ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ତାଙ୍କ ନେତୃତ୍ୱରେ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବାକୁ ଦଳର କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ଏପଟେ ଦଳର ଓଡ଼ିଶା ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସମୀର ମହାନ୍ତିଙ୍କ ନେତୃତ୍ୱରେ ୨୪ ନିର୍ବାଚନ ଲଢ଼ିବ ବିଜେପି । ତେବେ ଦିଲ୍ଲୀରୁ ଏଭଳି ନିଷ୍ପତ୍ତି ସଂକ୍ରାନ୍ତରେ କୌଣସି ସୂଚନା ଆସି ନ ଥିବାରୁ ଦ୍ୱନ୍ଦ ସୃଷ୍ଟି ହୋଇଛି ।
ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳରେ ରାଜ୍ୟର ସଭାପତି ଚୟନ କିମ୍ବା ତାଙ୍କ କାର୍ଯ୍ୟକାଳ ବୃଦ୍ଧି ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ରୀୟସ୍ତରରେ ହୋଇଥାଏ । ଦିଲ୍ଲୀରୁ ଏହି ନିଷ୍ପତ୍ତି ଆସିଥାଏ । ସୁତରାଂ ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବଢ଼ିବ ନା ନାହିଁ ତାହାର ନିଷ୍ପତ୍ତି ଦିଲ୍ଲୀରୁ ଆସିବା କଥା । ମାତ୍ର ଏ ପର୍ଯ୍ୟନ୍ତ ସେଭଳି କୌଣସି ନିଷ୍ପତ୍ତି ଦିଲ୍ଲୀରୁ ଆସି ନ ଥିଲା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କେଉଁ ଆଧାରରେ ଗଣମାଧ୍ୟମକୁ ଏହି ସୂଚନା ଦେଲେ ତାହା ସ୍ପଷ୍ଟ ହୋଇନାହିଁ । ଏହା ପଛର ରହସ୍ୟ ଜାଣି ନ ପାରି ଦଳୀୟ ନେତା ଓ କର୍ମୀ ଦ୍ୱନ୍ଦରେ ପଡ଼ିଛନ୍ତି ।
ଶ୍ରୀ ହରିଚନ୍ଦନ ଗଣମାଧ୍ୟକୁ କହିଛନ୍ତି, ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ଠିକଣା ଢ଼ଙ୍ଗରେ ଚାଲିଛି । ଦଳ ଆହୁରି ସଶକ୍ତ ହୋଇଛି । ତେଣୁ ରାଜ୍ୟରେ ଏବେ ନେତୃତ୍ୱ ପରିବର୍ତ୍ତନ ହେବାର ନାହିଁ । ତାଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ଲଢ଼ିବ ।
ରୋଚକ କଥା ହେଉଛି, ଶ୍ରୀ ହରିଚନ୍ଦନଙ୍କର ସୂଚନାକୁ ଦଳର ଅନେକ ନେତା ଓ କର୍ମୀ ଗ୍ରହଣ କରିନାହାନ୍ତି । ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନ ଲଢ଼ିବା କଥାକୁ ସେମାନେ ସ୍ୱୀକାର କରୁନାହାନ୍ତି । ଏହାଦ୍ୱାରା ବିଜେଡି ପାଇଁ ରାସ୍ତା ପୂର୍ବଭଳି ସହଜ ରହିଯିବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି । ଗଣମାଧ୍ୟମକୁ ଶ୍ରୀ ହରିଚନ୍ଦନଙ୍କ ଏହି ସୂଚନା ପ୍ରାୟୋଜିତ ଏବଂ ଏହା ପଛରେ ବଡ଼ ଖେଳ ରହିଥିବା ସେ ଇସାରା କରିଛନ୍ତି ।
ସୂଚନାଥାଉକି, ରାଜ୍ୟ ସଭାପତି ଭାବେ ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ୨୦୨୦ ଜାନୁଆରୀ ୧୬ ତାରିଖରେ ତାଙ୍କୁ ସଭାପତି ନିର୍ବାଚିତ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସେ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ।