ଭୁବନେଶ୍ୱର: ଦିଲ୍ଲୀରେ ଆହୁରି ବଢ଼ିଗଲା ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତି । ଉତ୍ତର ପ୍ରଦେଶ ପ୍ରଭାରୀ ଭାବେ ତାଙ୍କ ସଫଳତାକୁ ସବୁଆଡୁ ବାହାବା ମିଳୁଛି । କେନ୍ଦ୍ର ରାଜନୀତିରେ ଏହା ତାଙ୍କୁ ଅଧିକ ପ୍ରଭାବଶାଳୀ କରିଛି । ଏଠି ରାଜ୍ୟର ଦଳୀୟ ରାଜନୀତିରେ ମଧ୍ୟ ସମାନ ଦୃଶ୍ୟ । ମୋଦି-ଯୋଗୀଙ୍କୁ ନେଇ ଯେତିକି ଚର୍ଚ୍ଚା ନାହିଁ, ଧର୍ମେନ୍ଦ୍ରଙ୍କୁ ନେଇ ଅଧିକା ଚର୍ଚ୍ଚା । ଓଡ଼ିଶା ବିଜେପିର ନେତୃତ୍ୱ ପାଇଁ ଧର୍ମେନ୍ଦ୍ର ଯେ ଅପ୍ରତିଦ୍ୱନ୍ଦୀ ତାଙ୍କର ଅନୁଗତମାନେ ଏହି ମଉକାରେ ସ୍ପଷ୍ଟ କରିବାକୁ ଚାହିଁଛନ୍ତି ।
ରୋଚକ କଥା ହେଉଛି, ଜାତୀୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ବିସ୍ତାର ଏବଂ ଓଡ଼ିଶା ବିଜେପିର ଅପ୍ରତିଦ୍ୱନ୍ଦୀ ନେତା ଉପାଖ୍ୟାନ ଏଠି ତାଙ୍କ ବିରୋଧୀ ଗୋଷ୍ଠୀର ମାନସିକ ଯନ୍ତ୍ରଣାକୁ ବଢ଼ାଇ ଦେଇଛି । ଗତ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଫେଲ୍ ହୋଇଥିବାରୁ ବିରୋଧୀ ଗୋଷ୍ଠୀ ତାହାକୁ ଏକ ସୁଯୋଗ ବୋଲି ଭାବି ସାରିଥିଲେ । ଆଇନାରେ ନିଜ ନିଜର ଚେହେରାକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ସଜାଇଥିଲେ । ମାତ୍ର ବର୍ତ୍ତମାନର ପରିସ୍ଥିତିରେ ତାହା ଯେ ସମ୍ଭବ ନୁହେଁ ସେକଥା ଉତ୍ତର ପ୍ରଦେଶ ଫଳ ଜଣାଇ ଦେଇଛି । ଧର୍ମେନ୍ଦ୍ରଙ୍କ ଇଚ୍ଛା ବିରୋଧରେ ଏଠି ପତ୍ର ହଲିବା ଯେ ଅସମ୍ଭବ ତାହା ଏବେ ସ୍ପଷ୍ଟ ।
ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଅଙ୍କଟି ଭାରି ଜଟିଳ । ଦଳରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଅଖଣ୍ଡ କର୍ତ୍ତୃତ୍ୱ ଥିଲେ ମଧ୍ୟ ଅସନ୍ତୁଷ୍ଟଙ୍କ ସଂଖ୍ୟା ବହୁତ ଅଧିକ । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ନିକଟ ଅତୀତରେ ଯଥେଷ୍ଟ କ୍ରିୟାଶୀଳ ଥିଲା । ମାତ୍ର ସମସ୍ତଙ୍କୁ ଏକାଠି ନେଇ ଚାଲିବାରେ ସେ ବିଫଳ ହୋଇଥିଲେ । ଦଳ ଭିତରେ ତାଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇଥିଲା ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ୨୦୧୯ ନିର୍ବାଚନ ବେଳକୁ ବିଜେପିରେ ମିଶିଥିବା ଅପରାଜିତା ଷଡ଼ଙ୍ଗୀ ଓ ବୈଜୟନ୍ତ ପଣ୍ଡା ପରବର୍ତ୍ତୀ ସମୟରେ ଧର୍ମେନ୍ଦ୍ର ବିରୋଧୀ ଅସନ୍ତୋଷକୁ ଏକ ଅପୂର୍ବ ସୁଯୋଗ ବୋଲି ଭାବି ଦେଇଥିଲେ । ଦଳର ମୁଖ୍ୟମନ୍ତ୍ରୀ ପଦ ପାଇଁ ପୃଥକ୍ ଭାବେ ନିଜକୁ ଦାବିଦାର ମଣୁଥିବା ଉଭୟ ନେତା ଧର୍ମେନ୍ଦ୍ରଙ୍କୁ ଏଠୁଁ ହଜାଇ ଦେବା ପାଇଁ ଗୋଟିଚାଳନା ଆରମ୍ଭ କରିଦେଇଥିଲେ । ମାତ୍ର ସେଥିରେ ଏ ଯାଏଁ ସଫଳ ହୋଇପାରିନାହାନ୍ତି ।
ଏହାର କାରଣ ବି ସ୍ପଷ୍ଟ । ଅପରାଜିତା ଦଳୀୟ ସଂଗଠନ ଭୁଲି ନିଜସ୍ୱ ସଂଗଠନ ବିସ୍ତାର କରୁଥିବାରୁ ତାଙ୍କ ସାଙ୍ଗରେ ସେଭଳି କୌଣସି ନେତା/କର୍ମୀ ହିଁ ନାହାନ୍ତି । ଅହଂକାର ତାଙ୍କ ପାଇଁ ସମସ୍ୟା ହୋଇଛି । ସେପଟେ ବୈଜୟନ୍ତ ଦିଲ୍ଲୀରେ ରହି ଅପରାଜିତାଙ୍କ ସହ ମନ୍ତ୍ରଣାରେ ଥିଲେ ମଧ୍ୟ ଓଡ଼ିଶା ବିଜେପିରେ ତାଙ୍କ ନିଜର ସ୍ଥିତି ନାହିଁ । ରାଷ୍ଟ୍ରୀୟ ଉପସଭାପତି ପଦରେ ଅନ୍ୟ ରାଜ୍ୟର ପ୍ରଭାରୀ ଭାବେ ତାଙ୍କ କାର୍ଯ୍ୟ ସୀମିତ ରହିଛି ।
ତେବେ ସେ ଯାହା ହେଉ, ନିଜର ହଜାରେ ଦୋଷ ଦୁର୍ବଳତା ସତ୍ତ୍ୱେ ଅପରାଜିତା ବୈଜୟନ୍ତଙ୍କ ସହ ହାତ ମିଳାଇ ଓଡ଼ିଶାରେ ଧର୍ମେନ୍ଦ୍ରଙ୍କୁ କୋଣଠେସା କରି ରଖିବାର ଆପ୍ରାଣ ଉଦ୍ୟମ କରୁଥିବା ଦଳୀୟ ମହଲରେ ଆଲୋଚନା ହେଉଥିଲା । ମାତ୍ର ଉତ୍ତର ପ୍ରଦେଶ ରେଜଲ୍ଟ ଏହି ଉଦ୍ୟମକୁ ବିଗାଡ଼ି ଦେଇଥିବା କୁହାଯାଉଛି । ରାଷ୍ଟ୍ରୀୟସ୍ତରରେ ଧର୍ମେନ୍ଦ୍ରଙ୍କ କାଟତି ବଢ଼ିବା ସେମାନଙ୍କୁ ଝଟକା ହୋଇଛି । ଏପରିକି ଆସାମରୁ ରାଜ୍ୟସଭା ଯିବାର ସ୍ୱପ୍ନ ଦେଖିଥିବା ବୈଜୟନ୍ତଙ୍କ ପାଇଁ ଏହା ଅଶୁଭ ଲକ୍ଷଣ ବୋଲି ତାଙ୍କ ସମର୍ଥକମାନେ କହି ବୁଲିଲେଣି ।
ଏପଟେ ଧର୍ମେନ୍ଦ୍ରଙ୍କୁ ନେଇ ତାଙ୍କର ଅନୁଗତ ଗୋଷ୍ଠୀ ଆହୁରି ଉତ୍ସାହିତ ହୋଇଯାଇଛନ୍ତି । ଉତ୍ତର ପ୍ରଦେଶ ରେଜଲ୍ଟକୁ ଧରି ସେମାନେ ଏବେ ଆତ୍ମବିଭୋର । ସେହି ହାୱାରେ ପଞ୍ଚାୟତ ନିର୍ବାଚନର ଶୋଚନୀୟ ପରାଜୟ ଭୁଲି ପୌର ନିର୍ବାଚନ ପାଇଁ ଆଶା ବାନ୍ଧିଛନ୍ତି । ଦେଖିବାର କଥା, ଧର୍ମେନ୍ଦ୍ରଙ୍କ କର୍ତ୍ତୃତ୍ୱରେ ରାଜ୍ୟ ବିଜେପି ପୂର୍ବଭଳି ଆଗକୁ ବଢ଼ିବ ନା ଓଡ଼ିଶା ପାଇଁ ହାଇକମାଣ୍ଡଙ୍କର ଅଲଗା କିଛି ଯୋଜନା ଅଛି?