ଭୁବନେଶ୍ୱର: ପୌର ନିର୍ବାଚନରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରତିଫଳନ ହୋଇଛି । ଦୀର୍ଘ ୨୨ ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି ଉପରୁ ସହରୀ ଭୋଟରଙ୍କ ମନ ମଧ୍ୟ ଭାଙ୍ଗିନି । ଆଜି ଆସିଥିବା ପୌର ନିର୍ବାଚନ ଫଳାଫଳ ବା ଟ୍ରେଣ୍ଡରୁ ଏହା ସ୍ପଷ୍ଟ ହେଉଛି । ୧୦୮ ଟି ପୌରାଧ୍ୟକ୍ଷ ଆସନ ମଧ୍ୟରୁ ବିଜେଡ଼ି ୭୫ ଟି ଆସନରେ ବିଜୟୀ/ଆଗୁଆ ରହିଛି । ବିଜେପି ୧୭ ଟି, କଂଗ୍ରେସ ୭ ଟି ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୯ଟି ସ୍ଥାନରେ ବିଜୟୀ/ଆଗୁଆ ଅଛନ୍ତି । ତେବେ ଏହା ଅନ୍ତର୍ଭୁକ୍ତ ୱାର୍ଡଗୁଡ଼ିକରେ ବିଜେଡ଼ି ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛି ।
ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ତିନିଟିଯାକ ମହାନଗର ନିଗମର ମେୟର ଆସନ ବିଜେଡ଼ି ହାତକୁ ଯିବା ସ୍ପଷ୍ଟ ହୋଇଗଲାଣି । ବ୍ରହ୍ମପୁରରେ ସଂଘମିତ୍ରା ଦଳାଇ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ୨୦ରୁ ଅଧିକ ଭୋଟରେ ପରାସ୍ତ କରି ମେୟର ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର ଏବଂ କଟକରେ ବିଜେଡ଼ି ପ୍ରାର୍ଥୀ ଯଥେଷ୍ଟ ବ୍ୟବଧାନରେ ଆଗୁଆ ଅଛନ୍ତି । ତିନୋଟିଯାକ ମହାନଗର ନିଗମରେ ବିଜେଡ଼ିର କର୍ପୋରେଟର ପ୍ରାର୍ଥୀମାନେ ଯଥେଷ୍ଟ ସଂଖ୍ୟାରେ ଆଗୁଆ/ବିଜୟୀ ହୋଇଛନ୍ତି ।
ସାରା ରାଜ୍ୟରେ ୱାର୍ଡୱାରୀ ଦେଖିଲେ, ୧୮୮୮ ପୌର ୱାର୍ଡ ମଧ୍ୟରୁ ଦିନ ୨ ଟା ସୁଦ୍ଧା ୧୭୯୦ ୱାର୍ଡର ଫଳ ହସ୍ତଗତ ହୋଇଛି । ବିଜେଡ଼ି ୧୨୨୨ ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି ୩୦୨, କଂଗ୍ରେସ ୧୩୭ ଏବଂ ଅନ୍ୟାନ୍ୟଙ୍କ ପାଖକୁ ୧୨୯ ୱାର୍ଡ ଯାଇଛି ।
ତେବେ ବିଜେଡ଼ି ପାଇଁ କିଛି ଜାଗାର ପୌରାଧ୍ୟକ୍ଷ ଫଳାଫଳ ଝଟକା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର କୋଦଳା, ରମ୍ଭା ଏନଏସି ପୌରାଧ୍ୟକ୍ଷ ଆସନ ବିଜେପି ଦଖଲକୁ ଯାଇଥିବା ବେଳେ ଦିଗପହଣ୍ଡି ଏନଏସି କଂଗ୍ରେସକୁ ଏବଂ ଗଞ୍ଜାମ ଏନଏସି ସ୍ୱାଧୀନ ପ୍ରାର୍ଥୀଙ୍କ ଦଖଲକୁ ଯାଇଛି । ଢ଼େଙ୍କାନାଳ, ଫୁଲବାଣୀ, ଟିଟିଲାଗଡ଼, ରେଢ଼ାଖୋଲ, ଧର୍ମଗଡ଼, ଜୁନାଗଡ, ନବରଙ୍ଗପୁର ଆଦି ଆସନ ବିଜେପି ପାଖକୁ ଯାଇଛି । ଅନ୍ୟପକ୍ଷରେ ଜୟପୁର, କୋଟପାଡ଼, ଖଡ଼ିଆଳ ଆଦି ଆସନରେ କଂଗ୍ରେସର ବିଜୟ ହୋଇଛି ।