ବଲାଙ୍ଗୀର/ଭୁବନେଶ୍ୱର: ମମିତା ଜାଣିଥିଲେ ଗୋବିନ୍ଦଙ୍କ ପରକୀୟା ପ୍ରୀତି କାହାଣୀ । ପୂର୍ବରୁ ବଚସା ବେଳେ ଏହା ପ୍ରଘଟ କରିଦେବାକୁ ମମିତା ଧମକ ଦେଇଥିଲେ । ସେଥିପାଇଁ ଗୋବିନ୍ଦ ଡରିଯାଇଥିଲେ । ମନରେ ଭୟଙ୍କର ରାଗ ଚଢ଼ିଥିଲା । ଯୋଜନା କରିଥିଲେ ମମିତାଙ୍କୁ ସଫା କରିଦେବାକୁ । ସ୍କୁଲ ମିଟିଂ ବାହାନାରେ ମମିତାଙ୍କୁ ଘରୁ ବସ୍ ରେ ଡାକିକି ଆଣିଲେ । ବାଟରେ ନିଜ କାର୍ ରେ ବସାଇଲେ । ଆଉ ଯୋଜନା ଅନୁଯାୟୀ, ରାସ୍ତାରେ ମାରିଦେଲେ । ପ୍ରମାଣ ନଷ୍ଟ ପାଇଁ ଶବକୁ ଜାଳିଦେବାକୁ ଚେଷ୍ଟା କଲେ, କିନ୍ତୁ ପାରିଲେନି । ଅଧାପୋଡା ଶବକୁ ନିର୍ମାଣାଧୀନ ମିନି ଷ୍ଟାଡିୟମ୍ ପଡ଼ିଆରେ ପୋତିଦେଲେ ।
ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କର ଏହା ହେଉଛି ମର୍ଡର କାହାଣୀ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଜି ଏକ ପ୍ରେସ୍ ମିଟ୍ ରେ ଏହାର ଖୁଲାସା କରିଛନ୍ତି ।
ଡିଆଇଜିଙ୍କ କହିବାନୁଯାୟୀ, ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ମୁଖିଆ ଗୋବିନ୍ଦ ସାହୁ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିଛନ୍ତି । କାରଣ ହେଉଛି, ଗୋବିନ୍ଦାଙ୍କ ପରକୀୟା ପ୍ରତି । ଗୋବିନ୍ଦଙ୍କର କାରନାମା ସମ୍ପର୍କରେ ମମିତା ଜାଣିଥିଲେ ଏବଂ ତାହାର ପ୍ରମାଣ ମଧ୍ୟ ପାଖରେ ରଖିଥିଲେ । ଗୋବିନ୍ଦଙ୍କ ସହ ମନୋମାଳିନ୍ୟ ପରେ ସେ ଏହାକୁ ପ୍ରଘଟ କରିଦେବାର ଧମକ ଦେଇଥିଲେ । ଆଉ ଏହି ଭୟ ଯୋଗୁଁ ମମିତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା ରଚିଥିଲେ ଗୋବିନ୍ଦ ।
ଗତ ୮ ତାରିଖରେ ମମିତାଙ୍କୁ ସ୍କୁଲ କାମ ବାହାନାରେ ଘରୁ ଡାକି ଆଣିଥିଲେ ଗୋବିନ୍ଦ । କଣ୍ଟାବାଝିରୁ ବସ୍ ରେ ମମିତା ଆସିଥିଲେ ଏବଂ ଗୋବିନ୍ଦଙ୍କ କଥା ଅନୁଯାୟୀ ବାଟରେ ଓହ୍ଲାଇଥିଲେ । ସେଠାରେ କାର୍ ଧରି ଅପେକ୍ଷା କରିଥଲେ ଗୋବିନ୍ଦ । କାର୍ ରେ ବସାଇ ମମିତାଙ୍କୁ ଭବାନୀପାଟଣା ଆଣିଥିଲେ । ଭବାନାପାଟଣାରୁ କେଗାଁ ଆସିବା ବାଟରେ ପୂର୍ବ ଯୋଜନା ଅନୁଯାୟୀ ମମତାଙ୍କୁ ହତ୍ୟା କରିଥିଲେ । ତେବେ ତାଙ୍କୁ ତଣ୍ଟି ଚିପି ମାରିଲେ ନା ଆଉ କେମିତି ତାହା ସ୍ପଷ୍ଟ ହୋଇନାହିଁ ।
ଶବକୁ ମହାଲିଙ୍ଗ ନୋଡାଲ୍ ହାଇସ୍କୁଲ ପଡ଼ିଆ ନିର୍ମାଣାଧୀନ ମିନି ଷ୍ଟାଡିୟମ୍ ଆଣିଥିଲେ । କାର୍ଡବୋର୍ଡ ଏବଂ ଟାୟାର ଜାଳି ପୋଡ଼ିଦେବାକୁ ଚେଷ୍ଟା କରିଥିଲେ । ହେଲେ ସମ୍ଭବ ହେଲାନି । ୯ ତାରିଖ ସକାଳେ ଅଧାପୋଡା ଶବକୁ ସେହି ଷ୍ଟାଡିୟମ୍ ପଡ଼ିଆରେ ଗାତଖୋଳି ପୋତି ଦେଇଥିଲେ ।
ଭବାନୀପାଟଣାର ୬୦ କିମି ଦୂରତା ଭିତରେ ବିଭିନ୍ନ ସିସିଟିଭି ଯାଞ୍ଚ କରି ପୁଲିସ ଏହାର ତଥ୍ୟ ପ୍ରମାଣ ଯୋଗାଡ଼ କରିଛି । ଏଥିସହ ଗୋବିନ୍ଦ ସାହୁ ଓ ଅନ୍ୟ କିଛି ସହଯୋଗୀଙ୍କ ବୟାନ ଆଧାରରେ ପୁଲିସ ସିଦ୍ଧାନ୍ତରେ ପହଞ୍ଚିଥିବା ଡିଆଇଜି ଶ୍ରୀ କୁମାର କହିଛନ୍ତି ।
ଏହି ଘଟଣାରେ ଏକାଧିକ ଲୋକଙ୍କର ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି । ଗୋବିନ୍ଦଙ୍କ କାର୍ ଡ୍ରାଇଭରକୁ ଅଟକ ରଖାଯାଇଥିଲା ବେଳେ ଅନ୍ୟମାନଙ୍କୁ ଧରିବା ଯୋଜନା କରୁଛି । ରିମାଣ୍ଡରେ ଆସୁଥିବା ଗୋବିନ୍ଦଙ୍କଠାରୁ ଅଧିକ ତଥ୍ୟ ହାସଲ କରାଯିବ ବୋଲି ଡିଆଜି କହିଛନ୍ତି ।
ଗିରଫ ଗୋବିନ୍ଦଙ୍କୁ ଆଜି ବଙ୍ଗୋମୁଣ୍ଡା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଥିଲେ ମଧ୍ୟ କୋର୍ଟ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।