ଭୁବନେଶ୍ୱର: ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି । ଝାଡ଼ଖଣ୍ଡର ଦଳିତ ନେତା ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଡ. ହରିବାବୁ କମ୍ବମପଟିଙ୍କ ଜାଗାରେ ସେ ହୋଇଛନ୍ତି ଓଡ଼ିଶାର ୨୯ତମ ରାଜ୍ୟପାଳ । ୨୦୨୫ ଜାନୁଆରୀ ୩ ତାରିଖରେ ଡ. ହରିବାବୁ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ । ଦେଢ଼ବର୍ଷ ନ ପୂରୁଣୁ ଅଚାନକ ତାଙ୍କୁ କାହିଁକି ବିଦା କରାଗଲା ଜଣାପଡ଼ିନାହିଁ ।
୬୮ ବର୍ଷୀୟ ବ୍ରଜ ମୋହନ ହେଉଛନ୍ତି ଝାଡ଼ଖଣ୍ଡ ବିଜେପିର ଜଣେ ବରିଷ୍ଠ ନେତା । ପାଲାମୁ ଆସନରୁ ସେ କ୍ରମାଗତ ତିନିଥର ୧୯୯୬, ୧୯୯୮ ଏବଂ ୧୯୯୯ ସାଧାରଣ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହିଭଳି ଭାବେ ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ଥିଲେ । ତା’ ପୂର୍ବରୁ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାରେ ସେ ବିଧାୟକ ଥିଲେ । ଝାଡ଼ଖଣ୍ଡ ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ଦାୟିତ୍ୱରେ ମଧ୍ୟ ଥିଲେ ।
ବ୍ରଜମୋହନଙ୍କ ସମେତ ସିକିମ୍ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମ୍ ରାଜ୍ୟପାଳ, କେରଳମ୍ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡ଼ୁ ରାଜ୍ୟପାଳ, ଡ. ସୁଧା ଯାଦବ କର୍ଣ୍ଣାଟକ ରାଜ୍ୟପାଳ. ଡ. ଧଲ ସିଂହ ବିସେନ୍ ଉତ୍ତରାଖଣ୍ଡ ରାଜ୍ୟପାଳ ଏବଂ ଦୁଶ୍ୟନ୍ତ ଗୌତମଙ୍କୁ ସିକିମ୍ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଆଜି ରାଷ୍ଟ୍ରପତି ଭବନରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।