ଭୁବନେଶ୍ୱର: ପୁଲିସ କବଜାରେ ଚିଲିକାର ଦବଙ୍ଗ ବିଧାୟକ ପ୍ରଶାନ୍ତ ଓରଫ୍ ଗଣେଶ ଜଗଦ୍ଦେବ । ଲୋକଙ୍କ ମାଡ଼ରେ ଲହୁଲୁହାଣ ଜଗଦ୍ଦେବ ହସ୍ପିଟାଲ୍ ରୁ ଡିସଚାର୍ଜ ହେବା କ୍ଷଣି ଗିରଫ ହେବେ । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ବାଣପୁର ବ୍ଲକ୍ ନିକଟରେ ଏହି ଅଘଟଣ କିଭଳି ଘଟିଲା ତାହାର ବିସ୍ତୃତ ସୂଚନା ଦେଇଛନ୍ତି ଆଇଜି ।
ଆଇଜି କହିଛନ୍ତି, ଲୋକଙ୍କ ଗହଳି ଭିତରକୁ ବିଧାୟକଙ୍କ ଗାଡ଼ି ମାଡ଼ି ଆସିଥିଲା । ପୁଲିସ ବିଧାୟକଙ୍କୁ ସେଥିରୁ ବାରଣ କରିଥିଲା । ନିଜେ ବାଣପୁର ଆଇଆଇସି ଗାଡ଼ି ଆଗରେ ଠିଆ ହୋଇ ବାରଣ କରିଥିଲେ । ମାତ୍ର ବିଧାୟକ ବାରଣ ମାନି ନ ଥିଲେ । ଅଟକାଇଲେ ଲୋକଙ୍କ ଉପରେ ଗାଢ଼ି ଚଢ଼ାଇଦେବି ବୋଲି ଧମକାଇଥିଲେ । ଆଉ ସେୟା ବି କରିଥିଲେ । ପୁଲିସ ଓ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ବିଧାୟକ । ଏଥିରେ ୧୦ ପୁଲିସ, ୬ ସାଧାରଣ ଲୋକ ଏବଂ ୨ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଅନ୍ୟପକ୍ଷରେ ଲୋକଙ୍କ ମାଡ଼ରେ ବିଧାୟକ ଆହତ ହୋଇଛନ୍ତି ।
ଏହି ଘଟଣାରେ ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଛି । କାର୍ କୁ ଅସ୍ତ୍ର ଭାବେ ବ୍ୟବହାର କରି ସେ ହତ୍ୟା ଉଦ୍ୟମ କରିଛନ୍ତି । ପୁଲିସକୁ କାର୍ଯ୍ୟରେ ବାଧା ଦେବା, ସାଧାରଣ ଜନତାଙ୍କୁ ଆଘାତ ଦଫା ମଧ୍ୟ ଲାଗିଛି । ଜଣେ ଡିଏସପି ପାହ୍ୟାର ଅଫିସରଙ୍କୁ ତଦନ୍ତ ଭାର ଦିଆଯାଇଛି । ଘଟଣା ବେଳେ ଅନେକ ଲୋକ ଏହି ବର୍ବର ଦୃଶ୍ୟ ରେକର୍ଡିଂ କରିଛନ୍ତି । ଏହି ସବୁ ରେକର୍ଡିଂକୁ ତଦନ୍ତ ପରିସରଭୁକ୍ତ କରାଯିବ । ବିଧାୟକ ହସ୍ପିଟାଲ୍ ରୁ ଡିସଚାର୍ଜ ହେବା କ୍ଷଣି ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯିବ ବୋଲି ଆଇଜି କହିଛନ୍ତି ।
ଉଲ୍ଲେଖଯୋଗ୍ୟ କି ବିଜେଡ଼ିର ଏହି ଦୁଇଥରିଆ ବାହୁବଳୀ ବିଧାୟକଙ୍କ ଅତୀତ କାରନାମା ବି ସମସ୍ତେ ଜାଣିଛନ୍ତି । ତାଙ୍କ ବିରୋଧରେ ୧୦ରୁ ଅଧିକ ଗୁରୁତର ମାମଲା ରହିଛି । ଗତବର୍ଷ ସେପ୍ଟେମ୍ବରରେ ବିଜେପିର ବାଲୁଗାଁ ମଣ୍ଡଳ ସଭାପତିଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ । ଏହି ଘଟଣାରେ ବିଜେଡ଼ି ତାଙ୍କୁ ନିଲମ୍ବିତ କରିଥିଲା । ଗତଥର ବେଗୁନିଆରୁ ବିଧାୟକ ଥିବା ବେଳେ ଜଗଦ୍ଦେବ ବୌଦ୍ଧ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ପିଟିଥିଲେ । ବୋଲଗଡ଼ର ମହିଳା ତହସିଲଦାରଙ୍କୁ ଆକ୍ରମଣ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଭଳି ତାଙ୍କ ବିରୋଧରେ ଆସିଥିଲା ମାଳ ମାଳ ଅଭିଯୋଗ ।