ଭୁୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଏମସ ପ୍ଲସ୍ କରାଯାଇ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀସ୍ତରରେ ମେଡିକାଲ କଲେଜ ଓ ହସ୍ପିଟାଲ୍ ପାଇଁ ଦେଶର ସର୍ବବୃହତ୍ତ ପ୍ରକଳ୍ପ ଭାବେ ଏସସିବି ଏହାର ନବକଳେବର କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି । ୫-ଟି କାର୍ଯ୍ୟକ୍ରମ ଅଧୀନରେ ହେଉଥିବା ଏସସିବି ନବକଳେବର ପାଇଁ ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ସମୀକ୍ଷା କରିବା ପରେ ନିର୍ଦ୍ଧାରିତ ୩ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୪ ଜାନୁଆରୀରେ ଏହାର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍ ଦେଇଛନ୍ତି ।
୧୭୫ ଏକର ଜମିରେ ଏସସିବିର ବିକଶିତ ହେବ । ୫୦୦୦ ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଶଯ୍ୟା ସଂଖ୍ୟା ୩୫୦୦ କରାଯିବ । ପରବର୍ତ୍ତୀ ସମୟରେ ଏହାକୁ ୫୦୦୦ ଶଯ୍ୟା କରାଯିବ । କେବଳ ରୋଗୀ କି ଡାକ୍ତର ନୁହଁନ୍ତି, ରୋଗୀଙ୍କ ସହାୟତା, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ରହିବ ।
ଏଥିରେ ୧୨୮୦ ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିପାରିବେ । କ୍ରୀଡ଼ା ଓ ମନୋରଞ୍ଜନ ପାଇଁ ଏଠାରେ ପରିବେଶ ସୃଷ୍ଟି କରାଯିବ ।
ମେଡିକାଲ୍ କଲେଜ ହସ୍ପିଟାଲ୍ ର ସୁପରିଚାଳନା ପାଇଁ ଏକ ସ୍ୱାଧୀନ ପରିଚାଳନା ମଣ୍ଡଳୀ ରହିବ । ଏହାଦ୍ୱାରା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବା ସହ ଚିକିତ୍ସା, ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ହୋଇପାରିବ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଜନସାଧାରଣଙ୍କୁ ସୁଲଭ ତଥା ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ । ଓଡ଼ିଶାର ଲୋକ ଏହିଠାରେ ହିଁ ଉନ୍ନତ ଚିକିତ୍ସା ପାଇପାରିବେ । ବହୁ ଓଡ଼ିଆ ଡାକ୍ତର ଦେଶ ବିଦେଶରେ ଚିକିତ୍ସା ସେବା ଯୋଗାଇ ସୁନାମ କରିଛନ୍ତି । ସେମାନେ ନିଜ ଜନ୍ମମାଟିରେ ସେମାନଙ୍କ ଦକ୍ଷତାକୁ ରାଜ୍ୟବାସୀଙ୍କ ସେବାରେ ଯେଭଳି ଲଗାଇପାରିବେ, ସେଥିପାଇଁ ମଧ୍ୟ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବ ।
ଏହି ପ୍ରକଳ୍ପକୁ ସେ ବ୍ୟକ୍ତିଗତ ଭାବେ ନିଜେ ତଦାରଖ କରୁଥିବା ମୁଖ୍ୟମନ୍ତ୍ରୀ ଜଣାଇଥିଲେ । ସମସ୍ତଙ୍କର ସହଯୋଗରେ ଏହି ଅନୁଷ୍ଠାନ ଦିନେ ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇପାରିବାରେ ସଫଳ ହେବ ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ୍ କୁମାର ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ରଖିଥିଲେ ।