ଭୁୁବନେଶ୍ୱର: କ୍ଷମତା ଅହଂକାରର ଭୟଙ୍କର ରୂପ । ରାଜଧାନୀ ଛାତି ଉପରେ, ବିଏମସି ଅଫିସ୍ ଭିତରେ, ଜଣେ ବିଜେପି କର୍ପୋରେଟରଙ୍କ ଉପସ୍ଥିତିରେ, ନିଜ ଚାମ୍ବରରେ ବସି କାର୍ଯ୍ୟ କରୁଥିବା ବିଏମସି ଅତିରିକ୍ତ କମିସନରଙ୍କ କଲର୍ ଧରି ଚେୟାରରୁ ଟେକି ଆଣିଲେ ବିଜେପି ନେତାଙ୍କର ପୋଷାଗୁଣ୍ଡା ମାନେ । ସଂଖ୍ୟାଧିକ କର୍ମଚାରୀ ଓ ସାଧାରଣ ଜନତାଙ୍କ ସାମନାରେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ । ଅପହରଣ କରିନେବାକୁ ଉଦ୍ୟମ କଲେ । କିଛି କର୍ମଚାରୀଙ୍କ ପ୍ରତିରୋଧ ଯୋଗୁଁ ପୋଷାଗୁଣ୍ଡା ମାନେ ତାଙ୍କୁ ନେଇ ପାରି ନ ଥିଲେ ମଧ୍ୟ ବୀରଦର୍ପରେ ଖସି ପଳାଇଲେ । ମେୟର ସୁଲୋଚନାଙ୍କୁ ଲକ୍ଷ୍ୟ କରି ଅଶ୍ଲୀଳ ଭାଷାରେ ଗାଳି କରି ଚାଲି ଆସିଲେ ।
ଏହି ଘଟଣା କେବଳ ରାଜଧାନୀ ନୁହେଁ, ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଖୋଦ୍ ରାଜଧାନୀର ବିଏମସି କାର୍ଯ୍ୟାଳୟରେ ଜଣେ ଅଫିସରଙ୍କ ଉପରେ ଏଭଳି ବର୍ବର କାଣ୍ଡର ଭିଜୁଆଲ୍ ଦେଖି ସମସ୍ତେ ଭୟଭୀତ । ଆଗରୁ ୟୁପି, ବିହାରରେ ଏଭଳି କାଣ୍ଡ ସମ୍ପର୍କରେ ଖବରକାଗଜରୁ ପଢ଼ୁଥିଲେ । ଏବେ ନିଜ ରାଜ୍ୟରେ ତାହା ପୁଣି ଖୋଦ୍ ରାଜଧାନୀରେ ଦେଖିବାକୁ ପଡୁଛି । ମୁଖ୍ୟ ବିରୋଧୀ ଦଳ ବିଜେଡି ଏହି ଅମାନୁଷିକ କାଣ୍ଡର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଦୃଢ଼ ନିନ୍ଦା କରିଛି । ଓଏଏସ୍ ଅଫିସର ସଂଘ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଇବା ସହ ଘଟଣାର ମୁଖ୍ୟ କାର୍ପଟଦାରଙ୍କୁ ଗିରଫ ପାଇଁ ଦାବି କରିଛି ।
ସୂଚନାଥାଉକି, ଏହି ମାମଲାରେ ସମୁଦାୟ ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଘଟଣାର ୬ ଘଣ୍ଟା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ୨୯ ନଂ ୱାର୍ଡର କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନ । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।
ଘଟଣାଟି ଏମିତି । ଆଜି ଥିଲା ବିଏମସିର ଅଭିଯୋଗ ଶୁଣାଣି ଦିନ । ଅତିରିକ୍ତ କମିସନର ରତ୍ନାକର ସାହୁ ତାଙ୍କ ଚାମ୍ବରରେ ବସି ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ଦିନ ସାଢ଼େ ୧୧ଟା ବେଳକୁ ଚାମ୍ବର ଭିତରକୁ ହଠାତ୍ ୬/୭ ଜଣ ଯୁବକ ଧସେଇ ପଶି ଆସିଲେ । ଆଗରେ ଥିଲେ ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ ଓରଫ୍ ଜୀବନ ରାଉତ । ‘ଜଗା ଭାଇ ଆପଣଙ୍କୁ କ’ଣ କହିଥିଲେ କି’ ବୋଲି ପଶୁ ପଶୁ ଅତିରିକ୍ତ କମିସନରଙ୍କୁ ଭିଲିୟାନ୍ ଠାଣିରେ ପଚାରିଥିଲେ । ଶ୍ରୀ ସାହୁ କିଛି କହିବା ପୂର୍ବରୁ କର୍ପୋରେଟରଙ୍କ ପଛେ ପଛେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ କଲର୍ ଧରି ଝିଙ୍କି ଆଣିଥିଲେ । ଚାମ୍ବର ବାହାରକୁ ଘୋଷାଡ଼ି ଆଣି ଗାଳି ମନ୍ଦ ସହ ବିଧା ଗୋଇଠା ମାରି ଚାଲିଲେ । ତାଙ୍କୁ ମାରିଦେବାର ଧମକ ଦେଲେ ।
ସେଠାରେ ଉପସ୍ଥିତ ଅନ୍ୟ କର୍ମଚାରୀ ଏବଂ ସାଧାରଣ ଅଭିଯୋଗ ଧରି ଆସିଥିବା ସାଧାରଣ ଲୋକେ ଅତିରିକ୍ତ କମିସନରଙ୍କୁ ଦୁର୍ବୃତ୍ତମାନଙ୍କ କବଳରୁ ଉଦ୍ଧାର କରିବାକୁ ପ୍ରଥମେ ସାହାସ କରି ପାରି ନ ଥିଲେ । ମାତ୍ର ସେମାନେ ତାଙ୍କୁ ଅପହରଣ କରିନେବାକୁ ଉଦ୍ୟମ କରୁଥିବା ବେଳେ ସଂଘବଦ୍ଧ ହୋଇ ସମସ୍ତେ ତାହାର ପ୍ରତିରୋଧ କରିଥିଲେ । ଗଲାବେଳେ ତାଙ୍କୁ ବିଧା ଗୋଇଠା ମାରି ତାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ ସେହି ଦୁବୃର୍ତ୍ତମାନେ । ଏହାପରେ ମେୟର ସୁଲୋଚନା ଦାସଙ୍କ ପାଳି ପଡ଼ିବ ବୋଲି ସେମାନେ ଧମକ ଦେଇ ଯାଉଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ଏହି ଘଟଣା ବିଜୁଳି ବେଗରେ ଖେଳିଗଲା ପରେ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି । ଅପରାହ୍ନରୁ ଏହି ଅମାନୁଷିକ ଆକ୍ରମଣର ଫୁଟେଜ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଅତିରିକ୍ତ କମିସନର ଶ୍ରୀ ସାହୁ ଖାରବେଳନଗର ଥାନାରେ ଏତଲା ଦେବା ଏବଂ ଅଭିଯୁକ୍ତ ଚିହ୍ନଟ ହେବା ପରେ ମଧ୍ୟ ପୁଲିସ କାହାରିକୁ ଗିରଫ ନ କରିବା ପ୍ରତିବାଦରେ ମେୟରଙ୍କ ନେତୃତ୍ୱରେ ବିଜେଡି କର୍ପୋରେଟରମାନେ ବିଏମସି ଅଫିସ୍ ଜନପଥ ସାମନା ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ । ପୂର୍ବତନ ବିଧାୟକ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଏବଂ ସଞ୍ଜୟ ଦାସବର୍ମା ସେଠାରେ ଉପସ୍ଥିତ ଥିଲେ ।
ସଂଧ୍ୟାବେଳେ ପୁଲିସ ତିନିଜଣଙ୍କୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ଏହି କାଣ୍ଡର ମୁଖ୍ୟ କାର୍ପଟଦାର ତଥା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ପାଇଁ ବିଜେଡି ଦାବି କରିଛି ।
ମୁମ୍ବାଇରେ ଚିକିତ୍ସିତ ହେଉଥିବା ବିଜେଡି ମୁଖିଆ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି କାଣ୍ଡକୁ ତୀବ୍ର ନିନ୍ଦା କରିବା ସହ ଏଭଳି ଆଚରଣକୁ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି । ଶଙ୍ଖଭବନରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।
ଅଫିସ୍ ଭିତରେ ଜଣେ ଅଫିସରଙ୍କ ଉପରେ ଏଭଳି ଅମାନୁଷିକ ଏବଂ ବର୍ବର କାଣ୍ଡକୁ ନେଇ ଓଏଏସ୍ ସଂଘ ଉତକ୍ଷିପ୍ତ ହୋଇଛି । ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଇବାକୁ ଦାବି କରାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଏମସିରେ କାର୍ଯ୍ୟ କରୁଥିବା ଦୁଇଜଣ ସ୍ୱଚ୍ଛସାଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରୁ ଏହି କାଣ୍ଡ ହୋଇଛି । ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ବିଜେପି ନେତା ଜଗନ୍ନାଥ ପ୍ରଧାନ ଗତକାଲି ଅତିରିକ୍ତ କମିସନର ଶ୍ରୀ ସାହୁଙ୍କୁ ଫୋନ୍ କରି ଦୁଇ ସ୍ୱଚ୍ଛସାଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାର ଜବାବ ମାଗିଥିଲେ । ମାତ୍ର, ଆପଣ ପଚାରିବାକୁ କିଏ ବୋଲି ଶ୍ରୀ ସାହୁ ତାଙ୍କୁ ଜବାବ ଦେଇଥିଲେ । ଏଥିରେ ଜଗନ୍ନାଥ ଉତକ୍ଷିପ୍ତ ହୋଇ ତାଙ୍କୁ ଭୀଷଣ ଗାଳି ମନ୍ଦ କରିଥିଲେ । ଆଜି ଅଭିଯୋଗ ଶୁଣାଣି ଥିବାରୁ ସଂପୃକ୍ତ ସ୍ୱେଚ୍ଛାସାଥୀଙ୍କ ହାତରେ ଅଭିଯୋଗପତ୍ର ଧରାଇ ଅତିରିକ୍ତ କମିସନରଙ୍କ ପାଖକୁ ପଠାଇଥିଲେ । ଆଉ ଅତିରିକ୍ତ କମିସନରଙ୍କୁ ସାବାଡ଼ କରିବାକୁ ତୟାର ହୋଇ ଆସିଥିଲେ ଜଗାଙ୍କ ଚେଲା ।
Continue Reading