ଭୁୁବନେଶ୍ୱର: ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା ବିଜେଡ଼ିରେ ମିଶିଛନ୍ତି । ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ବିଜେଡ଼ିରେ ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ଲକ୍ ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ । ବିଜେଡ଼ି କାର୍ଯ୍ୟାଳୟଠାରେ ଏଥିପାଇଁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।
‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ପ୍ରତି ଆକୃଷ୍ଟ ହୋଇ ବିଜେଡ଼ିରେ ମିଶିଲି । ବିଜେଡ଼ି ମୋତେ ରାଜନୀତି ଶିଖାଇଛି । ଆଗରୁ ବିଜେଡ଼ିରେ ଥିଲି । କଂଗ୍ରେସକୁ ଆସିଲା ପରେ ବି ବିଜେଡ଼ି ପ୍ରତି ଦୁର୍ବଳତା ଥିଲା । ଏବେ ନିଜ ପରିବାରକୁ ଫେରିଆସିଛି ।’ ବିଜେଡ଼ିରେ ମିଶିଲା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି କୈଳାସ କୁଲେସିକା ।
ସୂଚନାଯୋଗ୍ୟ, ଶ୍ରୀ କୁଲେସିକା ବିଜେଡ଼ିରେ ଯୋଗଦେଉଥିବା ନେଇ ଚର୍ଚ୍ଚା ହେଉଥିଲା । କୋଟପାଡ଼ର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡ଼ିରେ ଯୋଗଦେଇ ସାରିଥିବାରୁ ଶ୍ରୀ କୁଲେସିକାଙ୍କ ସମ୍ଭାବ୍ୟ ଯୋଗଦାନକୁ ଗୁରୁତ୍ୱ ଦିଆଯାଉଥିଲା । କାରଣ, ଜିଲ୍ଲା କଂଗ୍ରେସ ଉପରେ ଶ୍ରୀ କୁଲେସିକା ଖପ୍ପା ଥିଲେ । ଜିଲ୍ଲା ସଭାପତି ମୀନାକ୍ଷୀ ବାହିନୀପତିଙ୍କ ନେତୃତ୍ୱ ମାନିବାକୁ ସେ ରାଜି ନ ଥିଲେ । ବାହିନୀପତି ପରିବାର ଦଳରେ ଅନ୍ତର୍ଘାତୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ଆସୁଥିଲେ । ପିସିସି ସଭାପତିଙ୍କ ଦୃଷ୍ଟିକୁ ଏହା ଆଣି ଫେଲ୍ ମାରିଲା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଚନ୍ଦ୍ରଶେଖର ମାଝୀ ଏବଂ କୈଳାସ କୁଲେସିକା ବିଜେଡ଼ିରେ ଯୋଗଦେବା ପରେ ଅବିଭକ୍ତ କୋରାପୁଟ କଂଗ୍ରେସ ସଙ୍କଟରେ ପଡ଼ିଛି । ଇତିମଧ୍ୟରେ କଂଗ୍ରେସର ଟାଣୁଆ ଯୁବନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ କଂଗ୍ରେସ ଛାଡ଼ିବାକୁ ମନସ୍ଥିର କରିଥିବା ସ୍ପଷ୍ଟ ହୋଇଛି । କିଛି ଦିନ ତଳେ ବରିଷ୍ଠ ନେତା ଭକ୍ତ ଦାସ ତାଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଭେଟ କରାଇଥିଲେ ମଧ୍ୟ ସେ କଂଗ୍ରେସ ଛାଡ଼ିବା ନିଷ୍ପତ୍ତିରେ ଅଟଳ ଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ସମ୍ଭବତଃ ଆସନ୍ତା ସପ୍ତାହରେ ସେ ବିଜେଡ଼ିରେ ଯୋଗଦେବେ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।