ଭୁୁବନେଶ୍ୱର: କିଛି ଦିନ ତଳେ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ନାଁରେ ଏକ ଫୁଲ୍ ପେଜ୍ ବିଜ୍ଞାପନ ସବୁ ଖବରକାଗଜରେ ଆସିଥିଲା । ଲାଞ୍ଜିଗଡ଼ରେ ବକ୍ସାଇଟ୍ ଖଣିକୁ କାର୍ଯ୍ୟକ୍ଷମ କରିବା ଏବଂ ଏହାର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ସେଥିରେ ସରକାରଙ୍କୁ ନିବେଦନ କରାଯାଇଥିଲା । ଲାଞ୍ଜିଗଡ଼ର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଅନୁଷ୍ଠାନ ବୋଲି ଦାବି କରିଥିବା ଏହି ସଂସ୍ଥା ବିପୁଳ ଟଙ୍କା ଖର୍ଚ୍ଚ କରି ବେଦାନ୍ତ ସ୍ୱାର୍ଥରେ ପୂରା ପୃଷ୍ଠାର ରଙ୍ଗୀନ ବିଜ୍ଞାପନ ଦେବା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ଏହି ଅନୁଷ୍ଠାନ ପାଖରେ ଏତେ ଅର୍ଥ ଆସିଲା କୁଆଡୁ ବୋଲି ସାଧାରଣରେ ପ୍ରଶ୍ନ ଉଠିଥିଲା ।
ତେବେ ଅସମର୍ଥିତ ସୂତ୍ରର ଖବର ଅନୁଯାୟୀ, ଏକ ଏଜେନ୍ସି ଜରିଆରେ ଖବରକାଗଜଗୁଡ଼ିକୁ ବିଜ୍ଞାପନ ରିଲିଜ୍ ହୋଇଥିଲା । ତାହା ପୁଣି ଯାହି ତାହି ଏଜେନ୍ସି ନୁହେଁ । ଭାରତ ସମେତ ୧୬ ଟି ଦେଶରେ ଶାଖା ରହିଥିବା ଏକ ଅନ୍ତର୍ଜାତୀୟ ଏଜେନ୍ସି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ ବୃହତ୍ତ ଘରୋଇ ସଂସ୍ଥାର ଅଧ୍ୟକ୍ଷଙ୍କ ଅଫିସ୍ ରୁ ହିଁ ସଂପୃକ୍ତ ଏଜେନ୍ସିକୁ ବିଜ୍ଞାପନ ବାବଦ ଅର୍ଥ ପୈଠ ହୋଇଛି । ୭୫ ଲକ୍ଷରୁ ଅଧିକ ଟଙ୍କା ପୈଠ ହୋଇଥିବା ଏହି ସୂତ୍ରରୁ ଜଣାପଡ଼ିଛି ।
ଆକାଉଣ୍ଟ ଯାଞ୍ଚରୁ ଏହାର ସତ୍ୟତା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି ।
ସୂଚନାଥାଉକି, ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ କାହାର ବୋଲି ବିଧାନସଭାରେ ମଧ୍ୟ ପ୍ରଶ୍ନ ହୋଇଥିଲା । ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଏହା ଉତଥାପନ କରିଥିଲା ବେଳେ ବିଧାନସଭା ବାହାରେ ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ ଏହି ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଥିଲେ । ବିଜ୍ଞାପନ ପଛରେ ବଡ଼ କାରସାଦି ଥିବା ସେ ସନେ୍ଦହ କରିଥିଲେ ।






