କରିଦିଆଗଲା।କାରଣ ଥିଲା ସେଗୁଡିକ ଲଟେରୀ କିମ୍ବା AUCTION ମାଧ୍ୟମରେ ALLOT କରାଯାଇନାହିଁ।ତେଣୁ ପ୍ରଶ୍ନ ଉଠେ,ଆଜି ଯେଉଁ ଜାଗା ଓ ଘରକୁ ନେଇ ଶଙ୍ଖ ଭବନ ତିଆରି ହୋଇଛି ତାହା କଣ ଲଟେରୀ କି AUCTION ମାଧ୍ୟମରେ ଦିଆ ଯାଇଛି କି??ସାଧାରଣ ଜନତାଙ୍କ ଲାଗି ଗୋଟିଏ ନିୟମ ଆଉ BJD ଦଳ ପାଇଁ ଆଉ ଗୋଟିଏ ନିୟମ!!ଦ୍ଵିତୀୟରେ,ନିଜେ BJD ସରକାର ତାଙ୍କର ODISHA LAND SETTLEMENT (2nd Amendment) Rule -2020 Clause 5(2) ରେ ନିୟମ କରିଛନ୍ତି ଯେ ସରକାରୀ ଜାଗାର ମୂଲ୍ୟ Market Price ମାଧ୍ୟମରେ ନିର୍ଣ୍ଣୟ କରାଯିବ।Market Price କଣ ଆଉ ଏହା କିପରି BMV ଠାରୁ ଭିନ୍ନ ତାହା ମଧ୍ୟ ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି।କିନ୍ତୁ ଏହାକୁ SUPRESS କରି BMV ରେ କାହିଁକି ଲ୍ୟାଣ୍ଡ ଦିଆଗଲା??BMV ଠାରୁ ବହୁଗୁଣ ଅଧିକ ହେଉଛି Market Price।ପୁନଶ୍ଚ 6 R କ୍ୱାର୍ଟର ଗୁଡ଼ିକ ମାତ୍ର 8 ଲକ୍ଷ୍ୟ ରେ ହିସାବକୁ ନିଆଯାଇଛି।କିନ୍ତୁ BJD କୁ ALLOTMENT ର ବର୍ଷକ ପୂର୍ବରୁ ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ପ୍ରାୟ 30 ଲକ୍ଷ୍ୟ ଖର୍ଚ୍ଚ ହୋଇଛି।ତେଣୁ ଏହା କି ହିସାବ।ଏହିପରି ଭାବରେ ଯଦି ମାର୍କେଟ PRICE ଓ କ୍ୱାର୍ଟର ଗୁଡ଼ିକର ପ୍ରକୃତ ମୂଲ୍ୟ ହିସାବ ହୁଏ ତେବେ ଏହା ନିଶ୍ଚିନ୍ତ 100 କୋଟି ରୁ ଉର୍ଦ୍ଧ୍ ହେବ,ଏଥିରେ ସନ୍ଦେହ ନାହିଁ।କିନ୍ତୁ ଶାଗ ମାଛ ଦର୍ ଭଳି ମାତ୍ର 12 କୋଟି ରେ ଚଞ୍ଚକତା କରି ଗୋଟିଏ ସରକାରରେ ଥିବା ଦଳ ନେଇଯିବା ରାଜ୍ୟବାସୀଙ୍କ ବିଶ୍ୱାସ ପ୍ରତି କୁଠାରାଘାତ ସଦୃଶ।ପୁନଶ୍ଚ କ୍ୱାର୍ଟର ଗୁଡ଼ିକ ମଧ୍ୟରେ ଥିବା ରାସ୍ତାଗୁଡିକ,ଯେଉଁ ଗୁଡ଼ିକର କିସମ ମଧ୍ୟ ରାସ୍ତା,ଯାହାକି ସର୍ବସାଧାରଣ ଙ୍କ ଲାଗି ଉଦ୍ଧିଷ୍ଟ ସେଗୁଡିକୁ ମଧ୍ୟ ମିଶାଇ ଶଙ୍ଖ ଭବନ ନିର୍ମାଣ କରାଯାଇଛି।ଯାହାକି ଅତ୍ୟନ୍ତ ବେଆଇନ।R I ଅମିନ ମାନଙ୍କ ଦ୍ଵାରା ଜାଗାର ମୂଲ୍ୟ ନିର୍ଧାରଣ କରାଯାଇ ସରକାରଙ୍କର ବିନା ମଞ୍ଜୁରିରେ ନେଇଯିବା କେତେଦୂର ଯଥାର୍ଥ??CAPITAL HOSPITAL ର ମେଡିକାଲ କଲେଜ ଓ ସମ୍ପ୍ରସାରଣ ଲାଗି ଉକ୍ତ ଜାଗାକୁ କତୃପକ୍ଷ ମାଗିଥିଲେ ମଧ୍ୟ ତାକୁ ନାକଚ କରି ଦିର୍ଘ୍ ବର୍ଷ କ୍ଷମତାରେ ଥିବା ଗୋଟିଏ ଦଳ ତାର ପାର୍ଟି ଅଫିସ ଲାଗି ନେଇଯିବା ରାଜ୍ୟବାସୀଙ୍କ ପ୍ରତି ବେଇମାନି ଓ ଧୋକାଧଡ଼ି।ତେଣୁ ଉକ୍ତ ALLOTMENT ର ସମସ୍ତ ପ୍ରକ୍ରିୟା କୁ ଗୋଟିଏ INDEPENDENT AGENCY ଦ୍ଵାରା ତଦାରଖ କରାଯାଇ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ସେ ଜାଗାକୁ CAPITAL HOSPITAL କୁ ଦିଆଗଲେ ରାଜ୍ୟବାସୀ ଉପକୃତ ହେବେ।