ଭୁବନେଶ୍ୱର: ୱକଫ୍ ବିଲ୍ ଭୋଟିଂରେ ବିଜେଡିର ଆଭିମୁଖ୍ୟକୁ ନେଇ ଗଣମାଧ୍ୟମରେ ଅସନ୍ତୋଷ ଝାଡ଼ିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ପାତ୍ର, ଶଶୀ ବେହେରା, ଗଣେଶ୍ୱର ବେହେରାଙ୍କ ଭଳି ବରିଷ୍ଠ ନେତା । ଏ ସମ୍ପର୍କରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଛନ୍ତି ପ୍ରଫୁଲ୍ଲ ସାମଲ ଓ ପ୍ରତାପ ଜେନା । ଏମାନେ ସମସ୍ତେ ସସ୍ମିତ୍ ପାତ୍ରଙ୍କୁ ଗାଳି କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ହେଲେ ବାସ୍ତବ କଥା କିନ୍ତୁ ସେୟା ନୁହେଁ । ଭି.କେ ପାଣ୍ଡିଆନ ନାଟର ଗୋବର୍ଦ୍ଧନ ବୋଲି ସମସ୍ତଙ୍କର ଦୃଢ଼ ବିଶ୍ୱାସ । ମାତ୍ର ନବୀନଙ୍କ ଭୟରେ ତାଙ୍କ ନାଁ ଧରୁନାହାନ୍ତି । ସେହି ରାଗ ସସ୍ମିତଙ୍କ ଉପରେ ସୁଝାଉଛନ୍ତି । ଏପରିକି ଦେବାଶିଷ ସାମନ୍ତରାୟ ସୋସିଆଲ୍ ମିଡିଆରେ କଚାଡ଼ି ହୋଇଥିଲେ ମଧ୍ୟ ସେହି ମୁଖ୍ୟ ପରାମର୍ଶଦାତାଙ୍କ ନାଁ ଧରିବାକୁ ସାହାସ କରିନାହାନ୍ତି ।
ୱକଫ୍ ବିଲ୍ ଭୋଟିଂରେ ବିଜେଡିର ଆଭିମୁଖ୍ୟ ବଦଳିବା ପଛରେ ବଡ଼ ଖେଳ ରହିଛି ବୋଲି ବରିଷ୍ଠ ନେତା ବଦ୍ରି ପାତ୍ର ଆଗ ଗଣମାଧ୍ୟମରେ କହିଥିଲେ । ତାଙ୍କ କଥାକୁ ଅନ୍ୟ କିଛି ନେତା ପାଳି ଧରିଥିଲେ । ହେଲେ ସେ ଖେଳ କ’ଣ ତାହା ଆଜି ଖୋଲି ଦେଇଛନ୍ତି ଦେବାଶିଷ ସାମନ୍ତରାୟ । କହିଛନ୍ତି, ସସ୍ମିତ ଭିଲେନ୍ ନୁହଁନ୍ତି । ସେ ନିର୍ଦ୍ଦେଶ ନିଅନ୍ତି । ଦିଅନ୍ତି ନାହିଁ । ଏହି ନାଟର ଗୋବର୍ଦ୍ଧନ ହେଉଛନ୍ତି ମୁଖ୍ୟ ପରାମର୍ଶଦାତା । ବିଜେପି ସହ ମୁଖ୍ୟ ପରାମର୍ଶଦାତାଙ୍କର ବଡ଼ ଡିଲ୍ ହୋଇଛି ।
ଦେବାଶିଷଙ୍କର ଏହି ବୟାନ ଦଳରେ ବିସ୍ଫୋରଣ ସୃଷ୍ଟି କରିଛି । ପାଣ୍ଡିଆନ ଚାକିରି କରିବାକୁ ବିଦେଶ ଚାଲିଯିବା ଖବର ମିଛ ଏବଂ ବିଜେଡିକୁ ଏବେ ବି ଚଳାଉଛନ୍ତି ବୋଲି ସେ କହିବାକୁ ଚାହିଁଛନ୍ତି । ପୂର୍ବରୁ ମୁହଁ ଖୋଲି ଏହା କହୁ ନ ଥିଲା ବେଳେ ୱକଫ୍ ବିଲ୍ ପ୍ରସଙ୍ଗରେ ତାଙ୍କ ସହିବାର ସୀମା ଟପିଯାଇଛି । ପାଣ୍ଡିଆନଙ୍କ ଅନ୍ୟ ବିରୋଧୀମାନଙ୍କୁ ମଧ୍ୟ ଏହା ଉତକ୍ଷିପ୍ତ କରିଛି ।
ଏଇ କିଛି ବର୍ଷ ହେଲା ବିଜେଡିରେ କେମିତି ଶାସନ ଚାଲିଛି ତାହା ଦଳର ସବୁ ନେତା ଜାଣିଛନ୍ତି । ନବୀନ ପଟ୍ଟନାୟକ ନାଁକୁ ମୁଖିଆ ମାତ୍ର ସବୁ କ୍ଷମତା ପାଣ୍ଡିଆନଙ୍କ ହାତରେ । ପାଣ୍ଡିଆନଙ୍କ ନିଷ୍ପତ୍ତି ହିଁ ନବୀନଙ୍କ ନିଷ୍ପତ୍ତି । ପ୍ରତିଟି କ୍ଷେତ୍ରରେ ଦଳର ଆଭିମୁଖ୍ୟ ପାଣ୍ଡିଆନ ସ୍ଥିର କରୁଛନ୍ତି । ବିଜେଡି ସରକାରରୁ ଗଲା ପରେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଥିଲେ ମଧ୍ୟ ପାଣ୍ଡିଆନ ଅଦୃଶ୍ୟରେ ରହି ପୂର୍ବଭଳି ଦଳକୁ ପରିଚାଳନା କରୁଛନ୍ତି । ଦଳର ନିଷ୍ପତ୍ତି କ’ଣ ହେବ ଏବଂ କାହାକୁ କେଉଁ ଦାୟିତ୍ୱ ଦିଆଯିବ ତାହା ପାଣ୍ଡିଆନ ହିଁ ସ୍ଥିର କରନ୍ତି ବୋଲି ଦଳର ବରିଷ୍ଠ ନେତାମାନଙ୍କ ସୂତ୍ରରୁ ଜଣାପଡ଼ିଛି ।
ଏହି ଧାରାରେ ୱକଫ୍ ବିଲ୍ ଭୋଟ୍ ବେଳେ ବିଜେଡି ଆଭିମୁଖ୍ୟରେ ପରିବର୍ତ୍ତନ ସେହି ପାଣ୍ଡିଆନ ହିଁ ନେଇଛନ୍ତି । ଆଉ ମୁଖିଆ ଆଖି ବୁଜି ତାହାକୁ ସ୍ୱୀକୃତି ଦେଇଛନ୍ତି । ଏଥିରେ ସାମାନ୍ୟତମ ସନ୍ଦେହର କାରଣ ନାହିଁ ବୋଲି ଦଳର ଦୁଇ ଜଣ ବରିଷ୍ଠ ନେତା ପ୍ରକାଶ କରିଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧ କରି ଭୋଟଦାନରୁ ବିରତ ରହିଥିବା ଦେବାଶିଷ ସାମନ୍ତରାୟ ସୋସିଆଲ୍ ମିଡିଆ ଏବଂ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ବିସ୍ଫୋରକ ବୟାନ ଦେଇଥିଲା ବେଳେ ପଣ୍ଡିଚେରୀରୁ ଫେରିଲା ପରେ ଗଣମାଧ୍ୟମ ଆଗରେ ସବୁ ଖୋଲିବେ ବୋଲି କହିଛନ୍ତି ।
ସୂଚନାଥାଉକି, ଦେବାଶିଷଙ୍କର ଏକ ବୟାନ ଦଳରେ ନିଆଁ ଲଗାଇ ଦେଇଛି । ସୁଜାତା କାର୍ତ୍ତିାକୟନଙ୍କ ଭିଆରଏସ୍ ଆବେଦନ କେନ୍ଦ୍ର ସରକାରଙ୍କଠାରୁ ଗୋଟିଏ ଦିନରେ ମଂଜୁର ଲାଭ କରିବା ବିଜେପି ସହ ଡିଲ୍ ର ଅଂଶ ବିଶେଷ ବୋଲି ସେ ବୟାନ ଦେଇଛନ୍ତି ।
ମୋଟାମୋଟି ଭାବେ ୱକଫ୍ ବିଲ୍ ପ୍ରସଙ୍ଗକୁ ନେଇ ବିଜେଡିରେ ଏବେ ଭୟଙ୍କର ପରିସ୍ଥିତି । ତେବେ ନାଟକର ମୁଖ୍ୟ ନାୟକଙ୍କୁ ଛାଡ଼ି ସସ୍ମିତ୍ ପାତ୍ରଙ୍କ ପଛରେ କିଛି ନେତା ପଡ଼ିବା ଆଉ ଏକ ଚାଲ୍ ବୋଲି କୁହାଯାଉଛି । ନବୀନ-ପାଣ୍ଡିଆନ ଯୋଡି ବିଜେଡିକୁ ବୁଡ଼ାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଖୋଦ୍ ଦଳର ଅଧିକାଂଶ ନେତା ଅନୁଭବ କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ ଦଳର ଭିନ୍ନ ଭିନ୍ନ ଗୋଷ୍ଠୀ ଗତକାଲିଠାରୁ ବିଭିନ୍ନ ଜାଗାରେ ଗୋପନ ବୈଠକ କରୁଛନ୍ତି । ଦଳର ଭବିଷ୍ୟତକୁ ନେଇ ଚିନ୍ତିତ ବିଭିନ୍ନ ନେତା ଆଗାମୀ ରଣନୀତି ସମ୍ପର୍କରେ ବିଚାର ବିମର୍ଷ କରୁଛନ୍ତି । ଆଗକୁ କିଛି ବି ଘଟିପାରେ ବୋଲି ସେମାନେ ଖୋଲାଖୋଲି କହୁଛନ୍ତି ।
ତେବେ ବିଜେଡିର ଏହି ସଙ୍କଟ ପାଇଁ କେବଳ ନବୀନ ପଟ୍ଟନାୟକ ଦାୟୀ ବୋଲି ରାଜନୈତିକ ସମୀକ୍ଷକମାନେ କିନ୍ତୁ ମତ ଦେଇଛନ୍ତି । ସେମାନଙ୍କ କହିବା କଥା, ପାଣ୍ଡିଆନଙ୍କୁ ଦୋଷ ଦେଇ ଲାଭ ନାହିଁ । ନବୀନଙ୍କ ଅଜାଣତରେ ପାଣ୍ଡିଆନ ସବୁ କରିଦେଉଛନ୍ତି ବୋଲି ଭାବିବା ଠିକ୍ ନୁହେଁ । ଯାହା ହେଉଛି ସବୁ ନବୀନଙ୍କ ଜାଣତରେ । ହୁଏତ ପାଣ୍ଡିଆନଙ୍କ ଉପରେ ଅତ୍ୟନ୍ତ ନିର୍ଭରଶୀଳ ହୋଇପଡ଼ିଥିବାରୁ ତାଙ୍କର ସବୁ କାମ ନବୀନଙ୍କୁ ଭଲ ଲାଗୁଛି । ନଚେତ୍ ବିଗତ ୧୦ ବର୍ଷ ଧରି ବିଜେଡିରେ ଗଣତନ୍ତ୍ର ଲୋପ ପାଇଯାଇଥିଲେ ମଧ୍ୟ ସେ ଚୁପ୍ ରହି ନ ଥାନ୍ତେ । ଲୋକସେବା ଭବନ ଓ ବିଧାନସଭା ଆସିବା ବନ୍ଦ କରି ନ ଥାନ୍ତେ । ୱକଫ୍ ବିଲ୍ ଉପରେ ଦଳର ଆଭିମୁଖ୍ୟ ବଦଳେଇବାକୁ ସମ୍ମତି ଦେଇ ନ ଥାନ୍ତେ ।
Continue Reading