ଭୁବନେଶ୍ୱର: ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ତାଙ୍କ ନିର୍ବାଚନମଣ୍ଡଳୀରେ ଭୟଙ୍କର ଉତ୍ପାତ କରିଛନ୍ତି । ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ବାଣପୁର ବ୍ଲକ୍ ଆଗରେ ଜମା ହୋଇଥିବା ବିଜେପି କର୍ମୀଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଛନ୍ତି । ଏଥିରେ ୭ ପୁଲିସ କର୍ମଚାରୀଙ୍କ ସମେତ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବିଜେପି କର୍ମୀଙ୍କ ଆକ୍ରମଣରେ ବିଧାୟକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଟାଙ୍ଗୀ ହସ୍ପିଟାଲ୍ ରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ବିଧାୟକଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଛାରଖାର କରିଦେଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏହି ଅଘଟଣ ଘଟିଛି । ବାଣପୁର ବ୍ଲକ୍ ଅଧ୍ୟକ୍ଷ ପଦ ବିଜେପି ହାତକୁ ଯିବା ନିଶ୍ଚିତ ହୋଇଥିବାରୁ ବିଜୟ ଉତ୍ସବ ମନାଇବା ପାଇଁ ବ୍ଲକ୍ ଆଗରେ ଶତାଧିକ ବିଜେପି କର୍ମୀ ଏକାଠି ହୋଇ ଶୋଭାଯାତ୍ରାରେ ବାହାରିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ ଅଚାନକ ସେହି ଭିଡ଼ ଆଡକୁ ପଶିଥିଲା । ବିଧାୟକ ଭିଡ଼ରେ ଗାଡ଼ିକୁ ନ ଅଟକାଇ ସିଧା ଲୋକଙ୍କ ଉପରକୁ ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଆଉ ବିଧାୟକଙ୍କ ଏହି ରୋବାବ୍ ଦେଖି ବିଜେପି କର୍ମୀମାନେ ତାଙ୍କୁ କାର୍ ଭିତରୁ ଟାଣି ଆଣି ନିସ୍ତୁକ ପିଟିଥିଲେ । ସେମାନଙ୍କ ଆକ୍ରମଣରେ ବିଧାୟକ ଲହୁ ଲୁହାଣ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ଅନ୍ୟପକ୍ଷରେ ବିଧାୟକଙ୍କ ଗାଡ଼ି ଧକ୍କାରେ ୨୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୭ ଜଣ ପୁଲିସ କର୍ମଚାରୀ ଏବଂ ୧୫ ଲୋକ ଥିବା ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଉଛି ।
ସୂଚନାଯୋଗ୍ୟ, ବିଜେଡ଼ି ଟିକେଟରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ କାରନାମା ସମସ୍ତଙ୍କୁ ଜଣା । ତାଙ୍କର ଦାଦାଗିରି ନେଇ ମାଳ ମାଳ ଅଭିଯୋଗ ରହିଛି । ଗତବର୍ଷ ସେପ୍ଟେମ୍ବର ମାସରେ ବାଲୁଗାଁଠାରେ ବିଜେପିର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ରାସ୍ତା ମଝିରେ ପିଟିବାରୁ ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ । ବିଜେଡ଼ି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା । ତାହା ପରେ ମଧ୍ୟ ତାଙ୍କ ଉତ୍ପାତ କମିବାର ଦେଖିବାକୁ ମିଳିନାହିଁ ।