ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହୋଇଛି ରାୟଗଡ଼ା ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଏହି ସୁବିଧା ପାଇବେ । ରାୟଗଡ଼ାକୁ ମିଶାଇ ରାଜ୍ୟର ୧୭ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ । ଏଥିସହ ଆଜି ରାୟଗଡା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରାୟଗଡାରେ ଜଳସେଚନର ସୁବିଧା ପାଇଁ ଦୁଇଟି ମେଗା ଲିଫ୍ଟ ପ୍ରକଳ୍ପ ଶେଷ ହୋଇଛି ଏବଂ ଏହାଦ୍ବାରା ଗୁଣୁପୁର ବ୍ଲକ୍ର ୧୦୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀ ମାନଙ୍କର ଉଚ୍ଚ ପ୍ରଶଂସା କରି କହିଲେ ଯେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି । ସେହିପରି ଜିଲ୍ଲାରେ ମା’ ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ସେମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ସ୍ମାର୍ଟ ହେଲ୍ଥ କାର୍ଡ ସମ୍ଭବ କରିପାରିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଜଗନ୍ନାଥ ସାରକା, ସାଂସଦ ଭାସ୍କର ରାଓ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ।