ପୁରୀ/ଭୁବନେଶ୍ୱର: ପୁଲିସ ହେପାଜତରେ ଥିବା ଜଣେ ଅପରାଧୀ ଟିଭିରେ ଲାଇଭ୍ ଇଣ୍ଟରଭ୍ୟୁ ଦେବା ଆପଣ କେବେ ଦେଖିଛନ୍ତି? ଦେଖିବା ଦୂରେ ଥାଉ, କେବେ ଶୁଣି ନ ଥିବେ । ମାତ୍ର ଏମିତି ଏକ ବିରଳ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ତାହାପୁଣି ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ଅଭିଯୁକ୍ତଙ୍କର ଇଣ୍ଟରଭ୍ୟୁ । ପ୍ରାୟ ୧ ଘଣ୍ଟା ଧରି କ୍ୟାମେରା ଆଗରେ ନିର୍ବିଘ୍ନରେ ଗପିଛନ୍ତି ଅଭିଯୁକ୍ତ ଜଗନ ମହାପାତ୍ର । ତାହାପୁଣି ପୁଲିସ ବାବୁମାନଙ୍କ ଉପସ୍ଥିତିରେ । ଅଭିଯୁକ୍ତକୁ କ୍ୟାମେରା ଆଗକୁ ଛାଡ଼ିଦେଇ ପୁଲିସ ବାବୁମାନେ ଜୁଳୁ ଜୁଳୁ କରି ଚାହିଁଛନ୍ତି ।
ଆଜିର ଏହି ଘଟଣାଟି ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୁରୀ ପୁଲିସ ଦ୍ୱାରା ଏହା ଯେ ଯୋଜନାବଦ୍ଧ ତାହା ସ୍ପଷ୍ଟ ଧରାପଡ଼ିଯାଉଛି । ଏସପି କନୱର ବିଶାଲ ସିଂହ ମଧ୍ୟାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ରୋଷଘର ଚୁଲି ଭାଙ୍ଗିଥିବା ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ତାର ନାଁ ଜେ. ମହାପାତ୍ର । ବୟସ ୩୦ ବର୍ଷ ଏବଂ ଘର ବେଗୁନିଆ ଥାନା ଅଞ୍ଚଳରେ ବୋଲି କହିଥିଲେ । ତଦନ୍ତ ଚାଲିଥିବାରୁ ଅଭିଯୁକ୍ତର ସମ୍ପୂର୍ଣ୍ଣ ପରିଚୟ ଦେବାକୁ ଏସପି ମନା କରିଥିଲେ ।
ମାତ୍ର ଆଶ୍ଚର୍ଯ୍ୟର କଥା, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବେଳେ ପୁଲିସ ତା’କୁ ଏକ ଟିଭି କ୍ୟାମେରା ଆଗକୁ ଛାଡ଼ିଦେଇଥିଲେ । ପାଖରେ ଦୁଇ ତିନି ଜଣ ପୁଲିସ ପଇଁତରା ମାରୁଥିଲା ବେଳେ ଅନତି ଦୂରରେ ଛିଡ଼ା ହୋଇଥିଲେ ଖୋଦ୍ ଟାଉନ୍ ଥାନା ଆଇଆଇସି । ଅଭିଯୁକ୍ତ ଗପି ଚାଲିଲା କି କେମିତି ସେ ଭୀମ ରୂପ ଧରି ରୋଷଶାଳାରେ ୪୦ ରୁ ଅଧିକ ଚୁଲି ସେଦିନ ଭାଙ୍ଗି ପକାଇଥିଲା । ତାହା ପୁଣି ବିନା ହତିଆରରେ । ସଂଧ୍ୟା ୬ଟାରେ ଟିଭିରେ ସେହି ଅଭିଯୁକ୍ତର ଲାଇଭ୍ ସାକ୍ଷାତକାର ବି ଚାଲିଲା । କାଳେ ଅନ୍ୟ ଟିଭିବାଲା ଖରାପ ଭାବିବେ ପୁଲିସ ସହଯୋଗରେ ମୋବାଇଲ୍ ରେ ତା’ର ଇଣ୍ଟରଭ୍ୟୁ ରେକର୍ଡ କରାଯାଇ ଅନ୍ୟ ଟିଭିବାଲାଙ୍କୁ ସେୟାର କରାଗଲା ।
ସାମ୍ବାଦିକ ମହଲ କହିବା ଅନୁଯାୟୀ, ପୁରୀ ପୁଲିସ ହିଁ ଏହି ଇଣ୍ଟରଭ୍ୟୁ କାର୍ଯ୍ୟକ୍ରମର ଆୟୋଜକ ଥିଲେ । ଅଭିଯୁକ୍ତ ମୁହଁରୁ ସେଦିନର ଘଟଣା ଲୋକଙ୍କୁ ଶୁଣାଇବାକୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଡକାଯାଇଥିଲା । ସେହି ଅନୁଯାୟୀ ଅଭିଯୁକ୍ତକୁ କୋର୍ଟ ଚାଲାଣ ପୂର୍ବରୁ କୋର୍ଟ ପରିସର ଏକ ଜାଗାରେ ଗାଡ଼ି ରଖାଗଲା । ପୁଲିସ ଉପସ୍ଥିତିରେ ଟିଭି ସାମ୍ବାଦିକ ଆସି ତାକୁ ପ୍ରାୟ ୧ ଘଣ୍ଟା ଧରି ଜେରା କଲେ । ସେଥିରୁ ୨୦ ମିନିଟ୍ ଥିଲା ଲାଇଭ୍ ।
ଅଭିଯୁକ୍ତ ଜଗନ ମହାପାତ୍ର ଖାଲି ହାତରେ ୪୦ ରୁ ଅଧିକ ଚୁଲି ଭାଙ୍ଗିବା ଘଟଣା ଲୋକଙ୍କର ବିଶ୍ୱାସ ହେଉ ନ ଥିଲା ବେଳେ ପୁରୀ ପୁଲିସର ଏଭଳି କାର୍ଯ୍ୟ ସମସ୍ତଙ୍କ ମନରେ ଅଧିକ ସନ୍ଦେହ ସୃଷ୍ଟି କରିଛି । ଅଭିଯୁକ୍ତକୁ ଗଣମାଧ୍ୟମରେ ଖୁଲମ୍ ଖୋଲା ବୟାନ ଦେବାକୁ ଛାଡ଼ିଦେବା ପଛରେ କ’ଣ ରହସ୍ୟ ତାହା ଏବେ ସବୁଠି ଚର୍ଚ୍ଚା ହେଉଛି । ଯଦି ଏହାର ଆବଶ୍ୟକତା ଥିଲା ଏସପି ତାଙ୍କ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ମୁହଁରୁ ବୟାନ ଶୁଣାଇ ଦେଲେନି କାହିଁକି ବୋଲି ଅନେକ କଟାକ୍ଷ କରିଛନ୍ତି ।