ଭୁବନେଶ୍ୱର: ରାଜ୍ୟରେ ୯.୮ ଲକ୍ଷ ଭୋଟର ବାଦ୍ ପଡ଼ିବାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଆଜି ଆନେ୍ଦାଳନକୁ ଓହ୍ଲାଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଘେରାଉ କରି ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରିଥିଲା । ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଦୂର ପାଇଁ ନିର୍ବାଚନ କମିସନରଙ୍କଠାରୁ ତୁରନ୍ତ ହସ୍ତକ୍ଷେପ ଦାବି କରାଯାଇଛି । ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।
କୌଣସି ଭୋଟରଙ୍କୁ ବାଦ୍ ଦେବା ପୂର୍ବରୁ ବୁଥ୍ ଲେଭଲ୍ ଅଫିସରମାନଙ୍କ ଦ୍ୱାରା ସ୍ୱଚ୍ଛ ଓ ନିର୍ଭୂଲ ଯାଞ୍ଚ କରାଯାଉ । ସମ୍ପୂର୍ଣ୍ଣ ପାରଦର୍ଶିତା ପାଇଁ ନିର୍ବାଚନମଣ୍ଡଳୀ ଭିତ୍ତିକ ତଥ୍ୟ ପ୍ରକାଶ, ପ୍ରଭାବିତ ଜିଲ୍ଲାରେ ସ୍ୱାଧୀନ ଅଡିଟ୍ ଏବଂ ଭୋଟର ଅଧିକାର ସୁରକ୍ଷା ପାଇଁ ଅଭିଯୋଗ ନିବାରଣ ବ୍ୟବସ୍ଥା କରାଯାଉ । ବିଶେଷକରି ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ମହିଳା ଏବଂ ପୁରୁଷମାନଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼େ, ସେଥିପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ । କୌଣସି ଯୋଗ୍ୟ ନାଗରିକ ତାଙ୍କର ସାମ୍ବିଧାନିକ ଭୋଟ ଅଧିକାରରୁ ଯେପରି ବଞ୍ଚିତ ହେବେ ନାହିଁ, ସେଥିପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ହସ୍ତକ୍ଷେପ ଦାବି କରିଛି ଦଳ ।
Continue Reading







