ଭୁବନେଶ୍ୱର: କଲେଜ ଛାତ୍ର ସଂସଦ ନିର୍ବାଚନରେ ‘ଭୋଟ ଚୋରି’ ଅଭିଯୋଗ ଆଣିିଛି ବିଜେଡି । ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ପ୍ରାଧ୍ୟାପକଙ୍କ କଥାବାର୍ତ୍ତାର ଅଡିଓ ଟେପ୍ କୁ ଧରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି । ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ବିଜେପି ସରକାର ତାଙ୍କର ସରକାରୀ କଳ ଓ ବଳ ଲଗାଇ ଦେଇଛନ୍ତି ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ।
ଇପ୍ସିତା କହିଛନ୍ତି ଯେ, ଛାତ୍ର ସଂଘ ନିର୍ବାଚନକୁ ତରବରିଆ ଭାବେ ଘୋଷଣା କରିବା ନେଇ ବିଜେପି ସରକାରଙ୍କ ସନ୍ଦେହ ଘେରରେ ରହିଛନ୍ତି । ଲିଙ୍ଗଡୋ ଆୟୋଗର ନିର୍ଦ୍ଦେଶାବଳୀକୁ ବିଜେପି ସରକାର ଖୁଲମଖୁଲା ଭାବେ ଉଲ୍ଲଂଘନ କରୁଛନ୍ତି । ବିଜେପି ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରି ରାଜନୈତିକ ହସ୍ତକ୍ଷେପ କରୁଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟରେ ଏହିପରି କାର୍ଯ୍ୟକଳାପ ନେଇ ଏକ ଅଡିଓ ଟେପ୍ ଭାଇରାଲ ହୋଇଛି । ଛାତ୍ର ସଂସଦ ନିର୍ବାଚନରେ ରମାଦେବୀ ବିଶ୍ୱବିଦ୍ୟାଳୟ ବିଜେପି ସରକାରଙ୍କ ଦଖଲ ନିହାତି ଭାବେ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକ । ସେଠାରେ ଏବିଭିପି ପ୍ରାର୍ଥୀଙ୍କୁ ଯେକୌଣସି ମୂଲ୍ୟରେ ବିଜୟ କରାଇ ନିଜ ଦଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଯାହାକୁ ନେଇ ଛାତ୍ର ସଂସଦ ନିର୍ବାଚନରେ ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଟଙ୍କାର ବର୍ଷା କରୁଛନ୍ତି ବୋଲି ରମାଦେବୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ସଞ୍ଜୟ ରାଉଳ କହିଥିବାର ଅଡିଓ ଭାଇରାଲ ହେଉଛି ।
ଛାତ୍ର ସଂସଦ ନିର୍ବାଚନ ବିଜୟ ପାଇଁ ବିଜେପି ସରକାର କୂଳପତି ଓ ଅଧ୍ୟକ୍ଷ ମାନଙ୍କୁ ଫୋନ କରି ସପକ୍ଷରେ ଭୋଟ କରିବା ପାଇଁ ଲାଗି ପଡିଛନ୍ତି । ଯାହାକୁ ନେଇ ଉକ୍ତ ପ୍ରାଧ୍ୟାପକ ମଧ୍ୟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମାନଙ୍କ ତଥ୍ୟ ସଂଗ୍ରହ କରି ବିଜେପି ସରକାରଙ୍କୁ ପ୍ରଦାନ କରୁଛନ୍ତି । ବିଜେପି ସରକାରଙ୍କ ଗୁଡ ବୁକରେ ରହିବା ପାଇଁ ସେ ଲାଗି ପଡିଛନ୍ତି । ବିଜେପି ସରକାରଙ୍କୁ ଯଦି ଛାତ୍ର ସଂସଦ ନିର୍ବାଚନ ପରାଜୟ ଭୟ ରହିଛି, ତେବେ ନିର୍ବାଚନ କରୁଛ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ପରାଜୟ ଭୟରେ ବିଜେପି ହିଂସାକୁ ପ୍ରୋତ୍ସାହିତ କରିଛି । ଶିକ୍ଷକ ଓ ସରକାରୀ କର୍ମଚାରୀ ମାନଙ୍କୁ ବ୍ୟବହାର କରି, ଭୋଟ ଚୋରି ଓ ପ୍ରାର୍ଥୀ ଚୋରି କରୁଛନ୍ତି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚାଙ୍କୁ ଜିତାଇବା ପାଇଁ ସରକାରୀ କଳ ଓ ବଳ ଲାଗି ଲାଗି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି ।
ସେହିପରି ନୟାଗଡ଼ କଲେଜରେ ପ୍ରାର୍ଥୀ ପତ୍ର ଦାଖଲ ପରେ ଯାଞ୍ଚ୍ ତାଲିକା ଆସିଥିଲା । କିନ୍ତୁ ତାହାକୁ ଘୋଷଣା ପୂର୍ବରୁ ଜିଲ୍ଲାପାଳ ଫୋନ କରି ବୁଝିଥିଲେ । ବିସିଜେଡି ପ୍ରାର୍ଥୀ ମାନେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହେଉଥିଲେ । ଯାହାକୁ ଜାଣିବା ପରେ ସେଠାରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଘୋଷଣା କରାଯାଇଥିଲା । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ପ୍ରାର୍ଥୀ ବିଜୟ ସମ୍ଭାବନା ନଥିଲେ । ବିଜେପି ସରକାର ପ୍ରଶାସନିକ ହସ୍ତକ୍ଷେପ କରି ବିନା ଗଣ୍ଡଗୋଳରେ ନିର୍ବାଚନକୁ ବାତିଲ କରାଉଛନ୍ତି । ବିଜେପି ସରକାର ଛାତ୍ରଛାତ୍ରୀ ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ଯାହାକି ଅତି ନିନ୍ଦନୀୟ । ଯେଉଁଠି ବିସିଜେଡି ବିଜୟ ସମ୍ଭାବନା ରହିଛି ସେଠାରେ ସରକାରୀ କଳ ଓ ବଳ ଲଗାଇ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଉଛନ୍ତି ।
ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ପ୍ରାର୍ଥୀଙ୍କ ପାଇଁ ଅଧ୍ୟାପକ ଓ ଅଧ୍ୟାପିକା ମାନେ କ୍ୟାମ୍ପେନ କରୁଛନ୍ତି । ହ୍ୱାଟ୍ସଅପ୍ ଗ୍ରୁପରେ କ୍ୟାମ୍ପେନ ନେଇ ଫଟୋ ମଧ୍ୟ ଭାଇରାଲ ହୋଇଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ବିଜେପି ବିଧାୟକ ମାନସ ଦତ୍ତ ଓ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଲିଙ୍ଗଡୋ କମିଶନଙ୍କ ନିୟମକୁ ଖୁଲମଖୁଲା ଭାବେ ଅବମାନନା କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ସାମିଲ ହୋଇ ଏବିଭିପି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିଛନ୍ତି । ପିପିଲି କଲେଜରେ ବିଜେପି ଗୁଣ୍ଡା ମାନେ ପ୍ରାର୍ଥୀଙ୍କୁ ଉଠାଇ ନେଇ ଭୟଭୀତ କରାଇବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏହିପରି ରାଜ୍ୟ ବ୍ୟାପୀ ବିଜେପି ସରକାରଙ୍କ ମନଇଚ୍ଛା ଛାତ୍ର ସଂସଦ ନିର୍ବାଚନ ଜାରି ରହିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟ ରାଜ୍ୟ ସରକାରଙ୍କ ହାତ ବାରିସି ସାଜି ନିଦେ୍ର୍ଦଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ବିସିଜେଡି ପ୍ରାର୍ଥୀ ମାନେ ରାଜ୍ୟର ୧୦୦ଟି ମହାବିଦ୍ୟାଳୟରେ ବିଜୟୀ ହୋଇସାରିଛନ୍ତି । ବିଜେପି ସରକାର ସମସ୍ତ ଅବୈଧ ପଦକ୍ଷେପ ସତ୍ତ୍ୱେ ବିସିଜେଡି ପ୍ରାର୍ଥୀ ମାନେ ବିପୁଳ ଭୋଟରେ ଜିତିବେ ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ବିଜେପି ସରକାର ଅଗଣତାନ୍ତ୍ରିକ ଉପାୟରେ ଛଡାଇ ନେବାକୁ ଲାଗିଛି । କିନ୍ତୁ ବିଜେପି ସରକାରଙ୍କ ପରାଜୟ ନିଶ୍ଚିତ ହେବ ।
ତେବେ ଏହା ଉପରେ ଶାସକ ଦଳର ପ୍ରତିକ୍ରିୟା ମିଳିନାହିଁ ।