ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବଠାରୁ ଆରମ୍ଭ କରି ଲକ୍ଷ୍ମୀ ବସ୍, ନବୀନ ଓଡ଼ିଶା, ନୂଆ-ଓ, ବିଏସକେୱାଇ ଆଦି ଯୋଜନାର ପ୍ରଚାର ପାଇଁ ବିଭିନ୍ନ ଖବରକାଗଜକୁ ବିଜେଡି ସରକାର ବିଜ୍ଞାପନରେ ପୋତି ଦେଇଥିଲେ । ଏହିସବୁ ବିଶେଷ କାର୍ଯ୍ୟକ୍ରମ ଉପରେ ସରକାରଙ୍କ ପକ୍ଷରୁ ଫାଳ ଫାଳ ଆଲେଖ୍ୟ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ ଏବଂ ଫଟୋ ସହ ବିଭିନ୍ନ ଖବରକାଗଜକୁ ବିଜ୍ଞାପନ ଭାବେ ଆଡଭଟୋରାଲ୍ ପ୍ରକାଶ ପାଇଁ ଦିଆଯାଇଥିଲା । ସରକାରୀ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ସହ ଖବରକାଗଜ ମାଲିକଙ୍କୁ ଖୁସି କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା । ସେଇତକ ଦିନ ଖବରକାଗଜକୁ ମାଲିକମାନେ ବିଜ୍ଞାପନକାଗଜ କରିଦେଇଥିଲେ ।
ଖବରକାଗଜଗୁଡ଼ିକୁ ଦିଆଯାଇଥିବା ଏହି ବିଶେଷ ବିଜ୍ଞାପନ ବା ଆଡଭଟୋରାଲ୍ ପାଇଁ ରାଜ୍ୟ ସରକାରଙ୍କ ତହବିଲରୁ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କଣ୍ଟାବାଂଝୀ ବିଧାୟକ ଲକ୍ଷ୍ମଣ ବାଗ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ଅଣଅତାରକା ପ୍ରଶ୍ନ କରିଥିଲେ । ପ୍ରଶ୍ନଟି ଥିଲା, ୨୦୨୩ ଜାନୁଆରୀରୁ ୨୦୨୪ ମଇ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ କେଉଁ ବିଭାଗ କେଉଁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ୫-ଟି ସଚିବ ଓ ଅଧ୍ୟକ୍ଷଙ୍କ ସମ୍ପର୍କରେ କେଉଁ ଖବରକାଗଜ ଓ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇ ସେ ବାବଦରେ କେତେ ଅର୍ଥ ବ୍ୟୟ କରାଯାଇଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି, ଏହି ସମୟ ମଧ୍ୟରେ ଅର୍ଥାତ୍ ଦେଢ଼ବର୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ମୋଟ ୩୩ କୋଟି ୭୧ ଲକ୍ଷ ୪୯ ହଜାର ୧୦୬ ଟଙ୍କା ମୂଲ୍ୟର ବିଜ୍ଞାପନ(Display) ବିଭିନ୍ନ ଖବରକାଗଜମାନଙ୍କରେ ପ୍ରକାଶ ପାଇଛି ।
ଏହି ଉତ୍ତର ସହ ମୁଖ୍ୟମନ୍ତ୍ରୀ ଖବରକାଗଜକୁ ବିଶେଷ ବିଜ୍ଞାପନ ବା ଆଡଭଟୋରାଲ୍ ବାବଦରେ ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା ବ୍ୟୟ ହୋଇଛି ବୋଲି କହିଛନ୍ତି । ସେହି ଆଲେଖ୍ୟମାନଙ୍କରେ ସ୍ଥ୍ଳ ବିଶେଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ୫-ଟି ସଚିବ ଓ ଅଧ୍ୟକ୍ଷଙ୍କ ଫଟୋ ସହିତ ସଂପୃକ୍ତ କାର୍ଯ୍ୟକ୍ରମରେ ଜଡ଼ିତ ବ୍ୟକ୍ତି ବିଶେଷ ଓ ସ୍ଥାନର ଫଟୋ ପ୍ରକାଶ ପାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।
ତେବେ ବୈଦ୍ୟୁତିକ ଗଣମାଧ୍ୟମରେ ଫଟୋ ଭିତ୍ତିକ କୌଣସି ବିଜ୍ଞାପନ ଦିଆଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।