ଭୁବନେଶ୍ୱର: ଯେଉଁ ମେମୋରି ଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି, ସେଥିରେ କ’ଣ ଥିଲା? ମୃତ ମାନସଙ୍କର ଜଣେ ସହଯୋଗୀ ଆଜି ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛନ୍ତି । ଉକ୍ତ ଯୁବକଜଣଙ୍କ ମାନସଙ୍କର ସହଯୋଗୀ ଭାବେ କାମ କରୁଥିଲେ । ପୁଲିସ ଏବଂ କୋର୍ଟରେ ତାଙ୍କର ବୟାନ ପୂର୍ବରୁ ଲିପିବଦ୍ଧ ହୋଇସାରିଛି । ଏହି ଯୁବକଙ୍କ ବୟାନ ଏବଂ ଅନ୍ୟାନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ହିଁ ପୁଲିସ ନିରଞ୍ଜନ ସେଠୀଙ୍କୁ ଗିରଫ କରିଛି ।
ମାନସଙ୍କର ଏହି ସହଯୋଗୀଙ୍କ ବୟାନ ଅନୁଯାୟୀ, ଗତ ଜାନୁଆରୀ ୨୯ ତାରିଖରେ ପୁରୀ ସମୁଦ୍ର ବେଳାଭୂମିରେ ଏକ ସର୍ଟ ଫିଲ୍ମ ସୁଟ୍ କରିଥିଲେ ମାନସ । ଯେଉଁଥିରେ ସଂପୃକ୍ତ ସହଯୋଗୀ କ୍ୟାମେରା ଆସିଷ୍ଟାଣ୍ଟ ଦାୟିତ୍ୱରେ ଥିଲେ । ଶର୍ମିଷ୍ଠା ରାଉତଙ୍କ ୱେବ୍ ଚାନେଲ୍ ପ୍ରଯୋଜନାରେ ନିର୍ମିତ ଏହି ସର୍ଟ ଫିଲ୍ମର ହୀରୋ ଥିଲେ ନିରଞ୍ଜନ ସେଠୀ । ହୀରୋଇନ୍ ଭାବେ ସେଥିରେ ଦୁଇଜଣ ଯୁବତୀ ଥିଲେ ।
ସେଦିନର ସୁଟିଂ ଦୃଶ୍ୟଟି ଥିଲା, ଗୋଟିଏ ପିଲା ସମୁଦ୍ରରେ ବୁଡ଼ିଯାଉଛି ଏବଂ ହୀରୋ ନିରଞ୍ଜନ ସମୁଦ୍ରରୁ ତାକୁ ଉଦ୍ଧାର କରୁଛନ୍ତି । ଏହା ପରେ ନିରଞ୍ଜନଙ୍କ ସହ ଦୁଇଜଣ ଯୁବତୀ(ହିରୋଇନ୍) ସମୁଦ୍ରରେ ଗାଧୋଉଛନ୍ତି ।
ପରବର୍ତ୍ତୀ ସମୟରେ ଏହି ସିନ୍ କଏଦ ହୋଇଥିବା ଚିପ୍ ଟି ମାନସଙ୍କଠାରୁ ନେଇଯିବାକୁ ଶର୍ମିଷ୍ଠା ଚାହିଁଥିଲେ । ମାତ୍ର ମାନସଙ୍କର ପ୍ରାୟ ୫ ମାସର ଦରମା ଶର୍ମିଷ୍ଠା ଦେଇ ନ ଥିବାରୁ ଚିପ୍ ଟି ତାଙ୍କ ହାତକୁ ଦେବାକୁ ଅମଙ୍ଗ ଥିଲେ । ଏହି କାରଣରୁ ଶର୍ମିଷ୍ଠା ତାଙ୍କୁ ଧମକ ଦେଉଥିବା ମାନସ ତାଙ୍କୁ ଜଣାଇଥିଲେ ବୋଲି ସହଯୋଗୀ କହିଛନ୍ତି ।
ତେବେ ଉକ୍ତ ଚିପ୍ ରେ କେବଳ ଯୁବତୀଙ୍କ ସହ ନିରଞ୍ଜନ ସେଠୀଙ୍କ ସମୁଦ୍ରରେ ଗାଧୁଆ ଦୃଶ୍ୟ ଥିଲା ନା ଆହୁରି ଅଧିକ କିଛି ଥିଲା ସେ ସମ୍ପର୍କରେ ମାନସଙ୍କ ସହଯୋଗୀ ଜାଣିନାହାନ୍ତି । ପୁରୀ ସମୁଦ୍ର ବେଳାଭୂମିରେ ସୁଟିଂ ବେଳେ ସେ ଉପସ୍ଥିତ ଥିବାରୁ ମାନସ ତାଙ୍କୁ କେବଳ ସେହି ସିନ୍ କଥା କହିଛନ୍ତି । ଅନ୍ୟ କ’ଣ ଅଛି ସେ ସମ୍ପର୍କରେ ମାନସ ତାଙ୍କୁ କିଛି କହିନାହାନ୍ତି ବୋଲି ସଂପୃକ୍ତ ସହଯୋଗୀ କହିଛନ୍ତି ।
ସେପଟେ ଶର୍ମିଷ୍ଠାଙ୍କ ମା’ ଗଣମାଧ୍ୟମକୁ ଆଜି ବୟାନ ଦେଇଛନ୍ତି ଯେ ପୁଲିସ ଦ୍ୱାରା ଗିରଫ ହୋଇଥିବା ତାଙ୍କ ପୁଅ ପରମେଶ୍ୱରର କିଛି ଦୋଷ ନାହିଁ । ଶର୍ମିଷ୍ଠା ଏଭଳି କିଛି କାଣ୍ଡ କରିଥିବା ସେ ଅବଗତ ନଥିଲା । ଜରୁରୀ କାମ ପାଇଁ ତା’ ଆକାଉଣ୍ଟକୁ ୧୦ ହଜାର ଟଙ୍କା ପଠାଇବାକୁ ନିରଞ୍ଜନ ସେଠୀ ପୁଅକୁ ଫୋନ୍ କରିବାରୁ ସେ ଟଙ୍କା ପଠାଇଥିଲା । ଭଉଣୀ ହିସାବରେ ପୁଅ ତା’ର କର୍ତ୍ତବ୍ୟ କରିଛି । ମୋ ପୁଅକୁ ଦଣ୍ଡ ଦିଅ ନାହିଁ । ଆମ ପରିବାର ଭାସିଯିବ ବୋଲି ମା’ କହିଛନ୍ତି ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ଭୁବନେଶ୍ୱରରେ ଥିବା ଶର୍ମିଷ୍ଠାଙ୍କ ଦୟାଲ୍ ବୃଦ୍ଧାଶ୍ରମ କେୟାରଟେକର୍ ଗଣମାଧ୍ୟମକୁ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ମାନସ ମୃତ୍ୟୁ ପୂର୍ବରୁ ତିନୋଟି ସମାନ ଚିଠି ଲେଖିଥିଲେ । ତାଙ୍କୁ ମାଡ଼ ମାରି ପ୍ରବଳ ନିର୍ଯ୍ୟାତନା ଦିଆଯାଇଥିବା ଏଥିରେ ଉଲ୍ଲେଖ କରିଥିଲେ । ମୁଁ ମରିଗଲେ ମୋ ଶବ ଏ ପାପୀଙ୍କୁ ଦେବନି ବୋଲି ଲେଖିଥିଲେ । ଏକ ଜରି କାଗଜରେ ଗୁଡ଼ା ହୋଇଥିବା ଏହି ଚିଠି ସେ ଘର ସଫା କଲାବେଳେ ପାଇଥିଲେ ଏବଂ ଶର୍ମିଷ୍ଠା ମ୍ୟାଡାମ୍ ଙ୍କୁ ଦେଇଥିଲେ ବୋଲି କହିଛନ୍ତି ।
ସେହିଭଳି ଦୟାଲ୍ ଆଶ୍ରମକୁ ନିରଞ୍ଜନ ଏବଂ ଅନ୍ୟ କିଛି ବଡ଼ବଡ଼ିଆଙ୍କର ନିୟମିତ ଯିବା ଆସିବା ଥିଲା ବୋଲି ଆଶ୍ରମ ରେଜିଷ୍ଟରରୁ ଜଣାପଡ଼ିଛି । ଖୁବ୍ ଶୀଘ୍ର କ୍ରାଇମବ୍ରାଞ୍ଚ ଏହାର ଛାନଭିନ୍ ଆରମ୍ଭ କରିବ ବୋଲି ସୂଚନା ମିଳିଛି ।
ମାନସ ମୃତୁ୍ୟ ଓ ଅପହରଣ ମାମଲାରେ ଦିନକୁ ଦିନ ଏଭଳି ରୋମାଞ୍ଚକର ତଥ୍ୟ ପଦାକୁ ଆସୁଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା କିନ୍ତୁ ଧରାପଡ଼ିନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଲା ପରେ ଗତକାଲିଠାରୁ ଏକ ଟିମ୍ ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିଲେ ମଧ୍ୟ ଠାବ କରିବାରେ ସକ୍ଷମ ହୋଇନାହିଁ । ସେ ଫୋନ୍ ବ୍ୟବହାର କରୁ ନ ଥିବା ଏବଂ ବାରମ୍ବାର ଜାଗା ବଦଳାଉଥିବା କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ପାଇଁ ଚାଲେଂଜ ହୋଇଛି ।
କ୍ରାଇମବ୍ରାଞ୍ଚର ଅନ୍ୟ ତଦନ୍ତକାରୀ ଟିମ୍ ଆଜି ଚାନ୍ଦବାଲି ପଳାଶପୁର ଯାଇ ଫେବ୍ରୁଆରୀ ୬ରେ ମାନସ ବାହାଘର ସୁଟିଂ କରୁଥିବା ଘରେ ସମସ୍ତଙ୍କୁ ପଚରାଉଚୁରା କରିଛନ୍ତି । ଯେଉଁ ଜାଗାରୁ ତାଙ୍କୁ ଅପହରଣ କରାଯାଇଥିଲା ସେହି ଜାଗା ମଧ୍ୟ ଅନୁଧ୍ୟାନ କରିଛନ୍ତି । ସେଦିନ ଅପହରଣ ବେଳେ ରମେଶ ପାତ୍ର ନାମକ ଜଣେ ବ୍ୟକ୍ତି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ଏବଂ ଆଜି କ୍ରାଇମବ୍ରାଞ୍ଚ ଟିମ୍ ଆଗରେ ସେ ନିଜ ଆଡୁ ଘଟଣା ସମ୍ପର୍କରେ ବୟାନ ଦେଇଥିଲେ ।
ରମେଶ କହିଛନ୍ତି, ଶର୍ମିଷ୍ଠା ଏବଂ ଅନ୍ୟ ୫ ଜଣ ଗୋଟିଏ କାର୍ ରେ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଛକି ରହିଥିଲେ । ବାହାଘର ସୁଟିଂ ସାରି ମାନସ ତାଙ୍କ ସହଯୋଗୀଙ୍କ ସହ ଫେରୁଥିବା ବେଳେ ସେମାନେ ତାଙ୍କୁ ଜୋରଜବରଦସ୍ତ ଅଟକାଇଥିଲେ । ଶର୍ମିଷ୍ଠା ତାଙ୍କୁ ଦୁଇ ଚାପୁଡ଼ା ପକାଇ କାର୍ ଭିତରକୁ ନେଇଯାଇଥିଲେ । ତାପରେ କାର୍ ଟି ପଳାଇ ଆସିଥିଲା ।