ଭୁବନେଶ୍ୱର: କଟକରୁ କେନ୍ଦୁଝର । ମାଲକାନଗିରିରୁ ମୟୁରଭଞ୍ଜ । ସବୁଠି ବିଜେପିର ଦହନୀୟ ଅବସ୍ଥା । ଗ୍ରାମାଞ୍ଚଳ ଭୋଟର ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ୨୦୧୭ ନିର୍ବାଚନରେ ଦଳ ୨୯୭ ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବା ସହ ୮ ଟି ଜିଲ୍ଲାରେ ପରିଷଦ ଗଠନ କରିଥିଲା । ମାତ୍ର ଏଥର ୫୦ ଅଙ୍କ ଛୁଇଁବା ସମ୍ଭବ ହେଉନି । ୧୦ ଜିଲ୍ଲାରେ ବିଜେପି ଖାତା ଖୋଲି ପାରିନାହିଁ । ମୋଟାମୋଟି କହିଲେ, ଏଇ ତିନିବର୍ଷ ତଳେ ମୁଖ୍ୟ ବିରୋଧୀ ଦଳ ଆସନରେ ବସେଇଥିବା ବିଜେପିଠାରୁ ଓଡ଼ିଶାବାସୀ ଭରସା ତୁଟେଇ ଦେଇଛନ୍ତି ।
ବିଜେପିରେ ଏଠି ନେତାଙ୍କର ଅଭାବ ନାହିଁ । ମାଳ ମାଳ ମୁଖ୍ୟମନ୍ତ୍ରୀ ଦାବିଦାର ଅଛନ୍ତି । ମାତ୍ର ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଉଥିବା ନେତୃତ୍ୱର ଅଭାବ ରହିଛି । ଗତ ପଞ୍ଚାୟତ ନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପ୍ରଚାରର ମଙ୍ଗ ଧରିବା ସହ ସଂଗଠନକୁ ପରିଚାଳନା କରିଥିଲେ । ଆଉ ବିଜେପିକୁ ତାହାର କିଞ୍ଚିତ ଫଳ ମିଳିଥିଲା । ମାତ୍ର ଏଥର ଧର୍ମେନ୍ଦ୍ର ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ୱ ବାହାନାରେ ଓଡ଼ିଶା ପଞ୍ଚାୟତ ନିର୍ବାଚନଠାରୁ ସମ୍ପୂର୍ଣ୍ଣ ଦୂରେଇଗଲେ । ରାଷ୍ଟ୍ରପତିଙ୍କ ଗସ୍ତବେଳେ ଓଡ଼ିଶା ଆସି ବି ନିର୍ବାଚନ ଭିତରେ ମୁଣ୍ଡ ପୂରାଇଲେନି । କାରଣ ଯାହା ବି ହେଉ, ତାଙ୍କର ନେତୃତ୍ୱ ବିହୀନେ ଦଳର ଅବସ୍ଥା କ’ଣ ତାହା ଦେଖିବାକୁ ମିଳୁଛି । ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ବିଶ୍ୱେଶ୍ୱର ଟୁଡୁ, ପ୍ରତାପ ଷଡ଼ଙ୍ଗୀ, ଜୁଏଲ୍ ଓରାମଙ୍କ ଭଳି ହେଭିୱେଟ୍ ନେତା ରାଜ୍ୟ ସମ୍ଭାଳିବେ କ’ଣ ନିଜ ନିଜର ଗଡ଼କୁ ମଧ୍ୟ ବଞ୍ଚାଇପାରିଲେନି!
ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଅଧିକାଂଶ ନେତାଙ୍କର ଦେଖାଦର୍ଶନ ମିଳୁ ନାହିଁ । ସମ୍ଭବତଃ ମୁହଁ ଦେଖାଇବାକୁ ଲାଜ ଲାଗୁଛି । ହାତଗଣତି ନେତା ଟିଭି ଡିବେଟ୍ ରେ ଆସୁଥିଲେ ମଧ୍ୟ ପରାଜୟକୁ ସହଜରେ ସ୍ୱୀକାର କରୁନାହାନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଟିଭି ଚାନେଲ୍ କୁ ସାକ୍ଷାତକାର ଦେବା ବେଳେ ସେମିତି ଗୁଣ୍ଡା ଭଳି ଆଚରଣ କରୁଛନ୍ତି । ଅଖାଡୁଆ, ବିରକ୍ତିକର ଯୁକ୍ତି କରୁଛନ୍ତି । ନିର୍ବାଚନ ଫଳାଫଳକୁ ‘ଧନମତ’ କହି ଗ୍ରାମାଞ୍ଚଳ ଭୋଟରଙ୍କୁ ଲାଞ୍ଚୁଆ ଆଖ୍ୟା ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ନେଡ଼ି ଗୁଡ଼ କହୁଣୀକୁ ବୋହିଗଲା ପରେ ବି ସାଧାରଣ ଜନତାଙ୍କ ଦ୍ୱାରା ସେମାନେ ପ୍ରତ୍ୟାଖ୍ୟାତ ହେବାର କାରଣ ହୃଦୟଙ୍ଗମ ନ କରିବା ବିଜେପି ପ୍ରେମୀମାନଙ୍କୁ ବାସ୍ତବିକ ଅଧିକ ଲଜ୍ଜିତ କରୁଛି ।
୨୦୧୭ ପରଠୁଁ ବିଜେପି ନେତାଙ୍କର ଭୂଆଁବାଣ ଏବଂ ଅହଂଭାବ ଲୋକମାନଙ୍କୁ ଅସହ୍ୟ ହେବା ସହ କର୍ମୀମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥିବା ଏବେ ଜଣାପଡୁଛି । ଅର୍ଥାତ୍ ଗାଁରେ ଚାଲିଲାନି ବିଜେପିର ଗପ । ଗାଁ ଦାଣ୍ଡଠାରୁ ସହରର ଖଟି ଜାଗା ସବୁଠି ବିଜେପି ପରାଜୟକୁ ନେଇ ଚର୍ଚ୍ଚା । ଆଉ ଏହାର କାରଣ ଗୁଡ଼ିକ ହେଉଛି..
– ବିଜେପି ନେତା/ନେତ୍ରୀମାନଙ୍କ ମନ୍ତବ୍ୟ ଓଡ଼ିଶାବାସୀ ଟିଭିରେ ଶୁଣୁଛନ୍ତି । ସେମାନେ ପ୍ରସଙ୍ଗ ଉପରେ କ’ଣ କହନ୍ତି ନ କହନ୍ତି ତାହା ଭିନ୍ନ କଥା । ମାତ୍ର ସେମାନଙ୍କ ଭାବଭଙ୍ଗୀ, ଆଚରଣ ଓ ଉଚ୍ଚାରଣ ବିରକ୍ତିକର । ଖୋଦ୍ ସେମାନଙ୍କ ଦଳର ଅନେକ ନେତା ଓ କର୍ମୀଙ୍କୁ ମଧ୍ୟ ତାହା ପସନ୍ଦ ହୁଏ ନାହିଁ । ଅତଏବ, ଶିଷ୍ଟାଚାରରେ କେମିତି କଥା କୁହାଯାଏ ଏବଂ ଲୋକଙ୍କ ମନକୁ ଛୁଇଁହୁଏ ତାହା ଟିଭିରେ ମୁହଁ ଦେଖାଉଥିବା ବିଜେପି ନେତା ଏ ଯାଏଁ ଶିଖି ପାରିନାହାନ୍ତି ।
– ଗର୍ବ ଓ ଅହଂକାର ଅଧିକାଂଶ ବିଜେପି ନେତାଙ୍କର ଏକ ଅଳଙ୍କରଣ ହୋଇଥିବା ସାଧାରଣରେ ବିଶ୍ୱାସ ଜନ୍ମିସାରିଛି । ରାଜ୍ୟରେ ସରକାର ଗଢ଼ିବେ ବୋଲି ଖାଲି ହାୱା କରି କରି ସେମାନେ ନିଜକୁ ଅହଂକାରୀ କରିଦେଇଛନ୍ତି । ଏମାନଙ୍କର ଅହଂକାର ସ୍ୱଭାବ ଲୋକଙ୍କ ପାଇଁ ଗ୍ରହଣୀୟ ହେଉନାହିଁ । ବରଂ ବିରକ୍ତିକର ହେଉଛି । ସେମାନଙ୍କ କଥା ଓ କାମରେ ଆକାଶ ପାତାଳ ଫରକ ।
– ସରକାର ଓ ଶାସକ ଦଳ ବିରୋଧରେ ପ୍ରସଙ୍ଗକୁ କିଭଳି ଅସ୍ତ୍ର କରାଯାଏ, ବିଜେପି ବାଲାଙ୍କୁ ସେହି ବିଦ୍ୟା ଜଣାନାହିଁ । ଯେମିତି କି ମାହାଙ୍ଗା ଡବଲ୍ ମର୍ଡର ଏବଂ ମମିତା ମେହେର ପ୍ରସଙ୍ଗ । ବିଜେପି ନେତାଙ୍କୁ ମାହାଙ୍ଗାରେ ମର୍ଡର କରାଗଲା । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମର୍ଡର କଳାହାଣ୍ଡିରେ ହେଲା । ଅଥଚ ବିଜେପି ନେତାମାନେ ସ୍ଥାନୀୟ ଅଞ୍ଚଳର ଜନମତକୁ ଧ୍ୟାନ ଦେଲେ ନାହିଁ । ସେମାନଙ୍କର ବେଶୀ ଧ୍ୟାନ ରହିଲା ଟିଭି କ୍ୟାମେରା ଉପରେ । ଭୁବନେଶ୍ୱରର ରାମମନ୍ଦିର ଛକରୁ ଶିଶୁଭବନ ଛକ ଦେଇ ନବୀନ ନିବାସ ରାସ୍ତା ହେଲା ଫୋକସ୍ ପଏଣ୍ଟ । କାରଣ ଥିଲା ରାଜଧାନୀରେ ଆନ୍ଦୋଳନ କଲେ, ସବୁ ଟିଭିରେ ମୁହଁ ଦିଶିବ । ଖବରକାଗଜରେ ଫଟୋ ବାହାରିବ । ଦ୍ୱିତୀୟ କଥା ହେଉଛି, ଗୋଟିଏ ପ୍ରସଙ୍ଗକୁ ଲଜିକାଲ୍ ଏଣ୍ଡ୍ କୁ ନ ଟାଣି ନୂଆ ପ୍ରସଙ୍ଗକୁ ଡିଆଁ ମାରିବା ଏବଂ ପୁରୁଣା ପ୍ରସଙ୍ଗକୁ ଭୁଲିଯିବା । ନୟାଗଡ଼ ପରୀ ହତ୍ୟାକାଣ୍ଡ, ମାହାଙ୍ଗା ଡବଲ୍ ମର୍ଡର ଏବଂ ମମିତା ମେହେର ପ୍ରସଙ୍ଗ ତାହାର ଜ୍ୱଳନ୍ତ ଉଦାହରଣ । ସାଧାରଣ ଲୋକଙ୍କର ମନରେ ସେମାନେ ବିଶ୍ୱାସ ଜନ୍ମାଇଲେ ଯେ ବିଜେପି ଯାହା କହୁଛି ସେଥିରେ ଦମ୍ ନାହିଁ । ଡାମ୍ଫା ମାରୁଛନ୍ତି ।
– ସାଧାରଣ ଜନତାଙ୍କ ସହ ଯୋଡି ହୋଇ ରହିବାର ଲକ୍ଷଣ ଓଡ଼ିଶା ବିଜେପି ନେତାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ । ସେଥିପାଇଁ ସାଂଗଠନିକ ବିସ୍ତାର ଏବଂ ଦଳୀୟ କାର୍ଯ୍ୟକ୍ରମରେ ସେମାନଙ୍କ ମନ ନାହିଁ । ତୃଣମୂଳସ୍ତରକୁ ନ ଯାଇ ବଡ଼ ନେତାମାନେ ଭୁବନେଶ୍ୱରର ପାର୍ଟି ଅଫିସ୍ ଏସି ରୁମ୍ ରେ ବସି ପ୍ରେସ୍ ମିଟ୍ କରିବାଟା ମୁଖ୍ୟ ଦଳୀୟ କାର୍ଯ୍ୟକ୍ରମ ବୋଲି ଧରିନେଇଛନ୍ତି । ସୁତରାଂ ଲୋକଙ୍କ ସମସ୍ୟାର ସମାଧାନ ନୁହେଁ ବରଂ ଟିଭିରେ ମୁହଁ ଦେଖାଇବାଟା ବିଜେପି ନେତୃତ୍ୱର ଆଦତ୍ ବୋଲି ଭୋଟର ଜାଣିସାରିଲେଣି ।
– ସୋସିଆଲ୍ ମିଡ଼ିଆରେ ବିରୋଧୀଙ୍କୁ ଭାଷା ଅଭାଷାରେ ଆକ୍ରମଣ କରିବାର ବିଦ୍ୟା ଓ କୌଶଳରେ ବିଜେପି ମୂଳରୁ ଧୂରନ୍ଧର । ମାତ୍ର ଏହା ଦଳ ପାଇଁ ଯେ ବୁମେରାଂ, ତାହା ସେମାନେ ବୁଝି ନ ଥିଲେ କି ବୁଝିବା ମାନସିକତାରେ ନାହାନ୍ତି । ସାଧାରଣ ଜନତା ନିଜର ମୋବାଇଲ୍ ରେ ହ୍ୱାଟସ୍ ଆପ୍ କି ଫେସବୁକ୍ ରୁ ରାଜନୈତିକ ଗାଳିମନ୍ଦରୁ ମଜ୍ଜା ନିଅନ୍ତି ସତ ମାତ୍ର ତାହା ଅର୍ଥ ନୁହେଁ ଯେ ସେମାନେ ବୋକା । ବରଂ ଏଥିରୁ ରାଜନୈତିକ ଦଳର ଚରିତ୍ର ତଉଲି ଦିଅନ୍ତି । ଏହି ଦୃଷ୍ଟିରୁ ବିଜେପି ଲୋକଙ୍କ ବିଶ୍ୱାସଭାଜନ ହୋଇପାରୁନାହିଁ ।