ଭୁବନେଶ୍ୱର/ବଲାଙ୍ଗୀର: ପୋଲିସ ବାରାକ୍ ରୁ ଚମ୍ପଟ୍ ମାରିଥିବା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ମାଲିକ ‘ମୋଷ୍ଟ ୱାଣ୍ଟେଡ୍’ ଗୋବିନ୍ଦ ସାହୁ ଧରାପଡ଼ିଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ବୁଢ଼ିପଦର ଅଞ୍ଚଳର ଏକ ଆଖୁ କିଆରୀରେ ଲୁଚିଥିବା ବେଳେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ମାଡ଼ି ବସିଥିଲା । ସଂଧ୍ୟାରେ ବଲାଙ୍ଗୀର ଏସପିଙ୍କ ଅଫିସ୍ କୁ ଅଣାଯାଇ ପଚରାଉଚୁରା କରାଯାଉଛି । ଗୋବିନ୍ଦକୁ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ବଲାଙ୍ଗୀର ଏସପି ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ସେ ଧରାପଡ଼ିଯାଇଛନ୍ତି ।
ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଓ ହତ୍ୟା ମାମଲାରେ ଗୋବିନ୍ଦ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ମମିତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଭିତ୍ତିରେ ଗୋବିନ୍ଦଙ୍କୁ ବଲାଙ୍ଗୀର ପୁଲିସ ଟେକି ଆଣିଥିଲା । ଟିଟିଲାଗଡ଼ ପୁଲିସ ବାରାକ୍ ରେ ତାଙ୍କୁ ରଖି ପଚରାଉଚୁରା କରୁଥିଲା । ବାରାକ୍ ରେ ୪ ଦିନ ବିତାଇଥିବା ଗୋବିନ୍ଦ ଗତ ୧୭ ତାରିଖ ରାତିରେ କାନ୍ଥ ଡେଇଁ ଚମ୍ପଟ୍ ମାରିଥିଲା । ଏହି ଘଟଣାରେ ୩ ଜଣ ପୁଲିସ କନେଷ୍ଟବଳ ସସପେଣ୍ଡ ହୋଇଛନ୍ତି । ଫେରାର ଗୋବିନ୍ଦଙ୍କୁ ଧରିବା ପାଇଁ ବଲାଙ୍ଗୀର ଓ କଳାହାଣ୍ଡି ପୁଲିସ ପକ୍ଷରୁ ୪ ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ତେବେ ମାତ୍ର ୨୪ ଘଣ୍ଟା ଭିତରେ ପୁଲିସକୁ ସଫଳତା ମିଳିଛି ।
ପୁଲିସ ଅବହେଳାରୁ ଗୋବିନ୍ଦ ଚମ୍ପଟ୍ ମାରିଥିଲା ବୋଲି ପଶ୍ଚିମାଞ୍ଚଳ ଡିଆଇଜି ଦୀପକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିଛନ୍ତି । ଏଥିସହ ସେ ଅବିଳମ୍ବେ ଧରାଯିବାର ଶ୍ରେୟ ମଧ୍ୟ ତାଙ୍କ ପୁଲିସକୁ ଦେଇଛନ୍ତି ଡିଆଇଜି ।