ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ୨୦୨୪ ଜୁନ୍ ପର୍ଯ୍ୟନ୍ତ ସେ ବିଜେପି ଅଧ୍ୟକ୍ଷ ପଦରେ ରହିବେ । ଦଳର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଆଜି ଏହି ପ୍ରସ୍ତାବ ପାରିତ ହୋଇଛି । ସୁତରାଂ ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବ ।
ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଦଳର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ପ୍ରସ୍ତାବ ଆଗତ କରିଥିଲେ । ସବୁ ସଦସ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ଗୃହମନ୍ତ୍ରୀ ଅମିତ୍ ଶାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଆଗାମୀ ନିର୍ବାଚନରେ ବୃହତ୍ତ ବିଜୟ ହାସଲ କରିବ ଏବଂ ମୋଦୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ । ଏହି ପୂର୍ଣ୍ଣ ବିଶ୍ୱାସ ମୋର ଅଛି ଶ୍ରୀ ଶାହା କହିଛନ୍ତି ।
ସୂଚନାଥାଉକି, ଜେପି ନଡ୍ଡାଙ୍କ ତିନି ବର୍ଷିୟା କାର୍ଯ୍ୟକାଳ ଚଳିତ ବର୍ଷ ଜାନୁଆରୀ ୨୦ ରେ ସରୁଥିଲା । ୨୦୨୦ ଜାନୁଆରୀ ୨୦ରୁ ସେ ସଭାପତି ଦାୟିତ୍ୱରେ ଅଛନ୍ତି । ଏହାପୂର୍ବରୁ ଜୁଲାଇ ୨୦୧୯ରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ ।