ଭୁବନେଶ୍ୱର: ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ ଦୂର ହୋଇଛି । ଏପ୍ରିଲ୍ ୨୯ ରୁ ମେ’ ୬ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ହେବ । ଏହା ଅଫଲାଇନ୍ ରେ ହେବ ଏବଂ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏକ ପ୍ରେସ୍ ବାର୍ତ୍ତାରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ଏପ୍ରିଲ୍ ଶେଷ ସପ୍ତାହରେ ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ । ପରୀକ୍ଷାଗୁଡ଼ିକ ଯଥାସମ୍ଭବ ନିଜ ସ୍କୁଲରେ କରାଯିବ । ପରୀକ୍ଷା ପରିଚାଳନା ପାଇଁ କିନ୍ତୁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ । ନିଜ ସ୍କୁଲରେ ପରୀକ୍ଷା ନ ହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ହେବ ।
ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଦ୍ୱାରା ୩ ଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ । ପ୍ରଥମ ପଦ୍ଧତି ହେଉଛି, ସମ୍ମେଟିଭ୍-୧ ଓ ଇଣ୍ଟରନାଲ ଆସେସମେଣ୍ଟର ଦୁଇଗୁଣା ମାର୍କ । ଦ୍ୱିତୀୟ ପଦ୍ଧତିରେ ସମ୍ମେଟିଭ୍-୨ ର ଦୁଇଗୁଣା ମାର୍କ କରି ହିସାବ କରାଯିବ । ତୃତୀୟ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମ୍ମେଟିଭ୍-୧ ରୁ ୩୦% ଓ ସମ୍ମେଟିଭ୍-୨ ରୁ ୫୦% ନିଆଯାଇ ମାର୍କିଂ କରାଯିବ । ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ଅଧିକ ମାର୍କ ରଖିବେ, ତାହା ଚୂଡ଼ାନ୍ତ ହେବ ।
ସୂଚନାଯୋଗ୍ୟ, ଚଳିତବର୍ଷ ପ୍ରାୟ ସାଢ଼େ ୬ ଲକ୍ଷ ପିଲା ମାଟ୍ରିକ୍ ପରୀକ୍ଷା ଦେବେ ।