ଭୁୁବନେଶ୍ୱର: ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ଫଳ ଆଜି ପ୍ରକାଶ ପାଇଛି । ଅଧ୍ୟକ୍ଷ ପଦ ସହ ଦୁଇଟି ଯାକ ଏନଏସିରେ ବିଜେଡି ବାଜିମାତ୍ କରିଛି । ହିନ୍ଦୋଳରେ କଂଗ୍ରେସ ପୋଛି ହୋଇଯାଇଥିବା ବେଳେ ଅତାବିରାରେ ବିଜେପି ପୋଛି ହୋଇଯାଇଛି ।
ହିନ୍ଦୋଳ ଏନଏସିରେ ୧୬ଟି ୱାର୍ଡରୁ ୧୧ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ କେଶବ ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି ।
ଅତାବିରା ଏନଏସିରେ ମୋଟ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି ଖାତା ଖୋଲିପାରିନାହିଁ । ଗୋଟିଏ ୱାର୍ଡ କଂଗ୍ରେସ ହାତକୁ ଯାଇଛି । ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କୁ ୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।
ଗତ ୩ ତାରିଖରେ ହିନ୍ଦୋଳ ଓ ଅତାବିରା ଏନଏସି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହିନ୍ଦୋଳରେ ମୋଟ ୮୮ ପ୍ରତିଶତ ମତଦାନ ହୋଇଥିଲା ବେଳେ ଅତାବିରାରେ ୭୪ ପ୍ରତିଶତ ମତଦାନ ହୋଇଥିଲା । ହିନ୍ଦୋଳ ଏନଏସିରେ ୧୬ଟି ୱାର୍ଡରେ କାଉନସିଲର ପଦବୀ ନିମନ୍ତେ ୫୦ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ପାଇଁ ୩ ପ୍ରାର୍ଥୀ ମଇଦାନରେ ଥିଲେ । ଅତାବିରା ଏନଏସିର ୧୨ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ୩୯ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ ।