ନୂଆଦିଲ୍ଲୀ: ଜଣାଶୁଣା ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗତକାଲି ରାତିରେ ହୃଦଘାତରେ ଆକସ୍ମିକ ପରଲୋକ ହୋଇଯାଇଛି । ତାଙ୍କୁ ୬୬ ବର୍ଷ ହୋଇଥିଲା । ଗତକାଲି ମୁମ୍ବାଇରେ ସେ ଧୂମଧାମରେ ହୋଲି ଖେଳିଲା ପରେ ଦିଲ୍ଲୀ ଆସିଥିଲେ । ମାତ୍ର ହଠାତ୍ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ଫର୍ଟିସ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେ ବଞ୍ଚି ନ ଥିଲେ । ସତୀଶ ଏକାଧାରାରେ ଜଣେ ଅଭିନେତା, ନିଦେ୍ର୍ଦଶକ, ଫିଲ୍ମ ନିର୍ମାତା, ହାସ୍ୟ ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଥିଲେ । ତାଙ୍କର ଅକାଳ ବିୟୋଗ ବଲିଉଡ୍ ଜଗତକୁ ସ୍ତବ୍ଧ କରିଦେଇଛି । ସିନେପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।
ହରିଆନାରେ ଜନ୍ମିତ ସତୀଶ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କାଶ ପରେ ନ୍ୟାସନାଲ୍ ସ୍କୁଲ ଅଫ ଡ୍ୟାମାରେ ନାମ ଲେଖାଇଥିଲେ । ଏହାପରେ ସେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆରେ ନାମ ଲେଖାଇଥିଲେ ।
ଅନୀଲ କପୁର-ଶ୍ରୀଦେବୀ ଅଭିନୀତ ମିଷ୍ଟର ଇଣ୍ଡିଆ ଫିଲ୍ମରେ କ୍ୟାଲେଣ୍ଡର ଭୂମିକା ତାଙ୍କୁ ସବୁଆଡ଼େ ପରିଚିତ କରାଇଥିଲା । ଏହାପରେ ୧୯୯୭ ରେ ଫିଲ୍ମ ଦିୱାନା ମସ୍ତାନାରେ ପପୁ ପେଜର୍ ଚରିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଥିଲେ ।୧୯୯୦ ମସିହାରେ ରାମ ଲଖନ ଏବଂ ୧୯୯୭ରେ ସାଜନ ଚଲେ ଶଶୁରାଲ୍ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ ।
ସତୀଶଙ୍କ ବିୟୋଗରେ ସବୁଠାରୁ ବେଶୀ ଭାଙ୍ଗି ପଡ଼ିଛନ୍ତି ତାଙ୍କ ବନ୍ଧୁ ଅଭିନେତା ଅନୁପର ଖେର୍ । ଟ୍ୱିଟ୍ କରିଛନ୍ତି- “ମୁଁ ଜାଣେ, ମୃତୁ୍ୟ ହେଉଛି ସୃଷ୍ଟିର ଚିରନ୍ତନ ସତ୍ୟ । କିନ୍ତୁ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି ଯେ ମୋର ପ୍ରିୟ ବନ୍ଧୁଙ୍କ ସମ୍ପର୍କରେ ଏମିତି ଲେଖିବି । ଦୀର୍ଘ ୪୫ ବର୍ଷର ବନ୍ଧୁତ୍ୱ ସମ୍ପର୍କରେ ଅଚାନକ ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ସତୀଶ, ତୁମ ବିନା ଜୀବନ ପୂର୍ବଭଳି ହେବ ନାହିଁ! ଓମ୍ ଶାନ୍ତି ।