ଭୁବନେଶ୍ୱର: ସିବିଆଇ, ଇଡି ଭଳି କେନ୍ଦ୍ରୀୟ ସଂସ୍ଥାକୁ କେନ୍ଦ୍ର ସରକାର ନିଜର ସ୍ୱାର୍ଥ ପାଇଁ ବିରୋଧୀଙ୍କ ପଛରେ ଲଗାଇବା ଅଭିଯୋଗ ବହୁ ପୁରୁଣା । ମୋଦି ସରକାର ଅମଳରେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ମାତ୍ରାଧିକ ହୋଇଯାଇଥିବା ଅଭିଯୋଗ ମଧ୍ୟ ପୁରୁଣା ହୋଇଗଲାଣି । ସମସ୍ତଙ୍କ ଆଖିରେ ଆଙ୍ଗୁଠିି ଗେଞ୍ଜି ଏହି ଅଭିଯୋଗକୁ ବିଜେପି ନେତାମାନେ ଅସ୍ୱୀକାର କରିବା ମଧ୍ୟ ଦେହସୁହା ହୋଇଗଲାଣି । ତେବେ ନୂଆ କରି କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଥିବା ବିଶ୍ୱେଶ୍ୱର ଟୁଡୁ ଏହି ମାମଲାରେ କିନ୍ତୁ ନିଜର ସାହସିକତା ଦେଖାଇଛନ୍ତି । ସିବିଆଇ, ଇଡି ଚଢ଼ଉ ହୋଇ ୨୦୨୩ ବେଳକୁ ବିଜେଡି ସଫା ହୋଇଯିବ ବୋଲି ସେ ଧମକ ଦେଇଛନ୍ତି ।
ଶୁକ୍ରବାର ଦିନ ଶ୍ରୀ ଟୁଡୁ ନିଜ ଜିଲ୍ଲା ମୟୁରଭଞ୍ଜର କପ୍ତିପଦାଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗ ଦେଇଥିଲେ । ବୈଠକ ସରିଲା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଖୁବଶୀଘ୍ର ରାଜ୍ୟରେ ସିବିଆଇ, ଇଡି ଚଢ଼ଉ ହେବ ଆଉ ୨୦୨୩ ସୁଦ୍ଧା ରାଜ୍ୟରୁ ବିଜେଡି ସଫା ହୋଇଯିବ । ଆସନ୍ତା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରି ଓଡ଼ିଶାରେ ସରକାର ଗଢ଼ିବ ବୋଲି ସେ ଦମ୍ଭ ଦେଖାଇଥିଲେ ।
ଟୁଡୁ ଯେଉଁ ସମୟରେ ଏହି ପ୍ରତିକ୍ରିୟା ରଖୁଥିଲେ ସେତିକିବେଳେ ଆଉ ୪ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ଚୌବେ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ ମଧ୍ୟ ଓଡ଼ିଶାରେ ବୁଲୁଥିଲେ । ମନ୍ତ୍ରୀମାନେ ପୃଥକ୍ ଭାବେ ଭୁବନେଶ୍ୱର, କଟକ, ଯାଜପୁର ଆଦି ଜାଗାରେ ଦଳୀୟ ସାଂଗଠନିକ ସ୍ଥିତିର ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟ ସମ୍ପର୍କରେ ସମୀକ୍ଷା କରୁଥିଲେ । ମାତ୍ର ନିଜ ଜନ୍ମମାଟିରେ ଦଳୀୟ କର୍ମକର୍ତ୍ତାଙ୍କ ଗହଣରେ ଅତ୍ୟଧିକ ଉତ୍ସାହିତ ହୋଇପଡ଼ିଥିଲେ ବିଶ୍ୱେଶ୍ୱର । ନିଜ ଜିଲ୍ଲା ମୟୁରଂଭଜରେ ଦଳକୁ ସମ୍ଭାଳି ପାରୁ ନ ଥିବା ଟୁଡୁ ସିବିଆଇ ନାଁ କହି ଓଡ଼ିଶାରେ ବିଜେପି ସରକାର ଗଢ଼ିବାର ଦମ୍ଭ ଦେଖାଇଥିଲେ ।
ସମସ୍ତଙ୍କର ମନେ ଅଛି, ଓଡ଼ିଶାରେ ଗତ ସାଧାରଣ ନିର୍ବାଚନ ପ୍ରଚାର ବେଳେ ଆଜିର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଜେଡି ସରକାର ଉପରେ ଧୂମ୍ ବର୍ଷିଥିଲେ । ଦୁର୍ନୀତିରେ ଲିପ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି ସବୁ ସଭାରେ ଧମକ ଦେଇଥିଲେ । ମାତ୍ର ବିଜେଡିକୁ ଗାଳିମନ୍ଦ ଏବଂ ଧମକ ଦେଇ ଭୋଟରଙ୍କୁ ମନେଇ ପାରିଲେ ନାହିଁ । ରାଜ୍ୟରେ କ୍ରମାଗତ ପଞ୍ଚମ ଥର ବିଜେଡ଼ି ଏବଂ କେନ୍ଦ୍ରରେ କ୍ରମାଗତ ଦ୍ୱିତୀୟ ଥର ବିଜେପିକୁ କ୍ଷମତାକୁ ଆସିବା ପରେ ବରଂ ଉଭୟଙ୍କ ସମ୍ପର୍କ ମଧୁର ହୋଇଛି । ଅଢ଼େଇ ବର୍ଷ ପରେ ଗୃହମନ୍ତ୍ରୀ ଭାବେ ଅମିତ ଶାହା ଗତ ମାସରେ ଓଡ଼ିଶା ଆସିଥିଲେ । ତାଙ୍କର ଆଭିମୁଖ୍ୟ ବଦଳିଛି । ସଂଗଠନ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଶ୍ରୀ ଶାହା ଓଡ଼ିଶା ଗସ୍ତ ସାରି ଫେରିବାର ଦିନକ ପରେ ସୁନୀଲ ବଂଶଲଙ୍କୁ ଓଡ଼ିଶା ଦାୟିତ୍ୱ ଦେଇଥିଲେ ଏବଂ କିଛି ଦିନ ତଳେ ଶ୍ରୀ ବଂଶଲ ଓଡ଼ିଶା ଆସି ଦଳକୁ ମଜବୁତ କରିବା ପାଇଁ ତିନି ମାସର ଖସଡ଼ା ପ୍ରସ୍ତୁତ କରି ଫେରିଛନ୍ତି । ନବୀନ ପଟ୍ଟନାୟକ କି ତାଙ୍କ ବିଜେଡିକୁ ସିଧାସଳଖ ଆକ୍ରମଣ ବିଜେପି ପାଇଁ ବୁମେରାଂ ହେଉଥିବାରୁ ରଣନୀତି ବଦଳାଇଛି । ବୁଥ୍ ସ୍ତରରୁ ସଂଗଠନକୁ ମଜବୁତ କରିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
ଏହି କ୍ରମରେ ଦୁଇ ଦିନରେ ୭ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ କରିଛନ୍ତି । ଏଥର ପ୍ରତିମାସରେ ଜଣେ ଲେଖାଏଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ସାଂଗଠନିକ ସ୍ଥିତିର ସମୀକ୍ଷା କରିବେ ବୋଲି ନିଷ୍ପତ୍ତି ହୋଇଛି । ମାତ୍ର ଦଳର ଆଭିମୁଖ୍ୟରୁ ବାଟ ହୁଡ଼ି ଯାଇଛନ୍ତି ଟୁଡୁ । କେନ୍ଦ୍ରମନ୍ତ୍ରୀ ଭାବେ ନିଜର ହିତାହିତ ଜ୍ଞାନ ଭୁଲି କେନ୍ଦ୍ରୀୟ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ସିବିଆଇ, ଇଡି ଛାଟ ଦେଖାଇଛନ୍ତି ।
ଅବଶ୍ୟ, ତାଙ୍କର ଏହି ମନ୍ତବ୍ୟକୁ ନେଇ ନେତୃତ୍ୱ ବିଗିଡ଼ିବା ପରେ ଆଜି ନିଜର ମନ୍ତବ୍ୟ ବୁଲାଇବାକୁ ଚେଷ୍ଟା କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରଥମ ଥର ସାଂସଦ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ପାଇଥିବାରୁ ଟୁଡୁ ଖୁସିରେ କୁରୁଳୁଛନ୍ତି । କ୍ଷମତାର ଅହଂକାର ତାଙ୍କୁ ବଶ କରିଦେଇଛି । ମନ୍ତ୍ରୀ ହେଲା ପରେ ଜଣେ ନିଜ କଥା ଓ କାମରେ ଯେଉଁ ସଂଯମତା ରଖିବା ଦରକାର ତାହା ସେ ରଖି ପାରିନାହାନ୍ତି । କଥାକଥାକେ ସରକାରୀ ଅଧିକାରୀଙ୍କୁ ଧମକ, ନାଲି ଆଖି ଦେଖାଉଛନ୍ତି । ନିକଟରେ ଜିଲ୍ଲାସ୍ତରର ଦୁଇ ସରକାରୀ ଅଧିକାରୀଙ୍କୁ ଏକ ଘରେ ସଟର ପକାଇ ପିଟି ପିଟି ରକ୍ତାକ୍ତ କରିଥିବାର ଅଭିଯୋଗ ଝଡ଼ ସୃଷ୍ଟି କରିଥିଲା ।