ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନା ଓ ପ୍ରତୀକ୍ଷାର ଅବସାନ ଘଟିଛି । ନିର୍ବାଚନ ହେବାକୁ ଯାଉଥିବା ତିନିଟି ଯାକ ମହାନଗର ନିଗମ ପାଇଁ ବିଜେଡ଼ି ତା’ର ମେୟର ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱରରୁ ଶ୍ରୀମତୀ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଟକରୁ ସୁବାସ ସିଂ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବ୍ରହ୍ମପୁରରୁ ଶ୍ରୀମତୀ ସଂଘମିତ୍ରା ଦଳେଇ ହୋଇଛନ୍ତି ବିଜେଡ଼ିର ମେୟର ପ୍ରାର୍ଥୀ । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।
ଶ୍ରୀମତୀ ସୁଲୋଚନା ଦାସ ଏବେ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ଥିବା ବେଳେ ସୁବାସ ସିଂ ରାଜ୍ୟସଭା ସାଂସଦ ଅଛନ୍ତି ।
ସୂଚନା ଥାଉକି, ଆସନ୍ତା ୭ ତାରିଖରେ ମନୋନୟନପତ୍ର ଦାଖଲର ଶେଷ ଦିନ ରହିଛି । ଇତିମଧ୍ୟରେ କଂଗ୍ରେସ କଟକ ଓ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ବିଜେପି ଏ ଯାଏଁ ତା’ର ପ୍ରାର୍ଥୀ ଘୋଷଣା କରିନାହିଁ ।