ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ପର୍ଦ୍ଦାଫାସ ହୋଇଛି । ଶ୍ରୀମନ୍ଦିର ବୁଲିବାକୁ ଆସିଥିବା ଜଣେ ଯୁବକ ହିଁ ଏହି କାଣ୍ଡ ଭିଆଇଛି । ଏହାର କାରଣ ବି ଅଜବ । କୁଆଡ଼େ ସେହି ଯୁବକକୁ ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଲା । ଏହା ପଛରେ ଅନ୍ୟ କୌଣସି ଷଡ଼ଯନ୍ତ୍ର ନ ଥିଲା ।
ପୁରୀ ଏସପି କନୱର ବିଶାଲ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସମ୍ବେଦନଶୀଳ ଘଟଣାର ପର୍ଦ୍ଦାଫାସ୍ କରିଛନ୍ତି । ସେ କହିଛନ୍ତି, ରୋଷଘରେ ପଶି ଚୁଲି ଭାଙ୍ଗିଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି । ତା’ର ନାଁ ଜେ.ମହାପାତ୍ର । ବୟସ ୩୦ ବର୍ଷ । ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ । ତେବେ ତଦନ୍ତ ଚାଲିଥିବାରୁ ଏସପି ତା’ର ସମ୍ପୂର୍ଣ୍ଣ ପରିଚୟ ଦେଇନାହାନ୍ତି । ଏହାକୁ ଗୋପନ ରଖିଛନ୍ତି ।
ଅଭିଯୁକ୍ତ ଘଟଣାଦିନ ମନ୍ଦିରକୁ ଆସିଥିଲା । ସବୁଆଡ଼େ ବୁଲାବୁଲି କରିଥିଲା । ତେବେ ନିଜକୁ ଭଲ ନ ଲାଗିବାରୁ ରୋଷ ଘରେ ପଶି ଚୁଲି ଭାଙ୍ଗିଥିବା ସ୍ୱୀକାର କରିଛି । ତେବେ ତା’ର ମାନସିକ ସ୍ଥିତି ଠିକ୍ ଅଛି ନା ନାହିଁ ତାହା ଜଣାପଡ଼ିନାହିଁ । ତା’ ମାନସିକ ସ୍ଥିତି ଯାଞ୍ଚ ଲାଗି ବିଶେଷଜ୍ଞଙ୍କ ସହାୟତା ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଆଜି ତାକୁ କୋର୍ଟ ଚାଲାଣ କରାଯିବ । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେବା ସହ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପୁଲିସ ଡିଜି ସୁନୀଲ ବଂଶଲ ସୋମବାର ସଂଧ୍ୟାରେ ପୁରୀ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ ।
ଘଟଣା ପଛରେ ସେବାୟତ ଗଣ୍ଡଗୋଳ କିମ୍ବା ଅନ୍ୟ କୌଣସି ଷଡ଼ଯନ୍ତ୍ର ଅଭିଯୋଗକୁ ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ପ୍ରତ୍ୟାଖ୍ୟାନ କରିଥିଲେ । କେହି ରାତିରେ ରୋଷଘରେ ଲୁଚି ରହିବା ପରେ ଏଭଳି ଘଟଣା ଘଟାଇଛି ବୋଲି ସିସିଟିଭି ଫୁଟେଜ୍ ଆଧାରରେ ଉଭୟ ଏକପ୍ରକାର ସ୍ପଷ୍ଟ କରିଥିଲେ । ତେବେ କଡ଼ା ସୁରକ୍ଷା ବଳୟରେ ଥିବା ରୋଷଘରେ ଜଣେ ଯୁବକ କେମିତି ପଶିଲା ଏବଂ ୪୦ ରୁ ଅଧିକ ଚୁଲି ଭାଙ୍ଗିଲା ତାହା ସମସ୍ତଙ୍କୁ ବିସ୍ମିତ କରୁଛି ।