ଭୁବନେଶ୍ୱର: ଯାଜପୁର ଜିଲ୍ଲା ବରୀର ଯୁବନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ମଲ୍ଲିକ ବିଜେପି ଛାଡ଼ିଛନ୍ତି । ଦଳର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ବରୀ ବ୍ଲକ୍ ଅଧ୍ୟକ୍ଷ ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ ଏବଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତା ସାମଲ ମଧ୍ୟ ବିଜେପି ଛାଡ଼ିଛନ୍ତି । ବିଜେପି ଦେଇଥିବା ଦାୟିତ୍ୱ ନିର୍ବାହ କରିବାରେ ସେମାନେ ସମର୍ଥ ନ ଥିବା ଶ୍ରୀ ମଲ୍ଲିକ ଓ ତାଙ୍କର ଏହି ସମର୍ଥକମାନେ ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଥିବା ଇସ୍ତଫାପତ୍ରରେ ଜଣାଇଛନ୍ତି ।
ଏକଦା କଂଗ୍ରେସର ଏହି ବିଶିଷ୍ଟ ଯୁବନେତା ୨୦୧୭ ମସିହାରେ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିବା ବିଶ୍ୱରଞ୍ଜନ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଖାସ୍ ଲୋକ ଭାବେ ପରିଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ସେ ବରୀ ଆସନରୁ ଲଢ଼ି ମାତ୍ର ୪୦୬୨ ଭୋଟରେ ବିଜେଡ଼ି ପ୍ରାର୍ଥୀ ସୁନନ୍ଦା ଦାସଙ୍କଠାରୁ ପରାସ୍ତ ହୋଇଥିଲେ ।
ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିଜେପିରୁ ବିଶ୍ୱରଞ୍ଜନ ଏବଂ ତାଙ୍କ ସମର୍ଥକଙ୍କ ଇସ୍ତଫା ଦଳ ପାଇଁ ଶକ୍ତ ଧକ୍କା ହୋଇଛି । ବିଶ୍ୱରଞ୍ଜନ ବିଜେଡ଼ିକୁ ଯିବା ନେଇ ଚର୍ଚ୍ଚା ହେଉଛି । ଏହା ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ତାଙ୍କର କିଛି ସମର୍ଥକ ମହଲରୁ ସୂଚନା ମିଳୁଛି । ତେବେ ଏ ସମ୍ପର୍କରେ ବିଜେଡ଼ି ମହଲରୁ କୌଣସି ସୂଚନା ମିଳିନାହିଁ ।