ଭୁୁବନେଶ୍ୱର: ଉତ୍ତରପ୍ରଦେଶ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହି ଓଡ଼ିଶା ପଞ୍ଚାୟତ ନିର୍ବାଚନ ଦୃଶ୍ୟପଟରେ ଅଦୃଶ୍ୟମାନ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଟୁଇଟ୍ କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ବେଳେ ବିଭିନ୍ନ ସ୍ଥାନରେ ଶାସକ ଦଳ ଦ୍ୱାରା ନିର୍ବାଚନୀ ହିଂସା ଘଟିଥିବା ସେ ଉଲ୍ଲେଖ କରି ସେଥିପାଇଁ ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି ।
ଧର୍ମେନ୍ଦ୍ର ଲେଖିଛନ୍ତି, ହିଂସା ଦ୍ୱାରା ଗଣତନ୍ତ୍ରର ଏହି ମହାନ ପର୍ବରେ ବ୍ୟାଘାତ ଆସିବା ଅନୁଚିତ । ଶାସକ ଦଳର ହିଂସା ଓ ଅରାଜକତାକୁ ମୁଁ ଦୃଢ଼ ନିନ୍ଦା କରୁଛି । ଓଡ଼ିଶା ପ୍ରଶାସନ ଠିକ୍ ଭାବରେ ନିଜର କାର୍ଯ୍ୟ କରିବା ସହ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ । ନିର୍ବାଚନୀ ହିଂସାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଆଗାମୀ ପର୍ଯ୍ୟାୟରେ ମତଦାନ କିଭଳି ଶାନ୍ତିପୂର୍ଣ୍ଣ ହେବ ସେ ଦିଗରେ ଧ୍ୟାନ ଦେବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ତେବେ ଧର୍ମେନ୍ଦ୍ରଙ୍କ ଏହି ଟୁଇଟ୍ ର କଡ଼ା ଜବାବ ଦେଇଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ । ସେ କହିଛନ୍ତି, ବିଜେଡ଼ି ସବୁବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ଼ କରାଯାଇପାରିବ । ଦୁଃଖର କଥା ହେଉଛି ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜେପି, ଚଳିତ ପଞ୍ଚାୟତ ନିର୍ବାଚନରେ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି ।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି । ବିଜେପି ନେତା ଓ କର୍ମୀମାନେ ଗଜପତି ଓ ପିପିଲିରେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି । କୋରାପୁଟ, ସାଲେପୁର, ବ୍ରହ୍ମଗିରି, କଣାସ, ଢ଼େଙ୍କାନାଳ ଏବଂ ଆହୁରି ଅନେକ ଜିଲ୍ଲାମାନଙ୍କରେ ବିଜେପି ନିର୍ବାଚନୀ ହିଂସା କରିଛି ।
ଏହା ପୂର୍ବରୁ ବିଜେପି ସାଂସଦ ଜୁଏଲ ଓରାମ୍ ଜଣେ ମହିଳାଙ୍କ ସହ ଅସଦାଚରଣ କରିବା ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ତାଙ୍କ ହାତ ଭାଙ୍ଗି ଦେବା ଭଳି ଘଟଣା ବିଜେପିର ହିଂସା ପ୍ରବଣତାକୁ ଦର୍ଶାଇଥିଲା ।
ବିଜେପି ହିଂସାରୁ ନିବୃତ୍ତ ରହି ଏହି ଗଣତନ୍ତ୍ରର ପର୍ବକୁ ଅହିଂସା ଦ୍ୱାରା ସୁଦୃଢ଼ କରୁ ବୋଲି ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି ।
ସୂଚନାଥାଉକି, ବିଜେଡ଼ିର ଏକ ପ୍ରତିନିଧି ଦଳ ଆଜି ରାତିରେ ନିର୍ବାଚନ କମିଶନଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଏବଂ କୋଣିସିରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଜେପି ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।