ଭୁବନେଶ୍ୱର: କିର୍ମିରା ଅନାସ୍ଥା ଭୋଟ ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ଓ ଝାରସୁଗୁଡାର ପୂର୍ବତନ ବିଧାୟିକା ସୁଶ୍ରୀ ଦୀପାଳି ଦାସ କହିଥିଲେ ରାଜ୍ୟ ବିଜେପି ସରକାର, କିର୍ମିରା ଅନାସ୍ଥା ଭୋଟରେ ତାଙ୍କ ଦଳର ପରାଜୟ ନିଶ୍ଚିତ ବୋଲି ଜାଣି ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏହି ଷଡ଼ଯନ୍ତ୍ରରେ ଓଡିଶା ଓ ଛତିଶଗଡ଼ ପୋଲିସକୁ ସାମିଲ କରାଯାଇଛି । ପଞ୍ଚାୟତ ପ୍ରତିନିଧିଙ୍କୁ ପୋଲିସ ଦ୍ୱାରା ଜୋର ଜବରଦସ୍ତ ଅଟକ ରଖି ସେମାନଙ୍କୁ ଅନାସ୍ଥା ଭୋଟରୁ ବିରତ ରଖିଥିଲେ । ନିର୍ବାଚିତ ପ୍ରତିନିଧି ମାନେ ସ୍ୱଇଚ୍ଛାରେ ଆସିଛନ୍ତି ବୋଲି ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଛାଡି ନ ଥିଲେ ।
ସୁଶ୍ରୀ ଦାସ କହିଥିଲେ, ପ୍ରଥମେ ସେମାନେ ଅନାସ୍ଥା ଭୋଟ ନ ହେଉ ବୋଲି ଚାହୁଁଥିଲେ । ସେଥିପାଇଁ କିର୍ମିରା ପଞ୍ଚାୟତର ଦୁଇ ତୃତୀୟାଂଶ ପଞ୍ଚାୟତ ପ୍ରତିନିଧି ମାନେ ଅନାସ୍ଥା ନୋଟିସ ଦେବା ସତ୍ତ୍ୱେ ପ୍ରଶାସନ ଅନାସ୍ଥା ଭୋଟ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ୱନ କରୁଥିଲା । ଉଚ୍ଚ ନ୍ୟାୟାଳୟଏହି ମାମଲାରେ ହସ୍ତକ୍ଷେପ କରି ଜାନୁଆରୀ ୧୦ ତାରିଖ ସୁଦ୍ଧା ନିର୍ବାଚନ କରିବା ପାଇଁ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ନିର୍ବାଚନ ଆସନ୍ନ ଜାଣି ଗୁଣ୍ଡାମାନଙ୍କ ଦ୍ୱାରା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥିଲା ।ସମସ୍ତ ଉଦ୍ୟମରେ ବିଫଳ ହେବା ପରେ ପୋଲିସକୁ ଗୁଣ୍ଡା ଭୂମିକାରେ ନିୟୋଜିତ କରାଯାଇଥିଲା । ଲଇକେରା ଆଇଆଇସି ଆମ କଲ୍ୟାଣ ମଣ୍ଡପକୁ ବିନା ସର୍ଚ୍ଚ ୱାରେଣ୍ଟରେ କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ଯାଇ ସର୍ଚ୍ଚ କରିଥିଲେ, ଯେଉଁଥିରୁ ସରକାରରେ ଥିବା ଦଳର ଅସହାୟତା ସ୍ପଷ୍ଟ ବାରି ହୋଇପଡୁଛି । ପରେ ଓଡିଶା ପୋଲିସର ଏକ ଟିମ୍ଛତିଶଗଡ଼ ଯାଇ ସେମାନଙ୍କୁ ଜୋର ଜବରଦସ୍ତ ଅଟକ ରଖିଥିଲା, ପରେ ସେମାନଙ୍କୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଥିଲା । ସେମାନଙ୍କୁ ଅଟକ ରଖାଯାଇଛି ବୋଲି ଜାଣିବା ପରେ ମୁଁ ମୋର ଭାଇ ବିଶାଲ ଦାସଙ୍କୁ ସେଠାକୁ ପଠାଇଥିଲି, କିନ୍ତୁ ପୋଲିସ ତାଙ୍କୁ ମଧ୍ୟ ଅଟକ ରଖିଥିଲା । ଚବିଶ ଘଣ୍ଟାରୁ ଉଦ୍ଧ୍ୱ ର୍ସମୟ ଧରି ସେମାନଙ୍କୁ ଅଟକ ରଖାଯାଇଥିଲା । ବିଜେପି ପୋଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି । ବିଜେପିର ସତସାହସ ଥିଲେ ଦୁଇଦିନ ଭିତରେ ନିର୍ବାଚନ କରନ୍ତୁ ।
ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର କହିଥିଲେ, ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦଳ ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗଟିମ୍ ଗଠନ କରିଛନ୍ତି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ ହୋଇଛି ଓ ଅତିଶୀଘ୍ର ଏହି ଟିମ୍ସେଠାକୁ ଯିବ ଓ ସମଗ୍ର ଘଟଣାର ତଥ୍ୟ ସଂଗ୍ରହ କରି ଦଳର ସଭାପତିଙ୍କ ନିକଟରେ ଉପସ୍ଥାପନ କରିବେ ।