ଭୁବନେଶ୍ୱର: ଭୋଟ ଗଣତିର ଦ୍ୱିତୀୟ ଦିନରେ ବି ବିଜେଡ଼ିର ବୃହତ୍ତ ବିଜୟ ଯାତ୍ରା ଜାରି ରହିଛି । ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ଦେଇଛି ଦଳ । ଆଜି ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡିଂରେ ୬୨୦ ଜିଲ୍ଲା ପରିଷଦ ମଧ୍ୟରୁ ବିଜେଡ଼ି ସପକ୍ଷରେ ୫୫୨ ଆସନ ରହିଛି । ବିଜେପି ଓ କଂଗ୍ରେସ ସପକ୍ଷରେ ୩୧ ଲେଖାଏଁ ଆସନ ଥିବା ବେଳେ ଅନ୍ୟାନ୍ୟ ଦଳ ସପକ୍ଷରେ ରହିଛି ୭ ଟି ଆସନ ।
ଗତକାଲି ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ୍ ର ଭୋଟ ଗଣତି ହୋଇଥିଲା । ଏହା ମଧ୍ୟରୁ ନିଆଳୀ ଅନ୍ତର୍ଗତ ଗୋଟିଏ ଜୋନ୍ ର ଗଣତି ସ୍ଥଗିତ ରହିଥିବା ଦୃଷ୍ଟିରୁ ନିର୍ବାଚନ କମିସନଙ୍କ ପକ୍ଷରୁ ୩୧୪ ଆସନର ଫଳାଫଳ ଘୋଷଣା ହୋଇଛି । ବିଜେଡ଼ି ୨୮୧ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୫, କଂଗ୍ରେସ ୧୪ ଏବଂ ଅନ୍ୟାନ୍ୟ ଦଳ ୪ଟି ଆସନରେ ବିଜୟୀ ହୋଇଛନ୍ତି ।
ଦ୍ୱିତୀୟ ଦିନରେ ଆଜି ସକାଳୁ ୩୦୬ ଜିଲ୍ଲା ପରିଷଦ ଜୋନ୍ ର ଭୋଟ ଗଣତି ଚାଲିଛି । ଗତକାଲିର ୩୧୪ ଆସନକୁ ମିଶାଇ ସଂଧ୍ୟା ସୁଦ୍ଧା ୩୨୧ ଜିଲ୍ଲା ପରିଷଦ ଆସନର ଫଳାଫଳ ଘୋଷଣା ହୋଇଛି । ସେଥରୁ ବିଜେଡ଼ି ୨୮୮ ଆସନରେ ବିଜୟୀ ହୋଇଛି । ବିଜେପି ୧୫ ଏବଂ କଂଗ୍ରେସ ୧୪ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ଦଳ ପାଇଛନ୍ତି ୪ ଟି ଆସନ ।
ଦୁଇଦିନର ଟ୍ରେଣ୍ଡିଂ ଏବଂ ଫଳାଫଳକୁ ଦେଖିଲେ ବିଜେଡ଼ି ଏକ ବୃହତ୍ତ ବିଜୟ ପଥକୁ ଅଗ୍ରସର ହେଉଛି । ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନର ସମ୍ଭାବନା ଉଜ୍ଜଳ ହୋଇଥିବା ବେଳେ ୭୦୦ ଆସନ ପାର୍ ସହ ରେକର୍ଡ କରିବ ବୋଲି ଅନୁମାନ କରାଯାଉଛି । ୨୦୧୨ ନିର୍ବାଚନରେ ବିଜେଡ଼ି ନାଁରେ ୬୫୧ ଜିଲ୍ଲା ପରିଷଦ ଆସନର ରେକର୍ଡ ଥିଲା । ୨୦୧୭ ମସିହାରେ ବିଜେଡ଼ି ୪୭୬ ଆସନ ପାଇଥିଲା ।
ଗତଥର ୨୯୭ ଆସନ ପାଇଥିବା ବିଜେପି ଚଳିତ ଥର ୫୦ ଆସନ ଛୁଇଁବା କଷ୍ଟକର ଦିଶିଲାଣି । ବରଂ ଗତଥର ୬୦ ଆସନ ପାଇ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ସହ ଦୁଇନମ୍ବର ପୋଜିସନ୍ ପାଇଁ ବିଜେପି ଲଜ୍ଜାଜନକ ସଂଘର୍ଷ କରୁଛି । ବିଜେଡ଼ିର ବିକଳ୍ପ ବୋଲି ଦାବି କରି ଆସୁଥିବା ବିଜେପିର ଏହି ଦହନୀୟ ସ୍ଥିତିକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ପରିସ୍ଥିତି ଏଭଳି ହୋଇଛି ଯେ ବିଜେପି ଅତି କମ୍ ଆସନ ସହ ଦୁଇ ନମ୍ବର ସ୍ଥିତି ରକ୍ଷା କରିବା ବି କଷ୍ଟକର ହୋଇଗଲାଣି ।
କାରଣ ଆଜି ସଂଧ୍ୟା ସୁଦ୍ଧା ଆସିଥିବା ଟ୍ରେଣ୍ଡିଂରେ ବିଜେପି ଓ କଂଗ୍ରେସ ସମାନ ସଂଖ୍ୟକ(୩୧) ଆସନରେ ଆଗୁଆ ଅଛନ୍ତି । ଆଉ ଗୋଟିଏ ଦିନ ଭୋଟ ଗଣତି ଥିବାରୁ କିଏ ଦୁଇ ନମ୍ବରରେ ରହିବ ତାହା ଏବେଠାରୁ କହିହେବନାହିଁ ।