ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି । ଜଣେ ଦୃବୃର୍ତ୍ତ ତାଙ୍କ ଉପରକୁ ଅତର୍କିତ ୫ ରାଉଣ୍ଡ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ନବଙ୍କ ଛାତିରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି ।
ଦୃବୃର୍ତ୍ତ ଜଣଙ୍କ ଜଣେ ପୁଲିସ କର୍ମଚାରୀ ବୋଲି ଜଣାପଡ଼ିଛି । ବ୍ରଜରାଜନଗର ଗାନ୍ଧୀ ଛକ ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟରତ ଗୋପାଳକୃଷ୍ଣ ଦାସ ମନ୍ତ୍ରୀଙ୍କୁ ଗୁଳିମାଡ଼ କରିଥିବା ବ୍ରଜରାଜନଗର ଏସଡିପିଓ ସ୍ପଷ୍ଟ କରିଛନ୍ତି ।
ମନ୍ତ୍ରୀ ନବ ଦାସଙ୍କର ଆଜି ବ୍ରଜରାଜନଗରରେ କାର୍ଯ୍ୟକ୍ରମ ଥିଲା । ଦିନ ପ୍ରାୟ ୧୨ଟା ୨୫ ମିନିଟ୍ ବେଳେ ସେ ଗାନ୍ଧୀ ଛକଠାରେ ପହଞ୍ଚି ଗାଡ଼ିରୁ ଓହ୍ଲାଉଥିଲା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଏଏସଆଇ ଗୋପାଳ ଦାସ ନିଜ ବନ୍ଧୁକରୁ ଅତର୍କିତ ଭାବେ ମନ୍ତ୍ରୀଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ । ମନ୍ତ୍ରୀଙ୍କ ଛାତିରେ ଦୁଇ ରାଉଣ୍ଡ ଗୁଳି ପଶିଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ହିଁ ଦୃବୃର୍ତ୍ତ ପୁଲିସ କର୍ମଚାରୀଙ୍କୁ କାବୁ କରାଯାଇଛି ।
ଏହି ଖବରର ସବିଶେଷ ତଥ୍ୟ ଓ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପରବର୍ତ୍ତୀ ଖବରକୁ ଅପେକ୍ଷା କରାଯାଇଛି ।