ଭୁୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ପରୀକ୍ଷାର୍ଥୀଙ୍କୁ ବକରା ବନାଇ ଟଙ୍କାର ପାହାଡ଼ ତିଆରି କରିଥିଲେ ପିଏସ୍ ବିରଞ୍ଚି ସାହୁ । ଚାକିରି ନାଁରେ କାହାଠାରୁ କେତେ ଟଙ୍କା ନେଇଛନ୍ତି ତାହା ଜଣାପଡ଼ି ନ ଥିଲା ବେଳେ ତାଙ୍କ ଆୟର ଆଉ ଏକ ବଡ଼ ଉତ୍ସର ସନ୍ଧାନ ମିଳିଛି । ୪ ଦିନିଆ ରିମାଣ୍ଡ ବେଳେ ବିରଞ୍ଚିଙ୍କଠାରୁ ଭିଜିଲାନସ୍ ଅଧିକାରୀମାନେ ଏହି ତଥ୍ୟ ସଂଗ୍ରହ କରିଛନ୍ତି । ପତ୍ନୀଙ୍କୁ ଏଜେଣ୍ଟ ସଜେଇ ପରୀକ୍ଷାର୍ଥୀମାନଙ୍କୁ ଏଲଆଇସି ପଲିସି ଜାଲ୍ ରେ ପକାଉଥିଲେ ବିରଞ୍ଚି । ଆଉ ଏହି କାରବାରରେ କମିଶନି ବାବଦ ପାଉଥିଲେ ପ୍ରଚୁର ଟଙ୍କା ।
୨୦୦୯ ମସିହାରୁ ବିରଞ୍ଚି ଏହି କାରବାର ଚଳାଇଥିଲେ । ନିଜେ ଚାକିରି କରିଥିବାରୁ ପତ୍ନୀଙ୍କୁ ଇନସୁରାନ୍ସ ପଲିସି ଏଜେଣ୍ଟ କରିଥିଲେ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ପରୀକ୍ଷାର୍ଥୀଙ୍କୁ ଆଖିରେ ରଖି ଏହି ବେପାର ପସରା ଖୋଲିଥିଲେ । ପରୀକ୍ଷାର୍ଥୀଙ୍କୁ ଚାକିରି ଥୋପ ଦେଖାଇ ଇନସୁରାନ୍ସ ପଲିସି ଆଡକୁ ଆକୃଷ୍ଟ କରୁଥିଲେ । ଚାକିରି ଖଣ୍ଡେ ପାଇଁ ଆଶାୟୀମାନେ ବ୍ୟାକୁଳ ଥିବାରୁ ବିରଞ୍ଚି ପ୍ରଲୋଭନରେ ସହଜରେ ପଡ଼ିଯାଉଥିଲେ । ଗତ ୧୦ ବର୍ଷରେ ବିରଞ୍ଚି ର ୯୦୦ ଇନସୁରାନ୍ସ ଜାଲରେ ପଡ଼ିଥିବା ୯୦୦ ଜଣଙ୍କ ମଧ୍ୟରୁ ଅଧିକାଂଶ ଓଏସଏସସି ଚାକିରି ଆଶାୟୀ ବୋଲି ସନ୍ଦେହ କରାଯାଉଛି ।
ବର୍ତ୍ତମାନ ସୁଦ୍ଧା ଭିଜିଲାନସ୍ ସନ୍ଧାନ ପାଇଥିବା ୨୧ ଜଣ ଯାକ ଇନସୁରାନ୍ସ ପଲିସି ହୋଲଡର୍ ହେଉଛନ୍ତି ଓଏସଏସସି ପରୀକ୍ଷାର୍ଥୀ । ସମସ୍ତଙ୍କର ଠିକଣା ଯୋଗାଡ଼ କରାଯାଇ ତଦନ୍ତ ଆଗକୁ ଯାଉଛି ବୋଲି ଭିଜିଲାନସ୍ ଜାରି କରିଥିବା ପ୍ରେସ୍ ରିଲିଜ୍ ରେ କୁହାଯାଇଛି । ଏଥିରେ ବିରଞ୍ଚି ସମ୍ପତ୍ତି ତନାଘନା ସମ୍ପର୍କରେ ଆଉ କିଛି ସୂଚନା ଦିଆଯାଇଛି । ବିରଞ୍ଚି ଅଣ୍ଡରଭାଲ୍ୟୁସନ୍ ରେ ଜମି କିଣିଥିବା କୁହାଯାଇଥିବା ବେଳେ ତାଙ୍କର ବ୍ୟାଙ୍କ କାରବାର, ମ୍ୟୁଚୁଆଲ୍ ଫଣ୍ଡ ଏବଂ ଷ୍ଟକ୍ ମାର୍କେଟ୍ ଇନଭେଷ୍ଟମେଣ୍ଟ, ଇନସୁରାନ୍ସ ପଲିସି ପ୍ରିମିୟମ୍ ଆଦିର ଛାନଭିନ୍ କରାଯାଉଥିବା କୁହାଯାଇଛି ।
ଆଉ ଏକ ସୂଚନା ଦିଆଯାଇଛି ଯେ ଗତ ୩୦ ତାରିଖରେ ବିରଞ୍ଚି ଙ୍କ ନିଳାଦ୍ରୀ ବିହାରସ୍ଥିତ ଘର ରେଡ୍ ବେଳେ ୧୧୪ ଓଏସଏସସି ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମିଳିଥିଲା । ସେଥିମଧ୍ୟରୁ ୭ ଜଣ ଚାକିରି ପାଇଥିବା ତଦନ୍ତ ବେଳେ ଜଣାପଡ଼ିଛି । ଅବଶିଷ୍ଟ ୧୦୭ ଜଣ କୌଣସି ପରୀକ୍ଷାର ଯୋଗ୍ୟତା ତାଲିକାରେ ନାହାନ୍ତି । ତବେ ଏହାର ଅଧିକ ତଦନ୍ତ ଜାରି ରହିଛି ।
ଆଜି ବିିରଞ୍ଚିର ୪ ଦିନିଆ ରିମାଣ୍ଡ ଶେଷରେ ଭିଜିଲାନସ୍ ପକ୍ଷରୁ ଜାରି ଏହି ପ୍ରେସ୍ ରିଲିଜ୍ ରେ ଆଶ୍ଚର୍ଯ୍ୟଜନକ ଭାବେ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଦିଆଯାଇଛି । ଓଏସଏସସି ରେ ନିଯୁକ୍ତି ଦୁର୍ନୀତିର ପୁଳା ପୁଳା ଅଭିଯୋଗ ସହ ଏଥିରେ ଏକ ବଡ଼ ରାକେଟ୍ କାମ କରୁଥିବା ଅନୁମାନ କରାଯାଉଥିଲେ ମଧ୍ୟ ଭିଜିଲାନସ୍ ସେ ଦିଗରେ କ’ଣ ତଦନ୍ତ କରୁଛି ତାହା ଜଣାଇଲା ନାହିଁ । ବିରଞ୍ଚିଙ୍କୁ ୪ ଦିନ ରିମାଣ୍ଡରେ ଆଣିଥିବା ଭିଜିଲାନସ୍ ତାଙ୍କଠାରୁ ନିଯୁକ୍ତି ଜାଲିଆତିର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଥିଲା । ମାତ୍ର ଭିଜିଲାନସ୍ ହାଣ୍ଡ ଆଉଟ୍ ରୁ ସେଭଳି କିଛି ଗନ୍ଧ ବାରି ହେଉନାହିଁ । ଲାଗୁଛି, କେବଳ ବିରଞ୍ଚିଙ୍କ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଅଟକି ଯାଇଛି ଭିଜିଲାନସ୍ । ଓଏସଏସସି ନିଯୁକ୍ତି ଦୁର୍ନୀତି ଗୁମରକୁ ଭିଜିଲାନସ୍ ଜାଣିଶୁଣି ଟାଳି ଦେବାକୁ ଚାହୁଁନି ତ? ଏଇ ପ୍ରଶ୍ନ ଆଜି ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।