ରାଉରକେଲା/ଭୁବନେଶ୍ୱର: ରାଉରକେଲାଠାରେ ନବନିର୍ମିତ ହକି ଷ୍ଟାଡିୟମ୍ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ ଏହି ଷ୍ଟାଡିୟମ୍ ବିଶ୍ୱର ସର୍ବବୃହତ୍ତ ହକି ଷ୍ଟାଡିୟମ୍ ବୋଲି କୁହାଯାଇଛି । ଏଥିରେ ୨୦ ହଜାରରୁ ଅଧିକ ଦର୍ଶକ ବସିପାରିବେ । ୨୬୧ କୋଟି ଟଙ୍କା ଖର୍ଚ୍ଚରେ ରେକର୍ଡ ୧୫ ମାସରେ ଏହି ଷ୍ଟାଡିୟମ୍ ନିର୍ମିତ ହୋଇଛି ।

ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଥିବା ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଏବଂ ଏହି ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ଖେଳାଯିବ । ବିଶ୍ୱକପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳୀଙ୍କୁ ୧ କୋଟି ଟଙ୍କା ଦିଆଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ହକି ଷ୍ଟାଡିୟମ୍ ର ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣ ଓ କ୍ରୀଡ଼ାପ୍ରେମୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଓଡ଼ିଶାର ସମଗ୍ର ଦେଶକୁ ଶ୍ରେଷ୍ଠ ଉପହାର । ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ଼ ଶକ୍ତି ଭାବରେ ଗଢ଼ି ତୋଳିବ । ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ବଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ସ୍ୱର୍ଣ୍ଣକ୍ଷେତ୍ର ସୁନ୍ଦରଗଡ଼ରେ ଆଜି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ୍ ଓଡ଼ିଶା ମାଟିର ଗୌରବ ଗାନ କରୁଛି । ଏହି ଷ୍ଟାଡିୟମ୍ ସାରା ବିଶ୍ୱ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇ ରହିବ ଏବଂ ଦେଶର ପ୍ରମୁଖ ଟିମ୍ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ । ଆମର ଏହି ଉଦ୍ୟମ ଦେଶର ଯୁବ ଖେଳାଳୀମାନଙ୍କୁ ପ୍ରେରଣା ଦେବ । ଦେଶରେ ଅନେକ ଚମ୍ପିଆନ୍ ସୃଷ୍ଟି କରିବ ଏବଂ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରିଚାଲିବ । ଏହା ଭାରତୀୟ ହକିର ଏନ୍ତୁଡ଼ିଶାଳା ହୋଇ ରହିବ ବୋଲି କହିଥିଲେ ।








