ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୪ରୁ ୪ ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରୁ ୯୦ ପ୍ରତିଶତ ଆସନରେ ବାଜିମାତ୍ କରିବାକୁ ଯାଉଛି । ଏକଥା ଜାଣିଲା ପରେ ଓଡିଶା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ପଡିଛନ୍ତି । ବ୍ୟତିବ୍ୟସ୍ତ ହୋଇ, ହତୋତ୍ସାହିତ କର୍ମୀଙ୍କ ମନୋବଳ ବଢାଇବାକୁ ୫ ନେତା ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରିଥିଲେ । ହେଲେ ସେମାନଙ୍କର ମୁହଁ ଶୁଖିଯାଇଥିଲା, ଏଥିରୁ ଜଣାପଡୁଥିଲା, ତାଙ୍କର ମନୋବଳ କେତେ ତଳେ ରହିଛି ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ।
ଡକ୍ଟର ଅମର ପଟ୍ଟନାୟକ କହିଥିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଯେଉଁ ଡ୍ରାମା ଉଭୟ ଅପରାଜିତା ଷଡଙ୍ଗୀ ଏବଂ ଧର୍ମେନ୍ଦ୍ର ପ୍ରଧାନ କରିଥିଲେ, ସେକଥା କେହି ଭୁଲିନାହାନ୍ତି । ଉଭୟେ ପ୍ରକଳ୍ପକୁ ସବୁ ସ୍ତରରେ ବିରୋଧ କରିଥିଲେ । ଏଏସଆଇ, ଏନଏମଏ ପାଖରେ କାମକୁ ଅଟକାଇବା ପାଇଁ ସମସ୍ତ ପ୍ରକାରର ଚକ୍ରାନ୍ତ ଓ ଷଡଯନ୍ତ୍ର କରିଥିଲେ । ପରବର୍ତ୍ତୀ ସମୟରେ ନିଜର କିଛି ଅନୁଗତଙ୍କ ଜରିଆରେ ମାମଲାକୁ ସୁପ୍ରିମକୋର୍ଟ ନେଇଥିଲେ । ନାମୀଦାମୀ ଓକିଲ ଲଗାଇଥିଲେ । ହେଲେ ସବୁ ବାଧାବିଘ୍ନ ପରେ ବି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢିଥିଲା ।
ସେ ଆହୁରି ମଧ୍ୟ କହିଥିଲେ, ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସେ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ । ପ୍ରକଳ୍ପ କାର୍ଯ୍ୟ କରିବାର ନଥିଲା ବୋଲି ସେ ସ୍ପଷ୍ଟ ମତ ରଖିଥିଲେ । ବିଜେଡି ଯେତେବେଳେ ଆହ୍ୱାନ ଦେଲା, ନିର୍ବାଚନ ଇସ୍ତାହାରରେ ରଖନ୍ତୁ ଯେ ସେମାନେ ପରିକ୍ରମା ପ୍ରକଳ୍ପ ବନ୍ଦ କରିଦେବେ, ତାପରେ ଓଡିଶା ବିଜେପିର ନେତା କଥା ବଦଳାଇବା ଆରମ୍ଭ କରିଛନ୍ତି । ଆଉ ସେକଥା ଉଠାଉନାହାନ୍ତି । ଏବେ ସାମ୍ବାଦିକ ସମ୍ମିଳନୀ କରି କହୁଛନ୍ତି, ସେମାନେ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିଲେ । ଏଭଳି ଦୋମୁହାଁ ଚରିତ୍ର ଦେଖି ଓଡିଶାବାସୀ ହସିବା ଆରମ୍ଭ କଲେଣି । ପ୍ରତି ୧୫ ଦିନରେ ମତ ବଦଳାଇ ସେମାନେ ନିଜର ସୁବିଧା ଅନୁସାରେ କଥା କହୁଛନ୍ତି । ଦୟାକରି ମିଛ କହି ଲୋକଙ୍କୁ ବିଭ୍ରାନ୍ତି କରିବାରୁ ଦୂରେଇ ରୁହନ୍ତୁ । ବିଭିନ୍ନ ପ୍ରସଙ୍ଗ ନେଇ ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ଆକ୍ରମଣ କରିଥିଲେ ।
ଶ୍ରୀମତୀ ସୁଲତା ଦେଓ କହିଥିଲେ, ଆମେ ଶୁଣିବାକୁ ପାଉଥିଲୁ, ଓଡିଶା ବିଜେପି ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ, ହେଲେ ଏହାପରେ ସେମାନଙ୍କର ଆଶାୟୀଙ୍କ ମଧ୍ୟରେ ଏତେ ଯୁକ୍ତିତର୍କ ଏବଂ ଗଣ୍ଡଗୋଳ ଘଟିଲା ଯେ, ସେମାନେ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲେ ନାହିଁ । ସେମାନେ ଭଲ ଭାବେ ଜାଣିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଦଳ ଚାରି ଭାଗ ହୋଇଯିବ । ମନମୋହନ ସାମଲଙ୍କ ଅବସ୍ଥା ଦେଖିଲେ ଆମକୁ ଦୟା ଲାଗୁଛି, ତାଙ୍କ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଓଡିଶା ନିବାସ ଘଟଣା ପରେ ସେ ନିଜର ଗୁରୁତ୍ୱ ହରାଇ ବସିଛନ୍ତି । ଓଡିଶା ବିଜେପିର ସଭାପତି ଭାବେ ସେ ଦଳର ମହିଳା ଭୋଟକୁ ପ୍ରଭାବିତ କରୁଛନ୍ତି । ଓଡିଶା ବିଜେପି ଏଭଳି ଏକ ଦୟନୀୟ ସ୍ଥିତି ଦେଇ ଯାଉଛି, ଏଠି କାହା କଥା କେହି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି, ଯାହା ଫଳରେ ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା କରିପାରୁନାହାନ୍ତି ।
ସ୍ୱୟଂପ୍ରକାଶ ମହାପାତ୍ର କହିଥିଲେ, ଓଡିଶା ବିଜେପିର ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତ ପଣ୍ଡାଙ୍କ ବକ୍ତବ୍ୟ ଶୁଣି ଲାଗୁଥିଲା, ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ତାଙ୍କର ଆଖି ସିନା ଅପରେସନ୍ ହୋଇଛି, ହେଲେ ଲାଗୁଛି ତାଙ୍କର ମୁଣ୍ଡରେ କିଛି ଗୋଳମାଳ ହୋଇଯାଇଛି । ସେଥିପାଇଁ ଅବାସ୍ତବ ଏବଂ ଅବାନ୍ତର କଥା ଗପିଚାଲୁଥିଲେ । ଆମେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛୁ ।
ମହାପ୍ରଭୁଙ୍କ କାମରେ ବି ଧର୍ମେନ୍ଦ୍ର ମିଛ କହୁଛନ୍ତି: ପାଣ୍ଡିଆନ୍
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନ୍ତବ୍ୟକୁ ବିଜେଡି ଗୁରୁତ୍ୱ ଦେଇନି । ମାତ୍ର ମହାପ୍ରଭୁଙ୍କ ନବକଳେବର କାମରେ କେନ୍ଦ୍ର ଅନୁଦାନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ମିଛ ବୋଲି ଧରାପକେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ । ମହାପ୍ରଭୁ ଜଗନ୍ନାଥଙ୍କ କାମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୁଇ ଦୁଇଟି ମିଛ କହିଛନ୍ତି ଏବଂ ଠାକୁରଙ୍କ କାମରେ ଏଭଳି ମିଛ ନ କହିଲେ ଭଲ ହେବ ବୋଲି ସେ କହିଛନ୍ତି ।
ଶ୍ରୀ ପାଣ୍ଡିଆନ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରଥମେ କହିଥିଲେ ନବକଳେବର କାମ ପାଇଁ କେନ୍ଦ୍ର ସରକାର ୫୦ କୋଟି ପ୍ରଦାନ କରିଛନ୍ତି । ମାତ୍ର ବାସ୍ତବରେ କେନ୍ଦ୍ର ୧୦ କୋଟି ଟଙ୍କା ମଞ୍ଜୁର କରିଥିଲା । ସେହିଭଳି ସେ ଆଉ ଗୋଟେ ମିଛ କହିଥିଲେ ଯେ ମାର୍ଚ୍ଚ ୩୦ ତାରିଖରେ ଓଡ଼ିଶା ଟ୍ରେଜେରିକୁ କେନ୍ଦ୍ରରୁ ଏଥିପାଇଁ ୫୦ କୋଟି ଟଙ୍କା ଆସିଛି । ହେଲେ ଓଡ଼ିଶା ଟ୍ରେଜେରି ନୁହେଁ, ବରଂ କେନ୍ଦ୍ର ସରକାର ତାଙ୍କର ନିଜସ୍ୱ ସଂସ୍ଥା ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଆଇଟିଡିସି) ଖାତାକୁ ଦେଇଥିଲେ ୧୦ କୋଟି । ଏହି ୧୦ କୋଟି ଟଙ୍କାରୁ ୬ କୋଟି ୯୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅବଶିଷ୍ଟ ଟଙ୍କା ଫେରିଯାଇଛି ।
ଶ୍ରୀ ପାଣ୍ଡିଆନ୍ ଏ ସଂକ୍ରାନ୍ତୀୟ ଦସ୍ତାବିଜ୍ ର ନକଲ ମଧ୍ୟ ଜାରି କରିଛନ୍ତି ।
ଆଜି ସକାଳର ବିଜେପିର ପ୍ରେସ୍ମିଟ ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ବିଜେପିର ଟାଣୁଆ ନେତାମାନେ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ । କିନ୍ତୁ ନିଜ ନିଜ ଭିତରେ ଝଗଡ଼ା ଲାଗି ବନ୍ଦ ହୋଇଗଲା ।
ବିଜେପିକୁ ଚ୍ୟାଲେଞ୍ଜ କରି ସେ କହିଲେ ଯେ ମୁଁ ତାଙ୍କୁ ଆହ୍ୱାନ କରୁଛି ନବୀନ ବାବୁଙ୍କ ବିପକ୍ଷରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ ଯଦି କରନ୍ତୁ । ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ । ଏତେ ମିଛ କଥାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ।
Continue Reading