ଭୁବନେଶ୍ୱର: ମାହାଙ୍ଗାର ବିଜେଡି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶରତ ନାୟକଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇଛି । ବହୁ ଚର୍ଚ୍ଚିତ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ରହସ୍ୟକୁ ଚପାଇବା ପାଇଁ ତାଙ୍କ ଭୂମିକା ଭାଇରାଲ୍ ଅଡିଓରୁ ଜଣାପଡ଼ିବା ପରେ ଦଳ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ସସପେଣ୍ଡ କରିଛନ୍ତି ।
ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଘନିଷ୍ଠ ସହଯୋଗୀ ଭାବେ ଶରତ ନାୟକଙ୍କୁ ସମସ୍ତେ ଜାଣନ୍ତି । କଂଗ୍ରେସ ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ସେ ପୂର୍ବରୁ ବିବାଦୀୟ ଥିଲେ । ଏବେ ତାଙ୍କୁ ଆହୁରି ବିବାଦୀୟ କରିଛି ଏକ ଅଡିଓ ଟେପ୍ । ଦୁଇମାସ ତଳେ ଗୋକନ ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ପରିପ୍ରେକ୍ଷୀର ସେ ସ୍କୁଲର ଖେଳ ଶିକ୍ଷକଙ୍କ ମା’ ଙ୍କ ସହ ଫୋନ୍ ରେ କଥା ହୋଇଥିଲେ । ଛାତ୍ରୀଙ୍କ ମୃତ୍ୟୁ ଅସ୍ୱାଭାବିକ ବୋଲି ସେ ଇସାରା ଦେବା ସହ ଶବକୁ ପୋଡ଼ି ନଦୀରେ ଭସାଇ ଦିଆଯାଇଥିବା କହିଥିଲେ । ଖେଳ ଶିକ୍ଷକଙ୍କ ସହ ପ୍ରେମ ସମ୍ପର୍କ ତାଙ୍କ ମୃତ୍ୟୁର କାରଣ ହୋଇଥିବାରୁ ପୁଲିସ, ସାମ୍ବାଦିକଙ୍କୁ ଚୁପ୍ କରି ମାମଲାକୁ ରଫାଦଫା କରିବା ପାଇଁ ୭୦ ହଜାର ଟଙ୍କା ଦାବି କରିଥିଲେ ।
ଏହି ଅଡିଓ ଭାଇରାଲ୍ ହେବା ପରେ ଗୋକନ ହାଇସ୍କୁଲ ସଭାପତି ଥିବା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ଭୂମିକାକୁ ନେଇ ହଟଚମଟ ସୃଷ୍ଟି ହୋଇଛି । ଛାତ୍ରୀ ମୃତ୍ୟୁ ରହସ୍ୟ ଖୋଲିବା ପାଇଁ ପୁଲିସ ତଦନ୍ତ ଆରମ୍ଭ ହୋଇଯାଇଛି । ଆଜି ସଂପୃକ୍ତ ଖେଳ ଶିକ୍ଷକ ଅନୁପମ ରାୟ ଏବଂ ତାଙ୍କ ମା’ ବିଜୟଲକ୍ଷ୍ମୀ ରାୟଙ୍କୁ ପୁଲିସ ଜେରା କରି ବୟାନ ରେକର୍ଡ କରିଛି । ଖୁବ୍ ଶୀଘ୍ର ଶ୍ରୀ ନାୟକଙ୍କୁ ପୁଲିସ ଜେରା କରିବ ବୋଲି ଜଣାପଡ଼ିଛି ।