ଭୁବନେଶ୍ୱର: ଓଟିଭି ଡିଜିଟାଲ୍ ସେଲସ୍ ରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ କାମ କରୁଥିବା ସଂକଳ୍ପ ମହାନ୍ତି(୨୫)ଙ୍କର ସନ୍ଦେହହଜନକ ଭାବେ ମୃତ୍ୟୁ ହୋଇଛି । ଜାଗମରାର ପଞ୍ଚସଖା ନଗରରେ ରହୁଥିବା ଭଡ଼ାଘର ପଛପଟୁ ତାଙ୍କର ମୃତଦେହ ଜବତ ହୋଇଛି । ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସଂକଳ୍ପ ଗତକାଲି ଅଫିସରୁ ଫେରି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହୋଇଛନ୍ତି । ତେବେ ସକାଳୁ ତାଙ୍କର ମୃତଦେହ ଘରର ପଛପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ସେଠାରେ ପହଞ୍ଚି ଶବ ଜବତ କରିବା ସହ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲା । ପରେ ପରିବାର ଲୋକ ସେଠାରେ ପହଞ୍ଚିଥିଲେ । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସଂକଳ୍ପଙ୍କ ବାପା ଖଣ୍ଡଗିରି ଥାନାରେ ଅଭିଯୋଗ ଆଣିଛନ୍ତି । ତେବେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସୂଚନାଥାଉକି, ଦେଢ଼ମାସ ତଳେ କିଟ୍ ରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଓଟିଭି ତମ୍ବିତୋଫାନ କରିଥିଲା । ଅନ୍ୟପକ୍ଷରେ କିଟ୍ ହଷ୍ଟେଲରେ ରହୁଥିବା ପଶ୍ଚିମବଙ୍ଗର ଜଣେ ତୃତୀୟ ବର୍ଷର ଇଂଜିନିୟରିଂ ଛାତ୍ରଙ୍କର ନିକଟରେ ମୃତ୍ୟୁ ହୋଇଥିଲା । ମଞ୍ଚେଶ୍ୱରର ଏକ ନିର୍ମାଣାଧୀନ କୋଠାରୁ ତାଙ୍କର ମୃତଦେହ ଜବତ କରାଯାଇଥିଲା । ଓଟିଭି ଏହି ଖବରକୁ ନେଇ ଅଧିକ ତମ୍ବିତୋଫାନ କରିବାକୁ ଉଦ୍ୟମ କରିଥିଲା । ସଂପୃକ୍ତ ଛାତ୍ର ମଞ୍ଚେଶ୍ୱର ଯିବା ପଛରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଖବର ପ୍ରସାରଣ କରାଯାଇଥିଲା ।
ଏବେ ନିଜ ସଂସ୍ଥାର ଜଣେ କର୍ମଚାରୀଙ୍କର ସନ୍ଦେହହଜନକ ମୃତ୍ୟୁ ଏବଂ ତାଙ୍କ ପରିବାର ହତ୍ୟା ଅଭିଯୋଗ ଆଣିବା ପରେ ଓଟିଭି ଏହି ଖବରକୁ ସେଭଳି ଗୁରୁତ୍ୱ ଦେଇ କାହିଁକି ପ୍ରସାରଣ କରୁନାହିଁ ବୋଲି ଅନେକ କଟାକ୍ଷ କରିଛନ୍ତି । କିଟ୍ କୁ ବଦନାମ କରିବା ଅଭିଯାନ ଆଗକୁ ବଢ଼ାଇବାରେ ଓଟିଭିର ଦମ୍ଭ ଭାଙ୍ଗିଗଲା ବୋଲି ସେମାନେ କହିଛନ୍ତି ।