ଭୁୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନୁଷିକ କାର୍ଯ୍ୟ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ବିଭିନ୍ନ ମହଲରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଓଡ଼ିଶା ଭଳି ରାଜ୍ୟରେ ଜଣେ ବିଧାୟକ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ଉପରେ ଜାଣିଶୁଣି ଗାଡ଼ି ଚଢ଼ାଇ ଦେବା ଘଟଣା ସହଜରେ କାହାରି ବିଶ୍ୱାସ ହେଉନି । ସେ ନିଜେ ଗାଡ଼ି ଡ୍ରାଇଭିଂ କରୁଥିବାର ଖବର ସମସ୍ତଙ୍କୁ ଆହୁରି ତଟସ୍ଥ କରୁଛି । ଅଘଟଣ ବେଳେ ସେ ମଦ ପିଇଥିବା ମଧ୍ୟ ସେଠାରେ ଉପସ୍ଥିତ ଲୋକମାନେ କହୁଛନ୍ତି ।
ବିଧାୟକଙ୍କ ଦବଙ୍ଗଗିରିକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ସମସ୍ତଙ୍କ ନଜର ବିଜେଡ଼ି ଉପରକୁ ଯାଇଛି । ସମାନ ଆଚରଣ ପାଇଁ ଗତବର୍ଷ ବିଜେଡ଼ିରୁ ସେ ନିଲମ୍ବିତ ହୋଇଥିଲେ ମଧ୍ୟ ହେଲେ ଦଳ ସହ ତାଙ୍କ ସମ୍ପର୍କରେ କିଛି ଭିନ୍ନତା ଦେଖିବାକୁ ମିଳୁ ନ ଥିଲା । ତେବେ ବାଣପୁର ଘଟଣାରେ ବିଧାୟକଙ୍କ ପ୍ରତି ବିଜେଡ଼ି କଠୋର ଆଭିମୁଖ୍ୟପୋଷଣ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ବିଧାୟକଙ୍କ ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ତୀବ୍ର ନିନ୍ଦା କରି ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ।
ସସ୍ମିତ୍ କହିଛନ୍ତି ଯେ ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ, ବିଭତ୍ସ ଓ ଦୁର୍ଭାଗ୍ୟଜନକ । ଏହାକୁ ଯେତେ ନିନ୍ଦା କଲେ ବି କମ ପଡ଼ିବ । ଆମେ ନିଶ୍ଚିତ ଯେ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଓ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଅତୀତରେ ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଠିକଣା ସମୟରେ ଠିକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସସ୍ମିତ୍ କହିଥିଲେ । ଏଥିସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।
ସେପଟେ ବିଜେପି ଏହାକୁ କଡ଼ା ନିନ୍ଦା କରିଛି । ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏହା ଏକ ସୁସ୍ଥ ମସ୍ତିଷ୍କ ବ୍ୟକ୍ତିଙ୍କ କାମ ହୋଇପାରେନା । ଏଭଳି ଲୋକଙ୍କ ଜାଗା ଜେଲ୍ ରେ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।
କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ କହିଛନ୍ତି, ପ୍ରଶାନ୍ତ ଜଗଦ୍ଦେବ ବିଧାୟକଙ୍କ ପାଇଁ ଏକ କଳଙ୍କ । ସମାଜକୁ ସେ କଳଙ୍କିତ କରିଛନ୍ତି । ତାଙ୍କୁ କଠୋର ଦଣ୍ଡ ଦେବାର ଆବଶ୍ୟକତା ଅଛି ।