ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତା ପାଇଁ ପାର୍ଲିଆମେଣ୍ଟରେ ପୁଣି ସ୍ୱର ଉଠାଇଛି ବିଜେଡ଼ି । ଆଜି ରାଜ୍ୟସଭାର ଶୂନ୍ୟକାଳରେ ଦଳର ଯୁବ ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ବେଶ୍ ପ୍ରଭାବୀ ଢ଼ଙ୍ଗରେ ପ୍ରସଙ୍ଗକୁ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କଠାରେ ଓଡ଼ିଶାର ଦାବି ଦୋହରାଇଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଫୋରମ୍ ରେ ଓଡ଼ିଶାର ଏହି ନ୍ୟାଯ୍ୟ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଉପସ୍ଥାପିତ କରିଥିବା ମନେ ପକାଇ ଦେଇଥିଲେ ସାଂସଦ ।
ଡ. ପାତ୍ର କହିଥିଲେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ ପଥରେ ଆଗକୁ ବଢ଼ୁଛି । ତେବେ ପ୍ରଗତିରେ ବାଧକ ହେଉଛି ପ୍ରାକୃତିକ ଦୁର୍ବିପାକ । ନିୟମିତ ବ୍ୟବଧାନରେ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସାମନା କରୁଛି । ବାତ୍ୟା ଓ ବନ୍ୟା ରାଜ୍ୟର ଅର୍ଥନୀତିକୁ ବିଗାଡ଼ି ଦେଉଛି । ପ୍ରାକୃତିକ ଦୁର୍ବିପାକଭରା ଓଡ଼ିଶାର ଅର୍ଥନୀତି ଅଣ୍ଟା ସଳଖି ଆଗକୁ ବଢ଼ିବା ପାଇଁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ନିହାତି ଜରୁରୀ ବୋଲି ସେ ଯୁକ୍ତି ଦର୍ଶାଇଥିଲେ ।
ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ଭାବେ କେନ୍ଦ୍ରୀୟ ଯୋଜନାରେ ଖର୍ଚ୍ଚ ହେଉଥିବା କେନ୍ଦ୍ର-ରାଜ୍ୟ ଅର୍ଥଭାଗର ଆନୁପାତିକ ହାର ବଦଳୁ । ପ୍ରାକୃତିକ ବିପର୍ଯ୍ୟୟର ୩ ବର୍ଷ ପର୍ଯ୍ୟନ୍ତ ଏହା ୬୦:୪୦ ରୁ ବଦଳି ୯୦:୧୦ ଅନୁପାତ ରହୁ । ଏହି ୩ ବର୍ଷ କେନ୍ଦ୍ର ସରକାର ୯୦% ପାଣ୍ଠି ବହନ କରନ୍ତୁ ।
ବର୍ତ୍ତମାନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାରଙ୍କୁ ୬୦% ଏବଂ ରାଜ୍ୟ ସରକାରଙ୍କୁ ୪୦% ପାଣ୍ଠି ଦେବାର ନିୟମ ରହିଛି । ବାସ୍ତବରେ ଯୋଜନା କାର୍ଯ୍ୟାନ୍ୱୟ ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ ବ୍ୟୟକୁ ମିଶାଇଲେ କେନ୍ଦ୍ର ରାଜ୍ୟ ପାଣ୍ଠି ଅନୁପାତ ୫୦:୫୦ ରହୁଛି । ସୁତରାଂ ପ୍ରାକୃତିକ ବିପର୍ଯ୍ୟୟର ତିନି ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ଯୋଜନାରେ ରାଜ୍ୟର ଖର୍ଚ୍ଚ ଭାଗ ୧୦% ରଖାଗଲେ ଏହି ବଳକା ଅର୍ଥ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମି ଓ ପୁନଃନିର୍ମାଣ କାର୍ଯ୍ୟରେ ଲଗାଯାଇପାରିବ ବୋଲି ଡ. ପାତ୍ର ଦର୍ଶାଇଥିଲେ । ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ ।
କେବିକେ ଅଞ୍ଚଳର ସମସ୍ୟା ପ୍ରତି ମଧ୍ୟ ଡ. ପାତ୍ର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର ଏବଂ କୋରାପୁଟ ଜିଲ୍ଲାରେ ଅଧିକ ବ୍ୟାଙ୍କ ସ୍ଥାପନ, ଟେଲିଫୋନ୍ ସଂଯୋଗ ଏବଂ ଇଣ୍ଟରନେଟ୍ ଯୋଗାଯୋଗ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସହାୟତା ଯୋଗାଇ ଦିଅନ୍ତୁ ବୋଲି କହିଥିଲେ ।