ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ଶାସନଗାଦିରେ ବସିଥିବା ବିଜୁ ଜନତା ଦଳର ସଫଳତାରେ ଆଉ ଏକ ବିରଳ ରେକର୍ଡ ଯୋଡି ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬୦ ରୁ ଅଧିକ ଆସନ ଅକ୍ତିଆର କରିବାକୁ ଯାଉଛି । ଗତଥରର ବିଜେପି ଗଡ଼କୁ ଭାଙ୍ଗି ଚୁରମାର୍ କରି ଦେଇଛି ଦଳ । ସେଠାରେ ଏକତରଫା ବିଜୟ ହାସଲ କରିଛି । ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ବିଜେଡ଼ି ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି ।
୨୦୧୨ ମସିହାରେ ବିଜେଡ଼ି ଖାତାରେ ସର୍ବାଧିକ ୬୫୧ ଜିଲ୍ଲା ପରିଷଦ ଆସନର ରେକର୍ଡ ଥିଲା । ମାତ୍ର ୨୦୧୭ ନିର୍ବାଚନରେ ଦଳର ପ୍ରଦର୍ଶନ ଖରାପ ହୋଇଥିଲା । ମିଳିଥିଲା ୪୭୬ ଆସନ । ବରଗଡ଼, ବଲାଙ୍ଗୀର, ଦେବଗଡ଼, ସମ୍ବଲପୁର, ସୋନପୁର, ଗଜପତି, କଳାହାଣ୍ଡି ଏବଂ ମୟୁରଭଞ୍ଜ ଜିଲ୍ଲାରେ ବିଜେଡ଼ିକୁ ମାତ୍ ଦେଇଥିଲା ବିଜେପି । ମାତ୍ର ସେଠାରେ ଏଥରର ସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଛି । ପଶ୍ଚିମ ଓଡ଼ିଶାକୁ ବିଜେପି କବଳରୁ ଛଡ଼ାଇ ଆଣିଥିଲା ବେଳେ ଉପକୂଳ ଓଡ଼ିଶାରେ ବିଜେଡ଼ି ନିଜର ସ୍ଥିତିକୁ ଆହୁରି ମଜବୁତ୍ କରିଛି ।
ବିଜେଡ଼ିର ଦୃଢ଼ ସଂଗଠନ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଲୋକପ୍ରିୟତା ତଥା ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଜେଡ ସଫଳତାର ମୁଖ୍ୟ କାରଣ ହୋଇଥିବା ବେଳେ ବିରୋଧୀ ଦଳଙ୍କ ଉପରୁ ଗ୍ରାମାଞ୍ଚଳ ଭୋଟର ମୁହଁ ଫେରାଇ ନେଇଥିବାରୁ ବିଜେଡ଼ି ସଫଳତା ଦ୍ୱିଗୁଣିତ ହୋଇଥିବା କୁହାଯାଉଛି । ଗ୍ରାମାଞ୍ଚଳ ଭୋଟରଙ୍କର ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା କେବଳ ଅତୁଟ ନାହିଁ, ବରଂ ଅଧିକ ବଢ଼ିଥିବା ପ୍ରମାଣିତ ହୋଇଛି ।
ରାଜନୈତିକ ସମୀକ୍ଷକମାନଙ୍କ ମତରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସାଙ୍ଗରେ ଯୋଡି ହୋଇଯାଇଛି ତାଙ୍କ ସରକାରର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ । କୋଭିଡ଼୍ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତା, ମାଗଣା ଚିକିତ୍ସା ଏବଂ ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନାର ବହୁତ ପ୍ରଭାବ ପଡ଼ିଛି ।
ସେପଟେ ସାଂଗଠନିକ ଶୃଙ୍ଖଳା ଯୋଗୁଁ ଦଳ ବର୍ଷତମାମ ଲୋକମାନଙ୍କ ସହିତ ଯୋଡି ହୋଇରହିଛି । ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ କର୍ମୀମାନେ ନେଉଛନ୍ତି । ଦଳ ଓ ସରକାର ଭିତରେ ଉତ୍ତମ ସମନ୍ୱୟ ରକ୍ଷା ଯୋଗୁଁ ଏହା ସମ୍ଭବ ହୋଇପାରୁଛି ।
ବିଜେଡ଼ିର ଯୋଜନାବଦ୍ଧ ରଣନୀତି ମଧ୍ୟ ବିଶାଳ ସଫଳତାର ଅନ୍ୟତମ କାରଣ । ଗତ ନିର୍ବାଚନରେ ଦଳର ଦୋଷ ଦୁର୍ବଳତାକୁ ବାହାର କରି ତାକୁ ସଜାଡ଼ିବା ପାଇଁ ବିଜେଡ଼ି ଅକ୍ଲାନ୍ତ ପରିଶ୍ରମ କରିଥିଲା । ଯାହାର ଶ୍ରେୟ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କର । ସାରା ରାଜ୍ୟ ବୁଲି ତୃଣମୂଳସ୍ତରରେ ଦଳକୁ ମଜବୁତ କରିବାରେ ବବିଙ୍କ ଅବଦାନକୁ ସବୁ ମହଲରୁ ପ୍ରଶଂସା କରାଯାଉଛି । ସର୍ବୋପରି ନବୀନଙ୍କ ନେତୃତ୍ୱ, ସରକାରଙ୍କ ଲେକାଭିମୁଖୀ କାର୍ଯ୍ୟକ୍ରମ ଏବଂ ବବିଙ୍କ ସାଂଗଠନିକ ସଂଚାଳନ ବିଜେଡ଼ିକୁ ରେକର୍ଡ ବିଜୟୀ କରାଯାଇଛି ।