ଭୁବନେଶ୍ୱର: ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ ନିଜ ଗଡ଼ ଜଗି ପାରିନାହାନ୍ତି । ଧାମନଗରରେ ବିଜେଡ଼ି ନିଜର ଆଧିପତ୍ୟ ଜାହିର କରିଛି । ଧାମନଗର ବ୍ଲକ୍ ଦଖଲ କରିବା ପରେ ଏବେ ଏନଏସିକୁ ଦଖଲ କରିଛି । ବିଜେଡ଼ିର ନିବେଦିତା ଜେନା ଏନଏସି ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ସେ ୧୦୪୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।
ଏନଏସସିର ୧୧ଟି ୱାର୍ଡରୁ ବିଜେଡ଼ି ୯ ଟି ୱାର୍ଡ ଦଖଲ କରିଥିବା ବେଳେ ବିଜେପି ଖାତାକୁ ଯାଇଛି ୨ଟି ୱାର୍ଡ । ଧାମନଗର ଏନଏସି ଗଠନ ପରେ ଏହା ଥିଲା ପ୍ରଥମ ନିର୍ବାଚନ ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମାତ୍ର ଧାମନଗର ଏନଏସି ଅନ୍ତର୍ଗତ ୪ ଟି ୱାର୍ଡର ୬ ଟି ବୁଥ୍ ରେ ବିଶୃଙ୍ଖଳା ଓ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ବନ୍ଦ ହୋଇଥିଲା । ଗତକାଲି ସଂପୃକ୍ତ ୬ ଟି ବୁଥ୍ ରେ ସାନି ମତଦାନ ହୋଇଥିଲା ।