ଭୁବନେଶ୍ୱର: ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନ ଭୁବନେଶ୍ୱରରେ ପହଞ୍ଚିଛି । ଏହାର ତିନି ଅଂଶ ତିନିଟି ବଡ଼ ଲରିରେ ଲଦା ହୋଇ ଗତକାଲି ରାତିରେ କୋଲକତା ବିମାନବନ୍ଦରରୁ ବାହାରିଥିଲା । ଆଜି ସଂଧ୍ୟା ପାଖାପାଖି ସାଢ଼େ ୬ଟା ବେଳେ ଏହା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଏଥିସହ ଡାକୋଟାକୁ ନେଇ ଓଡ଼ିଶାବାସୀଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି ।
ଅନେକ ଐତିହାସିକ ଘଟଣାର ମୁକସାକ୍ଷୀ ଏବଂ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାହାସର ସନ୍ତକ ଏହି ଡାକୋଟା ବିମାନଟି ଭଙ୍ଗା ଦଦରା ଅବସ୍ଥାରେ କୋଲକତା ବିମାନବନ୍ଦରରେ ଦୀର୍ଘ ୫୦ ବର୍ଷ ଧରି ପଡ଼ି ରହିଥିଲା । ଓଡ଼ିଶାକୁ ଏହା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ବର୍ଷ ତଳୁ ଉଦ୍ୟମ ଆରମ୍ଭ ହୋଇଥିଲା । ବହୁ ବାଦ ବିବାଦ ପରେ ଉଦ୍ୟମ ଶେଷରେ ସଫଳ ହୋଇଛି ।
ଏରୋସ୍ପେସ୍ ରିସର୍ଚ୍ଚ ଡେଭେଲପମେଣ୍ଟର ୧୦ ଜଣିଆ ଟିମ୍ ୧୨ ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲିବା ପରେ ଏହାକୁ କାଠ ବାକ୍ସରେ ପ୍ୟାକିଂ କରାଯାଇଥିଲା । ଏହାର ଫ୍ୟାନ୍ ଗୁଡ଼ିକୁ ଗୋଟିଏ ଲରିରେ ରଖାଯାଇଥିଲା ବେଳେ ଇଂଜିନକୁ ଏବଂ ବଡିକୁ ଅନ୍ୟ ଦୁଇ ଲରିରେ ଲଦା ଯାଇ ଭୁବନେଶ୍ୱର ଅଣାଯାଇଥିଲା ।
ଏହି ଡାକୋଟା ବିମାନକୁ ବିଜୁ ପଟ୍ଟନାୟକ ବିମାନବନ୍ଦର ସମ୍ମୁଖରେ ରଖିବା ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧.୧ ଏକର ଜମି ଯୋଗାଇ ଦେଇଛନ୍ତି । ଟର୍ମିନାଲ-୧ ସମ୍ମୁଖରେ ଏହି ଜମି ମିଳିଥିବା ବେଳେ ଏଠାରେ ବିମାନଟିକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ । ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରିବେ ।
ସୂଚନାଯୋଗ୍ୟ, ୧୯୪୪ ମସିହା ଫେବ୍ରୁଆରୀ ମାସରେ ଡାକୋଟା ପ୍ରଥମ ଥର ଲାଗି ଉଡ଼ାଣ କରିଥିଲା । ଏହି ବିମାନ ସହ ବିଜୁ ବାବୁଙ୍କର ଅନେକ ସ୍ମୃତି ଜଡ଼ିତ । ବିଜୁ ବାବୁ ଏହି ବିମାନରେ ଇଣ୍ଡୋନେସିଆ ଉଡ଼ି ଡଚ୍ ଶାସକଙ୍କ ଦୃଢ଼ ସୁରକ୍ଷା କବଳରୁ ଦେଶର ପ୍ରଧାନମନ୍ତ୍ରୀ ସାହରିଆର ଏବଂ ଉପରାଷ୍ଟ୍ରପତି ହାଟ୍ଟାଙ୍କୁ ଉଦ୍ଧାର କରିଥିଲେ । ବିଜୁ ବାବୁଙ୍କର ଅନେକ ଦୁଃସାହିକ କାର୍ଯ୍ୟର ମୁକସାକ୍ଷୀ ଥିଲା ଡାକୋଟା । ବିଜୁ ବାବୁଙ୍କ ଦ୍ୱାରା ସ୍ଥାପିତ କଳିଙ୍ଗ ଏୟାର ଲାଇନସ୍ ଅଧୀନରେ ଚାଲୁଥିଲା ଡାକୋଟା ବିମାନ । ୧୯୫୩ ମସିହାରେ ଇଣ୍ଡିଆନ୍ ଏୟାର ଲାଇନ୍ସ ସହ କଳିଙ୍ଗ ଏୟାର ଲାଇନ୍ସ ମିଶି ଯାଇଥିଲା ।