ନୂଆଦିଲ୍ଲୀ: ଚଳିତବର୍ଷର ସିବିଏସଇ ବୋର୍ଡ ପରୀକ୍ଷା ମେ’ ୪ ତାରିଖରୁ ଆରମ୍ଭ ହେବ । ଏହାପୂର୍ବରୁ ମାର୍ଚ୍ଚ ୧ ରୁ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ । ଜୁନ୍ ୧୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ ହେବ । ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଏହା ଘୋଷଣା କରିଛନ୍ତି । କରୋନାର ପ୍ରକୋପକୁ ଦେଖି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
କରୋନା ଯୋଗୁଁ ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ବ୍ୟାଘାତ ହୋଇଛି । ପ୍ରତିବର୍ଷ ବୋର୍ଡ ପରୀକ୍ଷା ଫେବୃଆରୀରୁ ଆରମ୍ଭ ହେଉଥିଲା ବେଳେ ଏଥର ପରୀକ୍ଷା ତାରିଖକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ ଦୂର ହୋଇଛି ।