ଭୁୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ମେୟର ନିର୍ବାଚିତ ହୋଇଛନ୍ତି ଶ୍ରୀମତୀ ସୁଲୋଚନା ଦାସ । ଭୁବନେଶ୍ୱରର ସେ ହୋଇଛନ୍ତି ପ୍ରଥମ ମହିଳା ମେୟର । ବିଜେଡ଼ି ପ୍ରାର୍ଥୀ ସୁଲୋଚନା ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ଡ. ସୁନୀତି ମୁଣ୍ଡ୍ ଙ୍କୁ ୬୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।
ସୁଲୋଚନା ୧, ୭୪, ୫୬୨ ଭୋଟ ପାଇଥିଲା ବେଳେ ସୁନୀତି ୧, ୧୩, ୪୧୯ ଭୋଟ ପାଇଛନ୍ତି । କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମିଳିଛି ୧୧ହଜାର ୬ ଖଣ୍ଡ ଭୋଟ ।
ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ସୁଲୋଚନା ଦାସ କଂଗ୍ରେସ ଦଳରୁ କ୍ୟାରିୟର୍ ଆରମ୍ଭ କରିଥିଲେ । ପ୍ରଦେଶ କଂଗ୍ରେସ କମିଟିରେ ତାଙ୍କର ଯଥେଷ୍ଟ ଗୁରୁତ୍ୱ ଥିଲା । ପିସିସି ସାଧାରଣ ସମ୍ପାଦକ ପଦବୀ ସହ ଦଳର ମୁଖପାତ୍ର ଦାୟିତ୍ୱରେ ଥିଲେ । ତେବେ କଂଗ୍ରେସ ସହ ୪ ବର୍ଷର ସମ୍ପର୍କ ଛିନ୍ନ କରି ୨୦୧୭ ଜୁନ୍ ରେ ବିଜେଡ଼ିରେ ଯୋଗଦେଇଥିଲେ । ବିଜେଡ଼ିରେ ମିଶିଲା କ୍ଷଣି ତାଙ୍କୁ ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ୨୦୧୯ ରେ ନୂଆ ସରକାର ଗଠନ ପରେ ତାଙ୍କୁ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଥିଲା । ଆଉ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଆଚମ୍ବିତ କରି ତାଙ୍କୁ ଏଥର ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ।
କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ମେୟର ହୋଇଛନ୍ତି । ବିଜେଡ଼ିର ସୁବାସ ସିଂହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀମତୀ ଗିରିବାଳା ବେହେରାଙ୍କୁ ୪୫ ହଜାରରୁ ଅଧିକ ଭୋଟର ଜିତିଛନ୍ତି । ଏଠାରେ ବିଜେପି ତୃତୀୟ ସ୍ଥାନରେ ଅଛି ।
ବ୍ରହ୍ମପୁରରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ସଂଘମିତ୍ର ଦଳେଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ୨୦, ୨୮୬ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଶ୍ରୀମତୀ ଦଳାଇ ୬୬,୦୬୮ ଭୋଟ ପାଇଥିଲା ବେଳେ ଶ୍ରୀମତୀ ସୁଆର ୪୫, ୭୮୨ ଭୋଟ ପାଇଛନ୍ତି ।