ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ଭୂମିକା ନାହିଁ କି ରୋଷେୟା ମନ୍ମଥ କୁମ୍ଭଙ୍କର ଭୂମିକା ନାହିଁ । ତାଙ୍କ ମୃତ୍ୟୁର କାରଣ ପତ୍ନୀ ବିଦ୍ୟାଭାରତୀ ବି ନୁହଁନ୍ତି । ସୌମ୍ୟଙ୍କର ଦେହରେ ନିଆଁ ଲାଗିଛି ଦୁର୍ଘଟଣାରୁ । ବିଦ୍ୟାଭାରତୀଙ୍କର ଗୋଟିଏ ଭୁଲ୍ ଯେ ସ୍ୱାମୀଙ୍କ ଦେହରେ ନିଆଁ ଲାଗିଥିବା ବେଳେ ସେ ଅଧିକ ପାଣି ଢ଼ାଳି ନିଆଁକୁ ଲିଭାଇ ନ ଥିଲେ ।
ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି । ଏଥିସହ ଡିଏଫଓ ଏବଂ ରୋଷେୟାଙ୍କୁ କ୍ଲିନଚିଟ୍ ଦେଇ ତଦନ୍ତରେ ଏକପ୍ରକାର ଡୋରି ବାନ୍ଧିଛି । ପତ୍ନୀ ବିଦ୍ୟାଭାରତୀଙ୍କ ଅବହେଳା ପାଇଁ ତାଙ୍କ ବିରୋଧରେ ୨୮୫ ଏବଂ ୩୦୪(ଏ) ଦଫା ଲଗାଇ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତଦନ୍ତ ଫଳାଫଳ ଜଣାଇଥିଲେ । ସେ କହିଥିଲେ, ସୌମ୍ୟଙ୍କର ମୃତ୍ୟୁ ଆକ୍ସିଡେଣ୍ଟାଲ୍ ଡେଥ୍ । ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଜଣାପଡିଛି । ସୌମ୍ୟଙ୍କ କ୍ୱାଟର୍ସରେ ହିଁ ଏହି ଦୁର୍ଘଟଣା ଘଟିଛି । ଘଟଣାରେ ଡିଏଫଓ କିମ୍ବା ରୋଷେୟାଙ୍କର ସଂପୃକ୍ତି ନାହିଁ ।
କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡ଼ି ଯାଇଥିଲେ । ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରୁ ଜଣାପଡ଼ିଛି । ସୌମ୍ୟ ନିଆଁରେ ଜଳୁଥିଲେ ବି ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା କରି ନ ଥିଲେ କି ଲିଭାଇବାକୁ କାହାରିକୁ ଡାକି ନ ଥିଲେ । ଏହି ଅବହେଳା ପାଇଁ ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଏବଂ ୩୦୪(ଏ) ଲାଗିଛି । ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀଙ୍କର ବୈବାହିକ ସମ୍ପର୍କ ଭଲ ନ ଥିଲା ବୋଲି ମଧ୍ୟ ଏଡିଜି ସୂଚନା ଦେଇଛନ୍ତି ।
ଏହି ଘଟଣାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ଭୂମିକା ନାହିଁ । ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓଙ୍କର କୌଣସି ସଂପୃକ୍ତି ଥିବାର ପ୍ରମାଣ ମିଳିନି । ସେହିଭଳି ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଘଟଣାରେ ସଂପୃକ୍ତି ନାହିଁ ବୋଲି ଏଡିଜି ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି ।
ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଫଳାଫଳକୁ ଗ୍ରହଣ କରିନାହାନ୍ତି ସୌମ୍ୟରଞ୍ଜନଙ୍କ ପରିବାର । ତାଙ୍କ ପୁଅ ଆତ୍ମହତ୍ୟା କରିନାହିଁ କି ଦୁର୍ଘଟଣା ଘଟିନାହିଁ । ତାଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ଦୋହରାଇଛନ୍ତି । ଏଡିଜି ମିଛ କହିଛନ୍ତି ବୋଲି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ତାଙ୍କ ସରକାରୀ ବାସଭବନରେ ରହସ୍ୟଜନକ ଭାବେ ନିଆଁରେ ପୋଡ଼ି ଯାଇଥିଲେ । ତାଙ୍କ ଶରୀରର ୯୫ ପ୍ରତିଶତ ଜଳିଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ କଟକ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁକୁ ହତ୍ୟା ଦର୍ଶାଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ସେ ସିଧାସଳଖ ଦାୟୀ କରିଥିଲେ ।
ଏତଲା ଆଧାରରେ ପାରଳାଖେମୁଣ୍ଡି ପୁଲିସ ଏହି ତିନିଜଣଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଡିଏଫଓ ଏବଂ ରୋଷେୟାଙ୍କୁ ଥରୁଟିଏ ପଚରା ଉଚୁରା କରାଯିବା ପରେ ଗଜପତି ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନଙ୍କୁ କ୍ଲିନଚିଟ୍ ଦେଇଥିଲେ । ମାତ୍ର ଏହାକୁ ନେଇ ହୋ ହଲ୍ଲା ହେବାରୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ ।