ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟରେ ଲୋକେ ଖୁସି । ‘ମୋ ସରକାର’ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଏହି ଫିଡବ୍ୟାକ୍ ସଂଗ୍ରହ କରିଛନ୍ତି । ସମସ୍ତ ବିଭାଗର ସାମଗ୍ରିକ ପ୍ରଦର୍ଶନ ଦୃଷ୍ଟିରୁ ୯୪.୯ ପ୍ରତିଶତ ଫିଡବ୍ୟାକ୍ ଆଉଟଷ୍ଟାଣ୍ଡିଂ ବା ସର୍ବୋତ୍ତମ ରହିଥିବା କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ବେଳେ ଏହି ସୂଚନା ଆସିଛି । ବୈଠକର ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ୩୧ ଟି ବିଭାଗର ୨୬୩ ଟି ସେବା ମୋ ସରକାର ଅଧୀନକୁ ଆସିଛି । ଆଜି ପର୍ଯ୍ୟନ୍ତ ସମୁଦାୟ ୩.୭୭ କୋଟି ଫିଡବ୍ୟାକ୍ ସଂଗ୍ରହ କରାଯାଇଛି । ମୋ ସରକାରର ୧୧ଟି ପାରାମିଟରରୁ ୯ଟି ପାରାମିଟରରେ ଉନ୍ନତି ଆସିଛି । ସମସ୍ତ ବିଭାଗର ସାମଗ୍ରିକ ପ୍ରଦର୍ଶନ ଦୃଷ୍ଟିରୁ ୯୪.୯ ପ୍ରତିଶତ ଫିଡବ୍ୟାକ୍ ସର୍ବୋତ୍ତମ ରହିଛି ।
ସ୍ୱାସ୍ଥ୍ୟ ବିଭାଗର ପ୍ରଦର୍ଶନ ସର୍ବୋତ୍ତମ ବୋଲି କୁହାଯାଇଛି । ବିଶେଷକରି ସରକାରୀ ଡାକ୍ତରଖାନାମାନଙ୍କରେ ମିଳୁଥିବା ସେବାରେ ଲୋକେ ବହୁତ ଖୁସି । ୯୯ ପ୍ରତିଶତରୁ ଅଧିକ ମତ ହେଉଛି ‘ଉତ୍ତମ’ । ବେସରକାରୀ ଡାକ୍ତରଖାନା ଗୁଡ଼ିକରେ ୯୮ ପ୍ରତିଶତ ଫିଡବ୍ୟାକ୍ ‘ଉତ୍ତମ’ ରହିଛି । ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଫିଡବ୍ୟାକ୍ ନିଆଯାଇଛି ।
ସେହିଭଳି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୯୬ ପ୍ରତିଶତ, ରାଜସ୍ୱ ବିଭାଗର ୯୮ ପ୍ରତିଶତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୯୨ ପ୍ରତିଶତ ଫିଡବ୍ୟାକ୍ ‘ଉତ୍ତମ’ ରହିଛି । ମିଶନ ଶକ୍ତି ବିଭାଗ ଅପେକ୍ଷାକୃତ ନୂତନ ବିଭାଗ ହୋଇଥିବାରୁ ଏହାର ଫିଡବ୍ୟାକ୍ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଥିବା କୁହାଯାଇଛି ।
ତେବେ ସବରେଜିଷ୍ଟର ଅଫିସ, ବିଲଡିଂ ପ୍ଲାନ୍ ଅନୁମୋଦନ, ବିଲ୍ ପ୍ରଦାନ, ଜାତିଗତ ପ୍ରମାଣପତ୍ର ଆଦି ପ୍ରଦାନ କ୍ଷେତ୍ରରେ ସମସ୍ୟା ରହୁଛି ବୋଲି ଫିଡବ୍ୟାକ୍ ରୁ ଜଣାଯାଇଛି । ଏସବୁ କ୍ଷେତ୍ରରେ ଅଧିକ ପାରଦର୍ଶିତାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସାମଗ୍ରିକ ଭାବେ ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ୍ ସଂଗ୍ରହ ସହିତ ବିଭିନ୍ନ ବିଭାଗ ସେମାନଙ୍କ ଡାଟାବେସ୍ କୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଏ ସମ୍ପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କହିଥିଲେ ଯେ ସରକାରୀ ସେବା ପାଉଥିବା ବିଭିନ୍ନ ଲୋକଙ୍କଠାରୁ ମତାମତ ଗ୍ରହଣ କରି ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ଜାଣିବା ଏବଂ ତଦନୁଯାୟୀ ପଦକ୍ଷେପ ନେବା ହେଉଛି ମୋ ସରକାରର ଲକ୍ଷ୍ୟ । ଏଥିରେ ଫିଡବ୍ୟାକ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ।
ଯେମିତି କି ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ପେନସନ୍ କ୍ଷେତ୍ରରେ ବ୍ୟବସ୍ଥାଗତ ସମସ୍ୟା ରହିଛି । ତେଣୁ ଏହାର ନିରାକରଣ ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଆଗକୁ ଏ ସମ୍ପର୍କରେ ଅଧିକ ଆଲୋଚନା କରାଯାଇ ବ୍ୟବସ୍ଥାଗତ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ମୋ ସରକାର କାର୍ଯ୍ୟକ୍ରମ ଯୋଗୁଁ ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଆସିଥିବା ଏବଂ ଫିଡବ୍ୟାକ୍ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଥିବା କହିଥିଲେ ।
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ପ୍ରମୁଖ ସଚିବ, ମିଶନ ଶକ୍ତି ବିଭାଗର କମିସନର ତଥା ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ନିଜ ନିଜ ବିଭାଗର ମୋ ସରକାର ତଥ୍ୟ ଉପସ୍ଥାପନ କରିଥିଲେ ।
ଇଲେକ୍ଟଟ୍ରୋନିକସ୍ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମୋ ସରକାର କାର୍ଯ୍ୟକ୍ରମର ସାମଗ୍ରିକ ତଥ୍ୟ ଉପସ୍ଥାପନ କରିଥିଲେ ।